ଭୁବନେଶ୍ଵର: ରାଜ୍ୟ ପରୀକ୍ଷା ବ୍ୟବସ୍ଥାକୁ ନେଇ କଠୋର ହୋଇଛନ୍ତି ରାଜୟ ସରକାର। ପରୀକ୍ଷାରେ ଗଫଲତି ରୋକିବାକୁ ଆଣିଛନ୍ତି ନୂଆ ବିଲ୍। ଆଜି ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ବିଧାନସଭାରେ ପାରିତ ହୋଇଛି। ନୂଆ ବିଲ୍ରେ ପରୀକ୍ଷାରେ ହେରଫେର କରୁଥିବା ବ୍ୟକ୍ତି ବିଶେଷ ଅବା ସରକାରୀ ଅଧିକାରୀଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି।
ଯଦି କୌଣସି ବ୍ୟକ୍ତି ବା ଅଧିକାରୀ ଏହି ଅଧିନିୟମ ଅଧୀନରେ ନିଯୁକ୍ତି ପରୀକ୍ଷାରେ ହେରଫେର୍ କରନ୍ତି ତେବେ ଅତି କମରେ ତିନି ବର୍ଷରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାରେ ଦଣ୍ଡିତ ହେବେ। ଜରିମାନା ପ୍ରଦାନରେ ଖିଲାପ କଲେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ ଅନୁଯାୟୀ ଅତିରିକ୍ତ ଜାମିନ ବିହୀନ କାରାଦଣ୍ଡରେ ମଧ୍ୟ ଦଣ୍ଡିତ କରାଯିବ। ଏଭଳି ମାମଲାରେ କୌଣସି ପ୍ରକାର ସମାଧାନ କରାଯିବ ନାହିଁ।
ଅନ୍ୟପକ୍ଷରେ ସେବା ଯୋଗାଣକାରୀ ଅନୁଷ୍ଠାନ ଦୋଷୀ ସାବ୍ୟସ୍ତ ହେଲେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାରେ ଦଣ୍ଡିତ ହେବେ। ଏହା ସହିତ ସେବା ଯୋଗାଣକାରୀ ସଂସ୍ଥାଠାରୁ ପରୀକ୍ଷା ଖର୍ଚ୍ଚ ମଧ୍ୟ ଆଦାୟ ସହିତ ଚାରି ବର୍ଷ ପର୍ଯ୍ୟନ୍ତ କୌଣସି ସାର୍ବଜନୀନ ପରୀକ୍ଷା ପରିଚାଳନା ପାଇଁ ସ୍ଵୀକୃତି ମିଳିବ ନାହିଁ। ଯଦି କୌଣସି ଅନୁଷ୍ଠାନ ଏପରି ଅପରାଧ କରିବାରେ ସମ୍ପୃକ୍ତ ଥିବେ,ତେବେ ଉକ୍ତ ଅନୁଷ୍ଠାନର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରାଯାଇ ବାଜ୍ୟାପ୍ତ କରାଯିବ। ଏବଂ ସେଥିରୁ ପରୀକ୍ଷା ଖର୍ଚ୍ଚ ଭରଣା କରାଯିବ।
ଅନୁସନ୍ଧାନ ସମୟରେ କୌଣସି ନିର୍ଦ୍ଦେଶକ, ବରିଷ୍ଠ ପରିଚାଳନା କିମ୍ବା ସେବା ଯୋଗାଣକାରୀ ସଂସ୍ଥାର ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ସହମତି କିମ୍ବା ସହଯୋଗରେ ଅପରାଧ ଘଟିଥିବା ଜଣାପଡିଲେ ସମ୍ପୃକ୍ତ ଅଧିକାରୀଙ୍କୁ ଅତି କମରେ ୩-୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ଏକ କୋଟି ଟଙ୍କା ଜରିମାନା ହେବ। ଜରିମାନା ଏହି ମାମଲାର ତଦନ୍ତ ଜଣେ ଡିଏସପି ବା ଏସିପି ପଦବୀରେ ଥିବା ଅଧିକାରୀ କରିବେ।
Comments are closed.