କଳିଙ୍ଗନଗର ଇସ୍ପାତ ପ୍ଲାଣ୍ଟ ଅଫ୍-ଗ୍ୟାସ୍ରୁ ହାଇଡ୍ରୋଜେନ୍ ଉତ୍ପାଦନ କରିବ ଟାଟା ଷ୍ଟିଲ୍: ୨୦୪୫ ସୁଦ୍ଧା ‘ନେଟ୍ ଜିରୋ’ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ
ଭୁବନେଶ୍ୱର: ଓଡ଼ିଶାର କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍ କାରଖାନାରେ ଇସ୍ପାତ ଉତ୍ପାଦନ ବେଳେ ନିର୍ଗତ ହେଉଥିବା ଅଫ୍-ଗ୍ୟାସ୍ ବ୍ୟବହାର କରି ହାଇଡ୍ରୋଜେନ୍ ଉତ୍ପାଦନ କରାଯିବ। ଆମେରିକାର ହ୍ୟୁଷ୍ଟନସ୍ଥିତ ‘ୟୁଟିଲିଟି ଗ୍ଲୋବାଲ୍’ ସହଭାଗିତାରେ ଟାଟା ଷ୍ଟିଲ୍ ଭାରତରେ ପ୍ରଥମ ଥର ପାଇଁ ଏହି ଅଭିନବ ପ୍ରକଳ୍ପ କାର୍ଯ୍ୟକାରୀ କରିବ। ଟାଟା ଷ୍ଟିଲ୍ ବୋର୍ଡର ଚୂଡ଼ାନ୍ତ ନିବେଶ ନିଷ୍ପତ୍ତି (ଫାଇନାଲ୍ ଇନଭେଷ୍ଟମେଣ୍ଟ ଡିସିସନ୍) ପୂର୍ବରୁ ଉଭୟ ସଂସ୍ଥା ମିଳିତ ଭାବେ ଫ୍ରଣ୍ଟ-ଏଣ୍ଡ ଇଞ୍ଜିନିୟରିଂ ଏବଂ ଫିଜିବିଲିଟି ଷ୍ଟଡିଜ୍ କରିବାକୁ ଯାଉଛନ୍ତି। ୟୁଟିଲିଟି ଗ୍ଲୋବାଲର ସ୍ୱତନ୍ତ୍ର ‘ଏଚ୍ଟୁଜେନ୍’ ଜ୍ଞାନକୌଶଳ ଉପରେ ଆଧାରିତ ଏହି ପ୍ରସ୍ତାବିତ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ଦୈନିକ ୧୦ ଟନ୍ ରହିବ। ଏଥିରେ ଇସ୍ପାତ ନିର୍ମାଣ ପ୍ରକ୍ରିୟାରୁ ବାହାରୁଥିବା ବର୍ଜ୍ୟ ଗ୍ୟାସ୍କୁ ବ୍ୟବହାର କରି ଉଚ୍ଚ-ମାନର ହାଇଡ୍ରୋଜେନ୍ ପ୍ରସ୍ତୁତ କରାଯିବ।
ଏ ସମ୍ପର୍କରେ ମତ ରଖି ଟାଟା ଷ୍ଟିଲର ଭାଇସ୍ ପ୍ରେସିଡେଣ୍ଟ (ଟେକ୍ନୋଲୋଜି, ଆର୍ ଆଣ୍ଡ ଡି, ନ୍ୟୁ ମ୍ୟାଟେରିଆଲ୍ସ ବିଜିନେସ୍ ଏବଂ ଗ୍ରାଫିନ୍) ସୁବୋଧ ପାଣ୍ଡେ କହିଛନ୍ତି, “ଇସ୍ପାତ ଶିଳ୍ପରୁ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା କ୍ଷେତ୍ରରେ କୌଣସି ଜ୍ଞାନକୌଶଳକୁ ସଫଳ କରିବାକୁ ହେଲେ, ତାହା ଏକ କାର୍ଯ୍ୟକ୍ଷମ ଇସ୍ପାତ କାରଖାନାର ସ୍କେଲ୍ ଓ କମ୍ପ୍ଲେକ୍ସିଟି ମଧ୍ୟରେ କାମ କରିବା ଜରୁରୀ। ଏଚ୍ଟୁଜେନ୍ ଭଳି ଜ୍ଞାନକୌଶଳ, ଆମର ପୂର୍ବରୁ ରହିଥିବା ଭିତ୍ତିଭୂମିର ଉପଯୋଗ କରି ପ୍ରଦୂଷଣ ହ୍ରାସ କରିବାର ସୁଯୋଗ ଦେଇଥାଏ। ୟୁଟିଲିଟି ଗ୍ଲୋବାଲ୍ ସହ ଆମର ଏହି ସହଭାଗିତା ପରିବେଶ ଅନୁକୂଳ ଇସ୍ପାତ ଉତ୍ପାଦନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।”
ଉଲ୍ଲେଖଯୋଗ୍ୟ ଯେ, ୟୁଟିଲିଟି ଗ୍ଲୋବାଲ୍ ଏକ ଇଲେକ୍ଟ୍ରୋକେମିକାଲ୍ ପ୍ରକ୍ରିୟା ବିକଶିତ କରିଛି, ଯାହା କାର୍ବନ ମନୋକ୍ସାଇଡ୍ ଯୁକ୍ତ ଇସ୍ପାତ ପ୍ଲାଣ୍ଟ ଗ୍ୟାସ୍ରୁ ଶୁଦ୍ଧ ହାଇଡ୍ରୋଜେନ୍ ଉତ୍ପାଦନ କରିପାରେ। ପୂର୍ବରୁ କାନାଡ଼ାର ଏକ ଇସ୍ପାତ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ୍ ଗ୍ୟାସ୍ ବ୍ୟବହାର କରି ଏହି ଜ୍ଞାନକୌଶଳର ସଫଳ ପରୀକ୍ଷଣ କରାଯାଇସାରିଛି। ବର୍ତ୍ତମାନର ଅଧ୍ୟୟନ ଓ ଚୂଡ଼ାନ୍ତ ନିବେଶ ନିଷ୍ପତ୍ତି ସଫଳ ହେବା ପରେ କଳିଙ୍ଗନଗରଠାରେ ଏହି ପ୍ଲାଣ୍ଟ ସ୍ଥାପନ ଏବଂ କାର୍ଯ୍ୟକ୍ଷମ କରାଯିବ।
୨୦୪୫ ସୁଦ୍ଧା ‘ନେଟ୍ ଜିରୋ’ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ କରିବା ପାଇଁ ଟାଟା ଷ୍ଟିଲ୍ ଅନେକ ପଦକ୍ଷେପ ନେଉଛି। ପୂର୍ବରୁ କମ୍ପାନୀ ଏହାର ବ୍ଲାଷ୍ଟ ଫର୍ଣ୍ଣେସ୍ରେ କୋଲ୍ ବେଡ୍ ମିଥେନ୍, ହାଇଡ୍ରୋଜେନ୍ ଏବଂ ବାୟୋଚାର୍ ପ୍ରୟୋଗର ସଫଳ ପରୀକ୍ଷଣ କରିଛି। ଏହାଛଡ଼ା ୨୦୨୧ରେ ଜାମସେଦପୁରଠାରେ ବ୍ଲାଷ୍ଟ ଫର୍ଣ୍ଣେସ୍ ଗ୍ୟାସ୍ରୁ ଅଙ୍ଗାରକାମ୍ଳ ସଂଗ୍ରହ ପାଇଁ ଭାରତର ପ୍ରଥମ ପ୍ଲାଣ୍ଟ ସ୍ଥାପନ କରାଯାଇଥିଲା। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ଟାଟା ଷ୍ଟିଲ୍ ଓଡ଼ିଶାର ମେରାମଣ୍ଡଳୀ କାରଖାନାରେ ଭାରତୀୟ ଇସ୍ପାତ ଶିଳ୍ପର ପ୍ରଥମ ‘କୋକ୍ ଓଭନ୍ ଗ୍ୟାସ୍ ଇଞ୍ଜେକ୍ସନ୍’ ପ୍ରକଳ୍ପର ଶୁଭାରମ୍ଭ କରିଥିଲା।
