ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିର ରହିଲେ, ରାଜ୍ୟ ଶାନ୍ତିପ୍ରିୟ ହେଲେ ରାଜ୍ୟବାସୀ ସୁଖରେ ଜୀବନଯାପନ କରିବେ । ସାମଗ୍ରିକ ଭାବେ ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣରେ ଥିବାରୁ ରାଜ୍ୟରେ ପୁଞ୍ଜିନିବେଶ ବଢ଼ୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବ୍ୟକ୍ତିଗତ ଭାବେ ପୋଲିସ ପ୍ରଶାସନକୁ ନିର୍ଭୀକ, ନିରପେକ୍ଷ ଏବଂ ଆଇନ ମଧ୍ୟରେ ରହି ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ନହୋଇ ଅପରାଧୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କୌଣସି ଅପରାଧୀଙ୍କୁ ରାଜନୈତିକ ସଂରକ୍ଷଣ ଦିଆଯାଇ ନାହିଁ । ସଠିକ୍ ଭାବେ ଦାୟିତ୍ବ ନିର୍ବାହ, ପ୍ରତିକୂଳ ପରିସ୍ଥିତିରେ କାମ କରିଥିବାରୁ ରାଜ୍ୟ ପୋଲିସକୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମହିଳାଙ୍କ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳାଙ୍କ ସମ୍ମାନ ହାନି ପାଇଁ ଆକ୍ରମଣ ମାମଲା ହେଉଛି ୫ ହଜାର ୯୩୭, ଯାହା ଦେଶରେ ଦ୍ବିତୀୟ ସର୍ବାଧିକ । ମହିଳା ହିଂସା ଘଟଣା କିପରି ନଘଟିବ ସେନେଇ ସରକାର ଯତ୍ନବାନ ଅଛନ୍ତି । ମହିଳା ହିଂସା ଅପରାଧୀଙ୍କୁ କ୍ଷମା କରାଯିବ ନାହିଁ । ଓଡ଼ିଶାରେ ଆଇନ-କାନୁନର ରାଜୁତି ରହିବ, କୌଣସି ରାଜନୈତିକ ଦଳର ନୁହେଁ । ଆମ ସରକାରଙ୍କ ପାଇଁ ଅପରାଧୀର କେବଳ ଗୋଟିଏ ପରିଚୟ ଓ ଗୋଟିଏ ଠିକଣା ଜେଲ୍ର ଚାରିକାନ୍ଥ ।
ଅନ୍ୟପକ୍ଷରେ ପୋଲିସ କିଭଳି ସଶକ୍ତ ହେବ ସେନେଇ ସମସ୍ତ ଖାଲି ପଦବୀ ପୂରଣ କରିବାକୁ ସରକାର ଚେଷ୍ଟା କରୁଛନ୍ତି । ମାଲକାନଗିରି, ଦେବଗଡ଼ ଏବଂ ସୁବର୍ଣ୍ଣପୁର ଜିଲାରେ ସ୍ବତନ୍ତ୍ର ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ପ୍ରତିଷ୍ଠା ପାଇଁ ସରକାର ପ୍ରସ୍ତାବ ଦେଇଛନ୍ତି । ଖୁବ ଶୀଘ୍ର ଏହା ଅନୁମୋଦନ ପ୍ରାପ୍ତ ହେବ । ନୂତନ ଫୌଜଦାରୀ ଆଇନ କାର୍ଯ୍ୟକାରୀ ହେବା ପରେ ୨୦୨୪ ଜୁଲାଇ ୧ରୁ ଭାରତୀୟ ନ୍ୟାୟ ସଂହିତା ଅଧୀନରେ ୩୯ଟି ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୭ ବର୍ଷରୁ ଅଧିକ ଦଣ୍ଡ ବିଧାନ କରାଯାଇ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।