Latest Odisha News

BREAKING NEWS

୧୫ ହଜାର ପ୍ରାଥମିକ ଓ ୧୭ ହଜାର ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ

ଭୁବନେଶ୍ୱର: ମଧ୍ୟ ସରକାରୀ ସ୍କୁଲଗୁଡ଼ିକରେ ଅଧିକ ଉନ୍ନତି ଆଣିବା ଲାଗି ରାଜ୍ୟରେ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତାବର୍ଷ ଠାରୁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ବିଶେଷକରି ସ୍କୁଲ ଗୁଡିକରେ ବିଜ୍ଞାନ ଉପକରଣ, ପାଠ୍ୟପୁସ୍ତକ, ଖେଳ ସରଞ୍ଜମ, ଶିକ୍ଷାଦାନ ଲାଗି ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ଅନୁଯାୟୀ ସୁବିଧା ସୁଯୋଗ ଏବଂ କିଛି ଛାତ୍ରୀ ସ୍କୁଲଗୁଡିକରେ ପିଲାଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରାଯିବ ।

ତେବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧୫ ହଜାର ପ୍ରାଥମିକ ସ୍କୁଲ ଏବଂ ୧୭ ହଜାର ଉଚ୍ଚପ୍ରାଥମିକ ସ୍କୁଲଗୁଡିକୁ ତାଲିକାଭୁକ୍ତ କରାଯାଇଥିବା ବେଳେ ୨୦୨୧-୨୨ରୁ ରାଜ୍ୟର ସବୁ ସରକାରୀ ସ୍କୁଲ ଏହି ଯୋଜନାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।

ଏହା ଛଡ଼ା ବିଜ୍ଞାନ ଉପକରଣ ଲାଗି ପ୍ରତି ସ୍କୁଲକୁ ୫ହଜାର ଟଙ୍କା, ପାଠ୍ୟପୁସ୍ତକ ଲାଗି ୮ହଜାର ଟଙ୍କା, ଖେଳ ସରଞ୍ଜମ ଲାଗି ଅଢ଼େଇ ହଜାର ଟଙ୍କା ଏବଂ ଛାତ୍ରୀ ସ୍କୁଲଗୁଡିକରେ ପିଲାଙ୍କୁ ମୌଳିକ ସୁବିଧା ଲାଗି ୬ହଜାର ଟଙ୍କା ଦିଆଯିବ ।

ମୋଟ୍ ଉପରେ ପ୍ରତି ସ୍କୁଲକୁ ୨୧ ହଜାର ୫୦୦ ଟଙ୍କା ଦିଆଯିବ । ପ୍ରତି ୩ବର୍ଷକୁ ଥରେ ଏହି ଅନୁଦାନ ପ୍ରଦାନ କରାଯିବ। ଏହା ବ୍ୟତୀତ ସ୍କୁଲ ମନିଟରିଂ ଲାଗି ପ୍ରତ୍ୟେକ ସ୍କୁଲକୁ ବାର୍ଷିକ ୫ ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯିବା ନେଇ ସୁତ୍ରରୁ ପ୍ରକାଶ।

ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଆସନ୍ତା ଶିକ୍ଷା ବର୍ଷରୁ ସରକାରୀ ସ୍କୁଲଗୁଡିକରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଜାତୀୟସ୍ତରର ପ୍ରଶିକ୍ଷଣ ପ୍ରଦାନ କରାଯାଇ ସେମାନଙ୍କ ମଧ୍ୟରେ ସବୁ କ୍ଷେତ୍ରରେ ମୁକାବିଲା କରିବାର ଦକ୍ଷତା ବୃଦ୍ଧି ଲାଗି ପ୍ରୟାସ କରାଯିବ ।

ଏନେଇ ମଧ୍ୟ ସେମାନଙ୍କର ଶିକ୍ଷାଦାନ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ସହ କ୍ରୀଡା, କଳା, ସଂଗୀତ, ବିଜ୍ଞାନ ଭଳି ଯେଉଁ କ୍ଷେତ୍ରରେ ପିଲାଙ୍କର ରୁଚି ଥିବ ସମ୍ପୃକ୍ତ ବିଷୟରେ ଅଧିକ ଦକ୍ଷତା ବଢ଼ାଇବା ଲାଗି ଅତିରିକ୍ତ ପ୍ର୍ରୟାସ କରାଯିବା ନେଇ ସୂଚନା ମିଳିଛି।

ତେବେ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ପୂର୍ବରୁ ଅଙ୍ଗନୱାଡି କେନ୍ଦ୍ରରୁ ପ୍ରୟାସ ଆରମ୍ଭ କରାଯାଇ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ଲାଗୁ କରାଯାଇଥିବା ବେଳେ ଆସନ୍ତା ଶିକ୍ଷାବର୍ଷରୁ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀକୁ ସାମିଲ କରାଯାଇଛି ।

Leave A Reply

Your email address will not be published.