Latest Odisha News

BREAKING NEWS

ବଜେଟ୍ ଅଧିବେଶନ: ରାଜ୍ୟ ସରକାରଙ୍କ ଉପଲବ୍ଧି ଉପସ୍ଥାପନା କଲେ ରାଜ୍ୟପାଳ 

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ଆରମ୍ଭରୁ ହିଁ ବେଶ୍ ସରଗରମ ହୋଇଛି ଗୃହ। ଅଧିବେସନର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କର କେଉଁ କେଉଁ କ୍ଷେତ୍ରରେ କଣ କଣ ଉପଲବ୍ଧି ରହିଛି ତାକୁ ବାଖାଣିଥିଲେ ରାଜ୍ୟପାଳ ରଘୁବର ଦାସ।

ବିଧାନସଭା ଭିତରେ ପ୍ରବେଶ ପୂର୍ବରୁ ପ୍ରଥମେ ରାଜ୍ୟପାଳ ରଘୁବର ଦାସଙ୍କୁ ଗାର୍ଡ ଅର୍ଫ ଅନର ଦିଆଯାଇଥିଲା । ପରେ ରାଜ୍ୟପାଳ ବିଧାନସଭା ଭିତରେ ଦିବଂଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିସହ ସହିଦ ଯବାନମାନଙ୍କୁ ମଧ୍ୟ ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ନିଜର ଅଭିଭାଷଣରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ବିଧାନସଭାରେ ରଖିଛନ୍ତି ।

ପ୍ରଥମେ ଶ୍ରୀମନ୍ଦିରର ନବୀକରଣ ତଥା ପୁରୀ ପରିକ୍ରମା ପ୍ରକଳ୍ପର ପ୍ରଶଂସା କରିଛନ୍ତି । ଏହି ପ୍ରକଳ୍ପ ୮ଶହ କୋଟିରେ ନିର୍ମାଣ ହୋଇଛି ଯାହା ଶ୍ରଦ୍ଧାଳୁଙ୍କୁ ସୁବିଧା ଦେବ ବୋଲି କହିଥିଲେ ରଘୁବର। ଏହି ପ୍ରକଳ୍ପ ନା କେବଳ ଶ୍ରଦ୍ଧାଳୁଙ୍କୁ ଅତ୍ୟାଧୁନିକ ସୁବିଧା ଦେବ ବରଂ ଶ୍ରୀମନ୍ଦିର ସୁରକ୍ଷାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ । ଲୋକଙ୍କୁ ସୁବିଧାରେ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଆରମ୍ଭ ହୋଇଥିବା ରାଜ୍ୟପାଳ କହିଛନ୍ତି । ପରିକ୍ରମା ପ୍ରକଳ୍ପ ପରେ ପରେ ନିକଟ ଅତୀତରେ ଉଦଘାଟିତ ହୋଇଥିବା ସମଲେଇ ପ୍ରକଳ୍ପ, ନୂଆ-ଓ କାର୍ଯ୍ୟକ୍ରମ ଓ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ସେହିପରି ରାଜ୍ୟପାଳ କହିଛନ୍ତି ଯେ ବଲାଙ୍ଗିର ଜିଲ୍ଲାରେ ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ହୋଇଛି । ଅନେକ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଯୋଜନା ଆରମ୍ଭ ହୋଇଛି ।

ଏହାଛଡ଼ା ସେ କହିଛନ୍ତି ଯେ ୨୦୨୨-୨୩ରେ ୬.୦୩ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯାଇଛି । ୧୧୩.୭୬ ରାସନକାର୍ଡଧାରୀଙ୍କୁ ୪ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ଦିଆଯାଇଛି । ୪୩.୮୮ ଲକ୍ଷ କ୍ଷୁଦ୍ର ଓ ୧୮.୯୩ ଲକ୍ଷ ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ଦିଆଯାଇଛି ।

ବଜେଟ୍ ଅଧିବେଶନର ପ୍ରଥମ ଦିନରେ 5-ଟି ଓ ମୋ ସରକାର ରୂପାନ୍ତରିତ ପ୍ରଶାସନିକ ବ୍ୟବସ୍ଥାର ନୂତନ ଯୁଗ ବୋଲି ରାଜ୍ୟପାଳ କହିଛନ୍ତି ।

ରାଜ୍ୟର ୪୦ ପ୍ରତିଶତ ଅଂଶଧନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚାଲିଛି । ୨୦୧୪-୧୫ରୁ ଏଯାଏଁ ୩୪.୨୫ ଲକ୍ଷ ଲକ୍ଷ ପକ୍କା ଘର ନିର୍ମାଣ ହୋଇଛି ବୋଲି ରାଜ୍ୟପାଳ କହିଛନ୍ତି । ଯେତେବେଳେ ସାଧାରଣ ଲୋକଙ୍କ କଥା ଆସୁଛି ସେହି ସମୟରେ ରଘୁବର ଦାସ କହିଛନ୍ତି ଯେ ଦୁର୍ବଳ ଓ ଆପଦଗ୍ରସ୍ତ ପରିବାରକୁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମିଳୁଛି । ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ମାସିକ ୩୫ କେଜି ଚାଉଳ ମାଗଣା ମିଳୁଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପରିବାରକୁ ରାଜ୍ୟ ସରକାର ଚାଉଳ ଦେଉଛନ୍ତି । ୩.୧୫ ଲକ୍ଷ ପରିବାରର ୯.୯୭ ଲକ୍ଷ ଲୋକଙ୍କୁ ରାଜ୍ୟ ଚାଉଳ ଦେଉଛି । ୧୭.୧୧ ଲକ୍ଷ ଚାଷୀଙ୍କ ଠାରୁ ୭୯.୧୬ ଲକ୍ଷ ଟନ ଧାନ ସଂଗ୍ରହ ହୋଇଛି ।

ଚଳିତ ବର୍ଷ ଶେଷ ସୁଦ୍ଧା ସହରାଞ୍ଚଳଗୁଡ଼ିକ ବସ୍ତିମୁକ୍ତ ହେବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ରଘୁବର। 5-t ଅଧୀନରେ ୩୪୧୧ କୋଟି ଖର୍ଚ୍ଚରେ ୬୮୭୨ଟି ହାଇସ୍କୁଲର ରୂପାନ୍ତରଣ ହୋଇଛି । କୋରାପୁଟ ଜିଲ୍ଲା କୋଟିଆରେ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ କରାଯାଇଛି । ମିଶନ ଶକ୍ତି ଋଣ ଯୋଜନାରେ ବିନା ସୁଧରେ ୫ ଲକ୍ଷ ଯାଏଁ ଋଣ ମିଳୁଛି ବୋଲି ରାଜ୍ୟପାଳ ବାଖାଣିଛନ୍ତି । ଏହା ସହ ରାଜ୍ୟବାସୀଙ୍କୁ ବିଭିନ୍ନ ଭତ୍ତା ଯୋଗାଇ ଦିଆଯାଉଥିବା କଥାକୁ ମଧ୍ୟ ଉପସ୍ଥାପନା କରି ସରକାରଙ୍କ ଉପଲବ୍ଧି ଉପରେ ଆଲୋକପାତ କରିଛନ୍ତି ରାଜ୍ୟପାଳ।

Leave A Reply

Your email address will not be published.