Latest Odisha News

BREAKING NEWS

ଜିରୋ କାଜୁଆଲିଟି ଲକ୍ଷ୍ୟରେ ସକ୍ରିୟ ସରକାର: ବାତ୍ୟା ମୁକାବିଲା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି, ୪୦ ହଜାର ଲୋକଙ୍କୁ ସ୍ଥାନାନ୍ତର

ପୁରୀ: ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ଏବଂ ପ୍ରତ୍ୟେକ ଜୀବନକୁ ସୁରକ୍ଷିତ ରଖି ‘ଶୂନ୍ୟ ମୃତାହତ’ (Zero Casualty) ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଓ ସକ୍ରିୟ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଟେଲିଫୋନ ଯୋଗେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ସହ ସିଧାସଳଖ କଥା ହୋଇଛନ୍ତି ଏବଂ ଜିଲ୍ଲାର ସାମଗ୍ରିକ ସ୍ଥିତି, ସ୍ଥାନାନ୍ତରଣ ଓ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଛନ୍ତି।

ସମୀକ୍ଷା ସମୟରେ ଜିଲ୍ଲାପାଳ ପରିଡା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ଦ୍ୱାରା ଜିଲ୍ଲାର ବ୍ରହ୍ମଗିରି, କୃଷ୍ଣପ୍ରସାଦ ଏବଂ ପୁରୀ ସଦର ଅଞ୍ଚଳ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖାଯାଇ ସୁରକ୍ଷିତ ସ୍ଥାନାନ୍ତରଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖାଯାଇଛି। ଜିଲ୍ଲାରେ ପ୍ରାୟ ୨୫ ହଜାର ଅସୁରକ୍ଷିତ ବର୍ଗର ଲୋକଙ୍କୁ ଚିହ୍ନଟ କରାଯାଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇସାରିଛି। ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ପାନୀୟ ଜଳ, ରନ୍ଧା ଓ ଶୁଖିଲା ଖାଦ୍ୟ, ଗୋ-ଖାଦ୍ୟ ଏବଂ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରାଯାଇଛି; ଏଥିପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ମଧ୍ୟ ମୁତୟନ ହୋଇଛନ୍ତି।

ମାତୃ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଜିଲ୍ଲାର ଚିହ୍ନଟ ହୋଇଥିବା ୧୧୩ ଜଣ ଗର୍ଭବତୀ ମା’ଙ୍କୁ ସୁରକ୍ଷିତ ଭାବେ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି, ଯାହାଦ୍ୱାରା ଜରୁରୀକାଳୀନ ସ୍ଥିତିରେ ସେମାନଙ୍କୁ ତୁରନ୍ତ ଚିକିତ୍ସା ସେବା ମିଳିପାରିବ। ଅନ୍ୟପଟେ, ପୁରୀରେ ଅବସ୍ଥାନ କରୁଥିବା ହବିଷ୍ୟାଳୀ ମାଆ ମାନଙ୍କ ସୁରକ୍ଷା ଓ ସୁବିଧା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଶେଷ ଭାବେ ପଚାରି ବୁଝିଥିଲେ। ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ, ତିନୋଟି ଯାକ ହବିଷ୍ୟାଳୀ ଶିବିରରେ ସମସ୍ତ ମାଆ ମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି ଏବଂ ସେମାନଙ୍କ ମନରୁ ଭୟ ଦୂର କରିବା ସହ ପ୍ରତ୍ୟେକ ଆବଶ୍ୟକତା ପୂରଣ ପାଇଁ ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ୍ ନିରନ୍ତର ଭାବେ ସେମାନଙ୍କ ସେବାରେ ନିୟୋଜିତ ଅଛି।

ଭକ୍ତ ଓ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହବିଷ୍ୟାଳି ମା ମାନଙ୍କ ଦର୍ଶନକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ଏହାସହ ଶ୍ରୀମନ୍ଦିର ପରିସର ଓ ପରିକ୍ରମା ମାର୍ଗର ସୁରକ୍ଷା ଉପରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଜିଲ୍ଲାପାଳ ଅବଗତ କରାଇଛନ୍ତି ଯେ, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେଠାରେ କଡ଼ା ନଜର ରଖାଯାଇଛି ଏବଂ ସମ୍ଭାବ୍ୟ ବର୍ଷା ଜଳ ଜମାଟ ସମସ୍ୟାର ତୁରନ୍ତ ସମାଧାନ ପାଇଁ ବିଭିନ୍ନ ସ୍ଥାନରେ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ୍ ଓ ବାଲି ବସ୍ତା ମହଜୁଦ ରଖାଯାଇଛି। କୌଣସି ପ୍ରକାର ଗୁଜବକୁ ପ୍ରଶ୍ରୟ ନ ଦେଇ କେବଳ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ସତର୍କ ସୂଚନା ଓ ନିର୍ଦ୍ଦେଶାବଳୀକୁ ଅନୁସରଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.