ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ନିଜର ଅସଲ ପାଠପଢ଼ା ଯୋଗ୍ୟତା ଲୁଚାଇବା ଜଣେ ପ୍ରାର୍ଥୀଙ୍କ ପାଇଁ ମହଙ୍ଗା ପଡ଼ିଛି। ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି ଯେ, ଯଦି ଜଣେ ପ୍ରାର୍ଥୀ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଲୁଚାଇ କମ୍ ଯୋଗ୍ୟତା ଥିବା ପଦବୀରେ ଚାକିରି ପାଇଥାନ୍ତି, ତେବେ ତାଙ୍କୁ ଚାକିରିରୁ ବାହାର କରିବା ସମ୍ପୂର୍ଣ୍ଣ ସଠିକ୍। ମିଛ କହି ଚାକିରି ପାଇଥିବା ବ୍ୟକ୍ତିଙ୍କ ପ୍ରତି କୌଣସି ସହାନୁଭୂତି ଦେଖାଯାଇପାରିବ ନାହିଁ।
ଏହି ମାମଲାଟି ତାମିଲନାଡୁର ‘କେ. ପୁଭାରାସନ’ ନାମକ ଜଣେ ବ୍ୟକ୍ତିଙ୍କର। ଏକ ବ୍ୟାଙ୍କରେ ଅସ୍ଥାୟୀ ପିଅନ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ଚାକିରି ପାଇଁ ନିୟମ ଥିଲା ଯେ ଆବେଦନକାରୀ କେବଳ ଅଷ୍ଟମ କିମ୍ବା ଦଶମ ପାସ୍ ହୋଇଥିବା ଦରକାର, ମାତ୍ର ସେ ଦ୍ୱାଦଶ ଶ୍ରେଣୀ କିମ୍ବା ଗ୍ରାଜୁଏସନ୍ ପାସ୍ କରି ନଥିବା ଆବଶ୍ୟକ।
କିନ୍ତୁ ପୁଭାରାସନ ଜଣେ ଗ୍ରାଜୁଏଟ୍ ହୋଇଥିଲେ ମଧ୍ୟ ଏହି ସତ୍ୟକୁ ଲୁଚାଇ ଚାକିରି ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କର ଏହି ମିଛ ବିଷୟରେ ଜାଣିବାକୁ ପାଇଲେ, ସେମାନେ ତାଙ୍କୁ ୨୦୧୮ରେ ଚାକିରିରୁ ବାହାର କରିଦେଇଥିଲେ।
ସୁପ୍ରିମକୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ଯେ, କେତେକ ତଳ ପାହ୍ୟା ସରକାରୀ ଚାକିରିରେ ସର୍ବାଧିକ ଶିକ୍ଷାଗତ ଯୋଗ୍ୟତାର ସୀମା ରଖିବା ସମ୍ପୂର୍ଣ୍ଣ ଉଚିତ୍। ଏହି ନିୟମ ଏଥିପାଇଁ କରାଯାଇଛି ଯେମିତି କମ୍ ପଢ଼ିଥିବା ଗରିବ ଶ୍ରେଣୀର ପିଲାମାନେ ଚାକିରି ସୁଯୋଗ ପାଇପାରିବେ।
ଯଦି ଉଚ୍ଚଶିକ୍ଷିତ ପିଲାମାନେ ନିଜ ଯୋଗ୍ୟତା ଲୁଚାଇ ଏହି ଚାକିରି କରିବେ, ତେବେ ପ୍ରକୃତ ଗରିବ ପିଲାମାନେ ସୁଯୋଗରୁ ବଞ୍ଚିତ ହେବେ। ମିଛ ତଥ୍ୟ ଦେଇ ପାଇଥିବା ଚାକିରିକୁ କୋର୍ଟ କେବେ ବି ସମର୍ଥନ କରିବେ ନାହିଁ।