Latest Odisha News

BREAKING NEWS

ଆଇଏସ୍ ଅଫିସରଙ୍କ ପାଇଁ ଅଟୋ ଡ୍ରାଇଭର ପାଲଟିଲେ ଡାକ୍ତର !

କର୍ଣ୍ଣାଟକ: ପଢିଛନ୍ତି ଡାକ୍ତରୀ ପାଠ । ପେଶା ବି ଥିଲା ଡାକ୍ତର । ହେଲେ ଏବେ ଅଟୋ ଡ୍ରାଇଭର । ଖାସ ଜଣେ ଆଇଏସ୍ ଅଫିସରଙ୍କ ପାଇଁ । ଏହି ସମସ୍ତ ଧାଡି ପଢିବାକୁ ଅଖାଡୁଆ ଲାଗୁଥିବ । ହେଲେ ଘଟଣା ଭିତରରେ ରହସ୍ୟ ଜାଣିଲେ ଆପଣ ବି ତାଜୁବ ହୋଇଯିବେ ।

୫୩ ବର୍ଷୀିୟ ଡାକ୍ତର ରବିନ୍ଦ୍ରନାଥ । ନିଲମ୍ବିତ ହେବା ପରେ ୧୫ମାସ ହେଲାଣି ଦରମା ମିଳିନି । ଏବେ ପେଟ ପୋଷିବା ପାଇଁ ଅଟୋ ଚଳାଉଛନ୍ତି । କର୍ଣ୍ଣାଟକ ବଲ୍ଲାରୀ ଜିଲ୍ଲାର ଶିଶୁ କଲ୍ୟାଣ ବିଭାଗରେ ସେ ୨୪ ବର୍ଷ ଧରି କାର୍ଯ୍ୟରତ ଥିଲେ । ହେଲେ ନିଲମ୍ବିତ ହେବା ପରେ ସେ ଏବେ ଦେବାଙ୍ଗିରୀ ଜିଲ୍ଲାରେ ଅଟୋ ଚଳାଉଛନ୍ତି ।

ବଲ୍ଲାରୀରେ ଜଣେ ଆଇଏସ୍ ଅଫିସର ନିଜ ସାଙ୍ଗକୁ ଚାକିରୀ ଦେବାପାଇଁ ରବିନ୍ଦ୍ରନାଥଙ୍କ ଉପରେ ଚାପ ପକାଇଥିଲେ । ହେଲେ ନିୟମ ବିରୁଦ୍ଧରେ ଯାଇ କାହାକୁ ବି ଚାକିରୀ ଦେବାକୁ ସେ ରୋକ୍‌ଠୋକ୍ ମନା କରିଥିଲେ । ଯାହା ପରେ ଆରମ୍ଭ ହୋଇଥିଲା ଷଡଯନ୍ତ୍ର ।

ଟେଣ୍ଡର ପକାଇବାରେ ତ୍ରୁଟି ବାହାର କରି ଡାକ୍ତର ବାବୁଙ୍କୁ ୨୦୧୯, ଜୁନ୍‌୬ରେ ନିଲମ୍ବିତ କରାଯାଇଥିଲା । ଭୁଲ ଅନ୍ୟଜଣେ କରିଥିଲେ ବି ରବିନ୍ଦ୍ରନାଥଙ୍କ ମୁଣ୍ଡରେ ଅଠା ବୋଳାହୋଇଥିଲା । ହେଲେ ଏ ନେଇ ସେ କୋର୍ଟରେ ବିରୋଧ କରିବା ପରେ ପୁନର୍ବାର ତାଙ୍କୁ ଚାକିରୀରେ ଜଏନ କରିବାକୁ କୁହାଯାଇଥିଲା ।

ତେବେ ଏକ ଛୋଟ ତାଲୁକାରେ ତଥା ପାହ୍ୟାକୁ ଅବନ୍ନତି କରାଯାଇ ଚାକିରୀରେ ଯୋଗଦେବାକୁ ତାଙ୍କୁ ନିର୍ଦ୍ଦେଶ ମିଳିଥିଲା । ସେ ପୁନର୍ବାର ଅଭିଯୋଗ କରିବା ପରେ ରାୟ ତାଙ୍କ ସପକ୍ଷରେ ଆସିଥିଲା । ବଲ୍ଲାରୀ ଜିଲ୍ଲା ହସ୍ପିଟାଲରେ ତାଙ୍କୁ ଯୋଗଦେବାକୁ କୁହାଯାଇଥିଲା । ହେଲେ ସେବେଠୁ ଉଚ୍ଚ ପ୍ରଶାସନିକ ଅଧିକାରୀମାନେ ଡାକ୍ତର ରବିନ୍ଦ୍ରଙ୍କୁ କାଗଜପତ୍ରରେ ଅଟକାଇ ରଖିଛନ୍ତି ।

ଏବେ ବି ରବିନ୍ଦ୍ରଙ୍କୁ ପୋଷ୍ଟିଂ ମିଳିନାହିଁ । ଅନ୍ୟପଟେ ଅଭିଯୋଗ କରିବା ପରେ ତାଙ୍କୁ ତାଲୁକାରେ ଜଏନ କରିବାକୁ କୁହାଯାଇଛି । ବାରମ୍ବାର କୋର୍ଟରେ ଦ୍ୱାରସ୍ତ ହେବା ପରେ ସେପ୍ଟେମ୍ବର ୧୧ରେ ତାଙ୍କ ମାମଲାର ପୁନର୍ବାର ଶୁଣାଣୀ ହେବ ।

Leave A Reply

Your email address will not be published.