Latest Odisha News

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତୀ ବେହେରା

ଭୁବନେଶ୍ୱର: ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ଦାୟିତ୍ୱରୁ ହଟାଇ ଦେଇଛନ୍ତି ମୋହନ ସରକାର । ତାଙ୍କ ସହ ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ପଦରୁ ହଟାଇ ଦେଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମିନତୀ ବେହେରା ଓ ଅନ୍ୟ ୪ଜଣ ସଦସ୍ୟା ବବିତା ସ୍ୱାଇଁ, ସୁଜାତା ଦିଗଲ, ସ୍ବର୍ଣ୍ଣଲତା ସାମଲ ଓ ବିଜୟା ବରୱାଙ୍କୁ ତତ୍କାଳ ପ୍ରଭାବରୁ ହଟାଇ ଦିଆଯାଇଛି ।

ଏନେଇ ଖୁବଶୀଘ୍ର ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ ।

ଏହା ସହିତ ରାଜ୍ୟରେ ମହିଳା ଆୟୋଗର ନୂଆ ଅଧ୍ୟକ୍ଷା ଓ ସଦସ୍ୟା ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି ।

ଖବର ଅନୁସାରେ, ବିଜେଡି ନେତ୍ରୀ ମିନତୀ ବେହେରାଙ୍କୁ ୨୦୨୨ ଅକ୍ଟୋବର ମାସରେ ଦ୍ୱିତୀୟ ଥର ପାଇଁ ଅଧ୍ୟକ୍ଷା ଭାବେ ଥଇଥାନ କରାଯାଇଥିବାବେଳେ, ୨୦୨୩ ଏପ୍ରିଲ ମାସରେ ଅନ୍ୟ ୪ ଜଣ ବିଜେଡି ନେତ୍ରୀଙ୍କୁ ଆୟୋଗର ସଦସ୍ୟା ଭାବେ ଅବସ୍ଥାପିତ କରାଯାଇଥିଲା ।

Leave A Reply

Your email address will not be published.