Latest Odisha News

କେନ୍ଦ୍ର ସରକାରଙ୍କ ଦ୍ୱାରା ଜୁଲାଇ ୧ ତାରିଖକୁ ‘ଜିଏସଟି ଦିବସ’ଭାବେ ପାଳନ

ନୂଆଦିଲ୍ଲୀ : ଜୁଲାଇ ୧କୁ ଭାରତ ସରକାର ବସ୍ତୁ ଏବଂ ସେବା କର (ଜିଏସଟି)ର ପ୍ରଥମ ବର୍ଷପୂର୍ତ୍ତି ନୂଆଦିଲ୍ଲୀଠାରେ ପାଳନ କରିବାକୁ ଯାଉଛନ୍ତି । ୨୦୧୭ ଜୁନ ୩୦ ତାରିଖ ମଧ୍ୟ ରାତ୍ରରେ ସଂସଦର କେନ୍ଦ୍ରୀୟ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧ ଜୁଲାଇ, ୨୦୧୭ ଦିନର ଆରମ୍ଭରୁ ଜିଏସଟିର ପ୍ରଚଳନ କରାଯାଇଥିଲା । ପ୍ରଥମ ବର୍ଷ ବେଶ୍ ଉଲ୍ଲେଖନୀୟ ଥିଲା । ଏହାର କାର୍ଯ୍ୟକାରୀତାରେ ବିଭିନ୍ନ ପ୍ରକାରର ଆହ୍ୱାନ ଦେଖିବାକୁ ମିଳିଥିଲା । ଏହାସତ୍ତେ୍ୱ ନୀତି ନିର୍ଦ୍ଧାରକ ଏବଂ ଟିକସ ପ୍ରଶାସକମାନଙ୍କ ଦୃଢ଼ ଇଚ୍ଛାଶକ୍ତି ଏବଂ ସାମର୍ଥ୍ୟ ଏହି ଆହ୍ୱାନଗୁଡ଼ିକର ସଫଳତାପୂର୍ବକ ମୁକାବିଲା କରିବାରେ ସହାୟକ ହୋଇପାରିଛି ବୋଲି କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଜଣାଇଛନ୍ତି ।

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜୁଲାଇ ପହିଲା, ୨୦୧୮କୁ ‘ଜିଏସଟି ଦିବସ’ ଭାବେ ପାଳନ କରାଯିବ ବୋଲି ସ୍ଥିର କରାଯାଇଛି । ଜୁଲାଇ ଏକ ତାରିଖ ଦିନ ନୂଆଦିଲ୍ଲୀରେ କେନ୍ଦ୍ର ରେଳବାଇ, କୋଇଲା ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀ ପୀୟୂଶ ଗୋଏଲ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବେ ଏବଂ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶିବ ପ୍ରତାପ ଶୁକ୍ଳା ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ।

ଜିଏସଟି ଲାଗୁ କରିବା ଲାଗି ସମ୍ବିଧାନ ସଂଶୋଧନ ପୂର୍ବରୁ ହୋଇଥିବା ଆଲୋଚନାରେ କେତେକ ଜଟିଳ ପ୍ରସଙ୍ଗ ଆସିଥିଲା ଯାହା କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମାଧାନ ଏବଂ ଚୁକ୍ତି ଆବଶ୍ୟକ କରୁଥିଲା । ଜିଏସଟି ଭଳି ଏକ ବ୍ୟାପକ ଟିକସ ସଂସ୍କାର ଭାରତ ଭଳି ଏକ ବିବିଧତାପୂର୍ଣ୍ଣ ଦେଶରେ ଲାଗୁ କରିବା ପାଇଁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବାର ଆବଶ୍ୟକତା ରହିଥିଲା । ଏପରି କେତେକ ପ୍ରସଙ୍ଗ ମଧ୍ୟରେ ରହିଥିଲା ମୂଳ ଏବଂ ଲକ୍ଷ୍ୟ ଆଧାରିତ ଟିକସ ବ୍ୟବସ୍ଥା, ଟିକସ ଦର ଏବଂ କ୍ଷତିପୂରଣ, ବିବାଦ ସମାଧାନ, ଆଲକୋହଲ ଏବଂ ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟି ଅଧୀନକୁ ଆଣିବା ଆଦି । ଏସବୁ ମାମଲାର ସମାଧାନ ଲାଗି କିଛି ସମୟ ଲାଗିଥିଲା ଏବଂ ଶେଷରେ ସମ୍ବିଧାନ ସଂଶୋଧନ (୧୨୨ତମ ସଂଶୋଧନ) ବିଲ, ୨୦୧୪ ୧୯ ଡିସେମବର, ୨୦୧୪ରେ ସଂସଦରେ ଆଗତ କରାଯାଇଥିଲା ଏବଂ ଏହା ସମ୍ବିଧାନିକ ଆଇନ (୧୦୧ତମ ସଂଶୋଧନ), ୨୦୧୬ ଭାବେ ୨୦୧୬ ସେପ୍ଟେମ୍ବର ୧୬ ତାରିଖରେ ଲାଗୁ ହୋଇଥିଲା ।

୪ଟି ଆଇନ – ସିଜିଏସଟି ଆଇନ, ୟୁଟିଜିଏସଟି ଆଇନ, ଆଇଜିଏସଟି ଆଇନ ଏବଂ ଜିଏସଟି (ରାଜ୍ୟଗୁଡ଼ିକୁ କ୍ଷତିପୂରଣ) ଆଇନ ସଂସଦରେ ପାରିତ ହୋଇଛି । ଏହା ୧୨ ଏପ୍ରିଲ, ୨୦୧୭ରେ ବିଜ୍ଞପିତ ହୋଇଥିଲା । ସମସ୍ତ ରାଜ୍ୟ (କେବଳ ଜମ୍ମୁ ଏବଂ କାଶ୍ମୀରକୁ ଛାଡ଼ିଦେଲେ) ଏବଂ ବିଧାନସଭା ଥିବା କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ସେମାନଙ୍କ ଏସଜିଏସଟି ଆଇନ ପାରିତ କରିଛନ୍ତି । ଭାରତର ଅର୍ଥନୈତିକ ଏକତ୍ରୀକରଣ ୨୨ ଜୁଲାଇ, ୨୦୧୭ରେ ଶେଷ ହୋଇଥିଲା, ଯେତେବେଳେ ଜମ୍ମୁକଶ୍ମୀର ଏସଜିଏସଟି ଆଇନ ପାରିତ କରିଥିଲା ଏବଂ କେନ୍ଦ୍ର ସରକାର ମଧ୍ୟ ଜମ୍ମୁକଶ୍ମୀରକୁ ସିଜିଏସଟି ଆଇନ ସମ୍ପ୍ରସାରିତ କରିଥିଲେ । ୨୨ ଜୁନ ୨୦୧୭ରେ ଜିଏସଟିର ପ୍ରଥମ ବିଜ୍ଞପ୍ତି ଜାରି କରାଯାଇଥିଲା ଏବଂ ଜିଏସଟିର କେତେକ ଦିଗ ବିଜ୍ଞପିତ କରାଯାଇଥିଲା । ସେବେଠାରୁ, ସିଜିଏସଟି ଆଇନ ଅଧୀନରେ ୧୦୩ଟି ବିଜ୍ଞପ୍ତି ଜାରି କରାଯାଇଛି, ଏଥିରେ ଜିଏସଟିର କେତେକ ଧାରା, ବିଜ୍ଞପିତ ଆଇନ, ଆଇନରେ ସଂଶୋଧନ ଏବଂ ଜୋରିମାନ ଲାଗୁ ଆଦି ରହିଛି । ଆଇଜିଏସଟି ଆଇନ, ୟୁଟିଜିଏସଟି ଆଇନ ଏବଂ ଜିଏସଟି (ରାଜ୍ୟଗୁଡ଼ିକୁ କ୍ଷତିପୂରଣ) ଆଇନ ଅଧୀନରେ ଯଥାକ୍ରମେ ୧୩, ୨୮ ଏବଂ ଗୋଟିଏ ବିଜ୍ଞପ୍ତି ଜାରି ହୋଇଛି । ଆହୁରି ସିଜିଏସଟି ଆଇନ, ଆଇଜିଏସଟି ଆଇନ, ୟୁଟିଜିଏସଟି ଆଇନ ଏବଂ ଜିଏସଟି (ରାଜ୍ୟଗୁଡ଼ିକୁ କ୍ଷତିପୂରଣ) ଆଇନ ଅଧୀନରେ ଯଥାକ୍ରମେ ୫୯, ୬୩, ୫୯ ଏବଂ ୮ଟି ଦର ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି । ଏସଜିଏସଟି ଆଇନ ଅଧୀନରେ ରାଜ୍ୟଗୁଡ଼ିକ ଦ୍ୱାରା ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ବ୍ୟତୀତ, ୫୩ ସର୍କୁଲାର ଏବଂ ୧୪ଟି ନିର୍ଦ୍ଦେଶନାମା ମଧ୍ୟ ସିବିଆଇସି ଦ୍ୱାରା ବିଭିନ୍ନ ପ୍ରସଙ୍ଗ ଯେପରିକି ଉପଯୁକ୍ତ ଅଧିକାରୀ, ରପ୍ତାନୀ ସୁଗମତା, ଏବଂ ବିଭିନ୍ନ ଫର୍ମ ପୂରଣ ପାଇଁ ଶେଷ ତାରିଖ ସମ୍ପ୍ରସାରଣ କରିବା ଆଦି କ୍ଷେତ୍ରରେ ଜାରି କରାଯାଇଛି ।

ଅଭିନବ ସଂଘୀୟ ଢାଞ୍ଚା କାରଣରୁ ଭାରତ ଦ୍ୱୈତ ଜିଏସଟି ମଡେଲ ଗ୍ରହଣ କରିଛି । ଏହି ମଡେଲ ଅଧୀନରେ ଗୋଟିଏ ଆଧାରରେ କେନ୍ଦ୍ର ଏବଂ ରାଜ୍ୟ ସରକାର ସମାନ୍ତରାଳ ଭାବେ ବସ୍ତୁ ଏବଂ ସେବା ଉପରେ ଟିକସ ଆଦାୟ କରୁଛନ୍ତି । କେନ୍ଦ୍ର ଦ୍ୱାରା ଲାଗୁ ହେଉଥିବା ଜିଏସଟି କେନ୍ଦ୍ରୀୟ ଜିଏସଟି (ସେଂଟ୍ରାଲ ଟ୍ୟାକ୍ସ/ସିଜିଏସଟି) ଭାବେ ପରିଗଣିତ ହେଉଥିବା ବେଳେ ରାଜ୍ୟଗୁଡ଼ିକ ଦ୍ୱାରା ଲାଗୁ ହେଉଥିବା ଜିଏସଟି ରାଜ୍ୟ ଜିଏସଟି (ରାଜ୍ୟ ଟିକସ/ଏସଜିଏସଟି) ଭାବେ ବିବେଚିତ ହେଉଛି । ବିଧାନସଭା ନଥିବା କେନ୍ଦ୍ର ଶାସିତ ଅଂଚଳରେ ରାଜ୍ୟ ଜିଏସଟି (ରାଜ୍ୟ ଟିକସ/ଏସଜିଏସଟି)କୁ ୟୁଟିଜିଏସଟି (କେନ୍ଦ୍ର ଶାସିତ ପ୍ରଦେଶ ଟିକସ) କୁହାଯାଉଛି । ସିଜିଏସଟି ଏବଂ ଏସଜିଏସଟି/ୟୁଟିଜିଏସଟି ସମସ୍ତ ଟିକସଯୁକ୍ତ ଗୋଟିଏ ରାଜ୍ୟଭିତରେ ଯୋଗାଣ ଉପରେ ଲାଗୁ ହେଉଛି । ଆନ୍ତଃରାଜ୍ୟ ବା ଗୋଟିଏରୁ ଅନ୍ୟ ରାଜ୍ୟ ମଧ୍ୟରେ ବସ୍ତୁ ଓ ସେବାର ଯୋଗାଣ ଉପରେ ସମନ୍ୱିତ ଜିଏସଟି (ସମନ୍ୱିତ ଟିକସ/ଆଇଜିଏସଟି) ଲାଗୁ ହେଉଛି । ଭାଟ କ୍ଷେତ୍ରରେ ଆଇଜିଏସଟି ମଡେଲର ଭାରତରେ ଅଭିନବ ଯୋଗଦାନ ରହିଛି । ସମସ୍ତ ଆନ୍ତଃରାଜ୍ୟ ବସ୍ତୁ କିମ୍ବା ସେବା ଅଥବା ଏ ଦୁଇଟିର ଯୋଗାଣ ଉପରେ କେନ୍ଦ୍ର ସରକାର ଆଇଜିଏସଟି (ସମନ୍ୱିତ ବସ୍ତୁ ଏବଂ ସେବା ଟିକସ) ଲାଗୁ କରିବେ ଯାହା ସିଜିଏସଟି ଏବଂ ଏସଜିଏସଟି ସହିତ ଲାଗୁ ହେବ ।

କେନ୍ଦ୍ର ସରକାରଙ୍କ କହିବାନୁଯାୟୀ ଜିଏସଟି ଅର୍ଥବ୍ୟବସ୍ଥାକୁ ବହୁଗୁଣରେ ପ୍ରଭାବିତ କରିବ । ରପ୍ତାନୀକାରୀ, କ୍ଷୁଦ୍ର ବ୍ୟବସାୟୀ ଏବଂ ଉଦ୍ୟୋଗୀ, କୃଷି ଏବଂ ଶିଳ୍ପ ସାଧାରଣ ଉପଭୋକ୍ତାଙ୍କୁ ଏହା ଲାଭ ପହଁଚାଇବ । ଜିଏସଟି ଭାରତରେ ‘ବ୍ୟବସାୟିକ ସୁଗମତା’ରେ ସୁଧାରଣ ଆଣିବା ସହ ‘ମେକ ଇନ ଇଣ୍ଡିଆ’କୁ ପ୍ରୋତ୍ସାହିତ କରିସାରିଛି । ଜିଏସଟି ଅଧୀନରେ ସଂଖ୍ୟାଧିକ ଟିକସକୁ ସମ୍ମିଳିତ କରି ପରୋକ୍ଷ ଟିକସର ଏକ ସମାନ ପ୍ରଣାଳୀ ମାଧ୍ୟମରେ ଭାରତକୁ ଏକ ଅର୍ଥନୈତିକ ଗୋଷ୍ଠୀରେ ପରିଣତ କରିପାରିଛି ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ।

କୌଣସି ନୂଆ ପରିବର୍ତନ ହେଲେ ଆରମ୍ଭରୁ ସମସ୍ୟା ଏବଂ ଜଟିଳତା ଦେଖାଦେଇଥାଏ । ଜିଏସଟି ଭଳି ବ୍ୟାପକ ପରିବର୍ତନ ନିଶ୍ଚିତ ଭାବେ କେବଳ ସରକାର ନୁହନ୍ତି ଦେଶର ବ୍ୟବସାୟୀ ଗୋଷ୍ଠୀ, ଟିକସ ପ୍ରଶାସକ ଏବଂ ଏପରିକି ସାଧାରଣଜନତାଙ୍କ ପାଇଁ କେତେକ ଆହ୍ୱାନ ସୃଷ୍ଟି କରିବା ସ୍ୱଭାବିକ । ନୂଆ ଟିକସ ଏବଂ ଆଇଟି ବ୍ୟବସ୍ଥା ସହ ପରିଚିତ ନରହିବା , ଆଇନଗତ ସମସ୍ୟା, ରିଟର୍ଣ୍ଣ ଦାଖଲ କରିବା ଏବଂ ମିଳାମିଶା କରିବା, ଟ୍ରାଞ୍ଜିଟ କ୍ରେଡିଟ ପାସ କରିବା ଆଦି ଏସବୁ ସମସ୍ୟା ମଧ୍ୟରୁ ଗୋଟିଏ ଗୋଟିଏ । ଜିଏସଟିରେ ଥିବା ଅଧିକାଂଶ ପ୍ରକ୍ରିୟା ବିଶେଷ କରି କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ନୂଆ, ଯେଉଁମାନେ ରିଟର୍ଣ୍ଣ ଏବଂ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ନିୟମିତ ଏବଂ ଅନଲାଇନ ପଇଠ କରନ୍ତି ନାହିଁ ।

ଦେଶବ୍ୟାପୀ ବ୍ୟବସାୟୀ, ଉପଭୋକ୍ତା ଏବଂ ଟିକସଦାତାଙ୍କ ମତାମତ ନିଆଯାଇ ପରାମର୍ଶକୁ କାର୍ଯ୍ୟକାରୀ କରିବା ଏବଂ ସମସ୍ୟାର ସାମୟିକ ଏବଂ ଦୀର୍ଘକାଳୀନ ସମାଧାନ କରିବା ପାଇଁ ପ୍ରୟାସ କରାଯାଉଛି । ଉପଭୋକ୍ତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଜାତୀୟ ମୁନାଫାଖୋରୀ ନିରୋଧୀ ପ୍ରାଧୀକରଣଙ୍କ ଦ୍ୱାରା ମୁନାଫାଖୋରୀ ସଂକ୍ରାନ୍ତ ବିଭିନ୍ନ ଅଭିଯୋଗର ତଦନ୍ତ ଆରମ୍ଭ କରାଯାଇଛି ଏବଂ କେତେକ ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି । ରିଫଣ୍ଡ ଜାରି କରିବାକୁ ତ୍ୱରାନ୍ୱିତ କରିବା ଲାଗି ମାନୁଆଲ ଫାଇଲିଂ ଏବଂ ରିଫଣ୍ଡ ଜାରି ବ୍ୟବସ୍ଥାକୁ ସକ୍ରିୟ କରାଯାଇଛି । ଏ ସଂକ୍ରାନ୍ତରେ ରାଜ୍ୟ ଏବଂ ସିବିଆଇସି ପାଇଁ କ୍ଷେତ୍ର ପ୍ରସ୍ତୁତିରେ ମାର୍ଗଦର୍ଶନ କରିବା ଲାଗି ସ୍ପଷ୍ଟୀକରଣ ପରିପତ୍ର ଏବଂ ବିଜ୍ଞପ୍ତି ଜାରି କରାଯାଇଛି । ଜିଏସଟି ପୋର୍ଟାଲରେ ରହିଥିବା ବୈଷୟିକ ତ୍ରୁଟି ଯୋଗୁ ଟିକସଦାତାମାନେ ଭୋଗୁଥିବା ସମସ୍ୟାର ସୁଧାର ଆଣିବା ଲାଗି ସରକାର ଏକ ଆଇଟି ଅଭିଯୋଗ ସମାଧାନ ବ୍ୟବସ୍ଥା ଲାଗୁ କରିଛନ୍ତି ।

ଜିଏସଟି ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିବା କଥା ଦର୍ଶାଇଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ । ଏହାଏକ ବହୁସ୍ତରୀୟ, ଜଟିଳ ପରୋକ୍ଷ ଟିକସ ବ୍ୟବସ୍ଥା ବଦଳରେ ଏକ ସହଜ, ପାରଦର୍ଶୀ ଏବଂ ପ୍ରଯୁକ୍ତି ପରିଚାଳିତ ଟିକସ ବ୍ୟବସ୍ଥାର ପ୍ରଚଳନ କରିଛି । ଏହା ଭାରତକୁ ଏକକ, ସାଧାରଣ ବଜାରରେ ଏକୀକୃତ କରିବ ଏବଂ ଆନ୍ତଃରାଜ୍ୟ ବ୍ୟବସାୟ ଏବଂ ବାଣିଜ୍ୟରେ ରହିଥିବା ସମସ୍ତ ବାଧାକୁ ଦୂର କରିବ । ବହୁସ୍ତରୀୟ ଟିକସ ବ୍ୟବସ୍ଥାକୁ ଉଚ୍ଛେଦ ଏବଂ କାରବାର ମୂଲ୍ୟ ହ୍ରାସ କରି ଏହା ଦେଶରେ ବ୍ୟବସାୟିକ ସୁଗମତା ବୃଦ୍ଧି କରିବ ଏବଂ ମେକ ଇନ ଇଣ୍ଡିଆ ଅଭିଯାନକୁ ପ୍ରୋତ୍ସାହନ ଯୋଗାଇ ଦେବ । ଜିଏସଟି ଦ୍ୱାରା “ଏକ ରାଷ୍ଟ୍ର, ଏକ ଟିକସ, ଏକ ବଜାର” ସ୍ୱପ୍ନ ସାକାର ହୋଇପାରିବ ବୋଲି ଆଶା ପ୍ରକଟ କରିଛି କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ।

Leave A Reply

Your email address will not be published.