Latest Odisha News

BREAKING NEWS

ମହିଳାଙ୍କୁ ସଶକ୍ତ କରୁଛି ଏହି ସରକାରୀ ଯୋଜନା..ଆପଣ ଆବେଦନ କରିଛନ୍ତି ନା ନାହିଁ?

ନୂଆଦିଲ୍ଲୀ: ମହିଳାଙ୍କୁ ସଶକ୍ତ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଅନେକ ଅଭିଯାନ ଆରମ୍ଭ କରିଥିବା ବେଳେ ଅନେକ ଯୋଜନା ମଧ୍ୟ ଚଲାଉଛନ୍ତି । ଯେଉଁଥିରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଭିନ୍ନ ଭିନ୍ନ ସହାୟତା ପ୍ରଦାନ କରାଯାଉଛି । ରାଜ୍ୟରେ ବର୍ତ୍ତମାନ ସୁଭଦ୍ରା ଯୋଜନାର କ୍ରେଜ୍ ରହିଥିବା ବେଳେ ପ୍ରତି ବର୍ଷ ୧୦ ହଜାର ଲେଖାଏଁ, ମହିଳାଙ୍କୁ ୫୦ ହଜାରର ସହାୟତା ରାଶି ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ସରକାର । ସେହିପରି କେନ୍ଦ୍ର ସରକାର ମଧ୍ୟ ମଧ୍ୟ ପୂରା ଦେଶର ମହିଳାଙ୍କ ପାଇଁ ଅନେକ ଲାଭପ୍ରଦ ଯୋଜନା ଚାଲୁ କରିଛନ୍ତି । ତେବେ ଆପଣ ସେ ଯୋଜନାର ଲାଭ ଉଠାଉଛନ୍ତି କି ନାହିଁ? ଯଦି ଜାଣିନାହାନ୍ତି, ତାହେଲେ ଆସନ୍ତୁ ଜାଣିବା ଏହି ସବୁ ଯୋଜନା ସମ୍ବନ୍ଧରେ…..

ତେବେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା, ବେଟି ପଢାଓ..ବେଟି ବଞ୍ଚାଅ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଭଳି ଅନେକ ଯୋଜନା ଚଲାଉଛନ୍ତି । ଯାହା ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବ । ୮ ମାର୍ଚ୍ଚରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯିବ, ଏହି ଅବସରରେ ରାଜ୍ୟରେ ମଧ୍ୟ ଚର୍ଚ୍ଚାରେ ଥିବା ସୁଭଦ୍ରା ଯୋଜନାରେ ୫୦୦୦ ଲେଖାଏଁ ଦ୍ବିତୀୟ କିସ୍ତି ପାଇବେ ୧ କୋଟି ୨୦ ହଜାର ମହିଳା ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା

ଭାରତ ସରକାରଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ ଚାଲିଥିବା ଯୋଜନା ମଧ୍ୟରେ ପ୍ରଥମ ହେଉଛି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା । ଯେଉଁଥିରେ ମହିଳାମାନଙ୍କ ପାଇଁ ଧୂଆଁମୁକ୍ତ ରୋଷେଇ ଘର ଯୋଗାଇବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିଲା । ଏହି ଯୋଜନା ଅଧୀନରେ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ମହିଳାଙ୍କୁ ମାଗଣା ଏଲପିଜି ସଂଯୋଗ ଯୋଗାଇ ଦିଆଯାଉଛି ।  ଏହା ବ୍ୟତୀତ, ଏହି ଯୋଜନା ଅଧୀନରେ ବାର୍ଷିକ ୧୨ଟି ରିଫିଲ୍ ଏବଂ ୩୦୦ ଟଙ୍କା ପର୍ଯ୍ୟନ୍ତ ସବସିଡି ମଧ୍ୟ ହିତାଧିକାରୀଙ୍କୁ ଦିଆଯାଉଛି ।

ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା

ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ପ୍ରଯୁଜ୍ୟ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା । ଯାହା ଅଧୀନରେ ପ୍ରଥମ ଥର ପାଇଁ ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି ସରକାର । ଏହି ଯୋଜନା ଅଧିନରେ ୧୧,୦୦୦ ଟଙ୍କାର ସହାୟତା ପ୍ରଦାନ କରାଯାଏ, ଯାହା ତିନୋଟି କିସ୍ତିରେ ଦିଆଯାଏ । ଗର୍ଭାବସ୍ଥାରେ ପ୍ରଥମ କିସ୍ତି ୩ ହଜାର ଟଙ୍କା, ପିଲା ଜନ୍ମ ହେବା ପରେ ଦ୍ୱିତୀୟ କିସ୍ତି ୨ ହଜାର ଟଙ୍କା  ଏବଂ ଶେଷରେ ଯଦି ଦ୍ୱିତୀୟ ସନ୍ତାନ ଝିଅ ହୁଏ, ତେବେ ୬ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରୁଛନ୍ତି ସରକାର ।

ସୁକନ୍ୟା ସମୃଦ୍ଧି ଯୋଜନା

ଝିଅମାନଙ୍କ ପାଇଁ ସୁକନ୍ୟା ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଯେଉଁଥିରେ ଝିଅର ପିତାମାତା ତାଙ୍କ ନାମରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବେ । ଯାହା ଝିଅକୁ ୧୦ ବର୍ଷ ହେବା ପର୍ଯ୍ୟନ୍ତ ଏଥିରେ ସଞ୍ଚୟ କରିପାରିବେ ପିତାମାତା । ପରେ ଝିଅକୁ ୨୧ ବର୍ଷ ହେବା ପରେ ଏହି ଆକାଉଣ୍ଟକୁ ବନ୍ଦ କରି ଏଥିରୁ ଟଙ୍କା ଉଠାଇ ପାରିବେ ଅଭିଭାବକ ।  ଏହି ଆକାଉଣ୍ଟରେ ପିତାମାତାମାନେ ଅତି କମରେ ୧୦୦୦ ଟଙ୍କା ଏବଂ ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ । ଏହି ଜମା ରାଶି ଉପରେ ୮.୨ ପ୍ରତିଶତ ସୁଧ ଦିନ୍ତି ସରକାର । ଝିଅଟି ୨୧ ବର୍ଷ ବୟସରେ ପହଞ୍ଚିବା ପରେ ଏହି ସୁଧ ସମେତ ଟଙ୍କା ଉଠାଇ ପାରିବେ ।

ମୁଖ୍ୟମନ୍ତ୍ରୀଙ୍କ କନ୍ୟା ବିବାହ ଯୋଜନା

ବିପିଏଲ୍ ପରିବାରର ଝିଅମାନଙ୍କ ବିବାହ ପାଇଁ ଏହି ଯୋଜନା ଲାଗୁ କରିଛନ୍ତି ସରକାର । ଏହି ଯୋଜନା ଅଧୀନରେ, ଝିଅମାନଙ୍କୁ ବିବାହ ସମୟରେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ୫୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି ସରକାର । ଏହି ରାଶି ସିଧାସଳଖ ଝିଅ କିମ୍ବା ତାଙ୍କ ପିତାମାତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଏ । ଏହି ଯୋଜନା ପାଇଁ ଯୋଗ୍ୟ ପରିବାରଗୁଡ଼ିକର ବାର୍ଷିକ ଆୟ ୬୦ ହଜାର ଟଙ୍କାରୁ କମ୍ ହୋଇଥିବା ଦରକାର ।

ବେଟି ପଢାଓ, ବେଟି ବଚାଓ

ବେଟି ପଢ଼ାଓ, ବେଟି ବଚାଓ ଯୋଜନା ୨୨ ଜାନୁଆରୀ ୨୦୧୫ରେ ଆରମ୍ଭ କରିଥିଲେ ସରକାର । ଝିଅଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏହି ଯୋଜନା ଆରମ୍ଭ କରାଯାଇଥିଲା । ଯାହା ଦ୍ଵାରା ଅଭିଭାବକମାନଙ୍କୁ ପ୍ରେତ୍ସାହିତ କରିବା ସହ, ଝିଅମାନଙ୍କର ଅସ୍ତିତ୍ୱ ସୃଷ୍ଟି ହେବାରେ ସହାୟକ ହେବ । ଏହି ଯୋଜନା ଅଧୀନରେ, ଝିଅମାନଙ୍କ ଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସେମାନଙ୍କୁ ଶୋଷଣରୁ ରକ୍ଷା କରିବା ସହିତ, ସେମାନଙ୍କୁ ଠିକ୍ ଏବଂ ଭୁଲ ବିଷୟରେ ମଧ୍ୟ ସୂଚନା ଦିଆଯାଏ । ଏହି ସମସ୍ତ ଯୋଜନାର ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ସାମାଜିକ ଭାବରେ ସଶକ୍ତ କରିବା ।

ମହିଳା ସମ୍ମାନ ଯୋଜନା

ତେବେ ଏହି ଯୋଜନା କେବଳ ଦିଲ୍ଲୀ ମହିଳାଙ୍କ ପାଇଁ, ଯାହାକୁ ଦିଲ୍ଲୀ ସରକାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାମାନଙ୍କ ପାଇଁ ଆରମ୍ଭ କରିବାକୁ ଯାଉଛନ୍ତି । ଯାହା ଅଧୀନରେ ସରକାର ଯୋଗ୍ୟ ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଦେବେ ।

Comments are closed.