Latest Odisha News

କରୋନା ମୁକାବିଲା ପାଇଁ ଏପର୍ଯ୍ୟନ୍ତ ସରକାର ନେଇଥିବା ପଦକ୍ଷେପ ଗୁଡିକ ସମ୍ପର୍କରେ, ଜାଣନ୍ତୁ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଓ ନିରାକରଣ ଲାଗି ଭାରତ ସରକାର ସଂଖ୍ୟାଧିକ ତତ୍ପର ଓ ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାତ୍ରା କଟକଣା, ବିମାନ ଓ ସାମୁଦ୍ରିକ ବନ୍ଦରରେ ଯାତ୍ରୀଙ୍କ ସାମୂହିକ ଯାଂଚ, ଭିସା ରଦ୍ଦ ଏବଂ କ୍ୱାରେଂଟିନ (ପୃଥକୀକରଣ) ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।

ଅତିରିକ୍ତ କ୍ୱାରେଂଟିନ ସୁବିଧା ଠାବ କରିବା, ଆଇସୋଲେସନ ୱାର୍ଡ ବ୍ୟବସ୍ଥା, ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରମାନଙ୍କୁ ପ୍ରଶିକ୍ଷଣ, ପିପିଇ, ମେଡ଼ିସିନ, ମାସ୍କ ଆଦି ଯଥେଷ୍ଟ ସ୍ୱାସ୍ଥ୍ୟ ସରଞ୍ଜାମ ମହଜୁଦ କରି ରଖିବା ପଦକ୍ଷେପ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ନିଆଯାଇଛି ।

କ୍ୟାବିନେଟ ସଚିବ ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହିତ କୋଭିଡ-୧୯ ମୁକାବିଲା ଲାଗି ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତି ସମୀକ୍ଷା କରିଥିଲେ । ନିରାକରଣ ଓ ନିୟନ୍ତ୍ରଣ ପଦକ୍ଷେପକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ଡାକ୍ତରଖାନାରେ ଯଥେଷ୍ଟ ସଂଖ୍ୟାରେ ସ୍ୱତନ୍ତ୍ର ୱାର୍ଡ ଖୋଲିବା, କ୍ୱାରେଂଟିନ ସୁବିଧା କରିବା ସହିତ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁଯାୟୀ କରୋନା ପ୍ରବଣ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ପୃଥକ ରଖିବା ସହିତ ସଚେତନତା ସୃଷ୍ଟି ଦିଗରେ ନିଆଯାଇଥିବା ପଦକ୍ଷେପ ସମୀକ୍ଷା କରାଯାଇଥିଲା ।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନୁଯାୟୀ ଜୁନ ୩୦, ୨୦୨୦ ପର୍ଯ୍ୟନ୍ତ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା କରାଯାଇଛି । ଏହାର ଅଭାବୀ ବିକ୍ରି ଏବଂ କଳାବଜାରୀକୁ ଦୃଢ଼ ହସ୍ତରେ ଦମନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନ୍ତର୍ଗତ ଯଥେଷ୍ଟ ପରିମାଣରେ ଏସବୁ ସାମଗ୍ରୀ ମହଜୁଦ କରିବା ଲାଗି ରାଜ୍ୟଗୁଡ଼ିକ ଉତ୍ପାଦକାରୀ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇପାରିବେ ।

ସଂକ୍ରାମକ ରୋଗ ନିବାରଣ ଆଇନ, ୧୮୯୭ ଅନ୍ତର୍ଗତ ସଂକ୍ରାମକ ରୋଗ ମୁକାବିଲା ପାଇଁ ରହିଥିବା ବ୍ୟବସ୍ଥାକୁ କେତେକ ରାଜ୍ୟ ଉପଯୋଗ କରିଛନ୍ତି । ଏହି ଆଇନ ଅଧୀନରେ ଜନସାଧାରଣଙ୍କ କାର୍ଯ୍ୟ ଉପରେ ଅସ୍ଥାୟୀ କଟକଣା ଜାରି କରିବା ଲାଗି ରାଜ୍ୟଗୁଡ଼ିକ ପଦକ୍ଷେପ ନେଇପାରିବେ କିମ୍ବା କୌଣସି ବ୍ୟକ୍ତିକୁ କ୍ଷମତା ପ୍ରଦାନ କରିପାରିବେ ।

ବିପର୍ଯ୍ୟୟ ପରିଚାଳନା ଆଇନ ଅନ୍ତର୍ଗତ ରାଜ୍ୟଗୁଡ଼ିକ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଅର୍ଥରାଶି ସଂଗ୍ରହ କରିପାରିବେ । ଏହାବ୍ୟତୀତ ରାଜ୍ୟ ସରକାର ଓ ଏନଏଚଏମରୁ ମଧ୍ୟ ଅତିରିକ୍ତ ପାଣ୍ଠି ଯୋଗାଡ଼ କରିପାରିବେ । ଏ ଦିଗରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଦିଶାନିର୍ଦ୍ଦେଶ ଦିଆଯାଇସାରିଛି ।

ଏହାଛଡ଼ା ଦେଶର ମୋଟ ୫୨ଟି ପରୀକ୍ଷାଗାରରେ କୋଭିଡ-୧୯ ନମୁନା ପରୀକ୍ଷା ଲାଗି ବ୍ୟବସ୍ଥା କରାଯାଇଛି ।

ବର୍ତମାନ ସୁଦ୍ଧା ୩୦ଟି ବିମାନ ବନ୍ଦରରେ ପହଁଚିଥିବା ୧୧,୪୦୬ଟି ବିମାନରେ ଆସିଥିବା ୧୨,୨୯,୩୬୩ ଯାତ୍ରୀଙ୍କର ସ୍କ୍ରିନିଂ କରାଯାଇଛି । ଏହାଛଡ଼ା ଭାରତ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ନିୟମ ଅନୁଯାୟୀ ନିର୍ଦ୍ଧାରିତ ନିୟମ ମୁତାବକ ପୃଥକ କରି ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।
ବର୍ତମାନସୁଦ୍ଧା ଦେଶରେ ମୋଟ ୮୪ ଜଣ ଲୋକ କୋଭିଡ-୧୯ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୦ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇସାରିଛନ୍ତି ।

ସମସ୍ତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୪ହଜାର ଲୋକଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି । ଏସବୁ ମାମଲାରେ ଅନ୍ୟ ସମ୍ଭାବ୍ୟ ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ପ୍ରୟାସ କରାଯାଉଛି ।

ଭାରତୀୟ ନାଗରିକମାନଙ୍କୁ ଅନାବଶ୍ୟକ ବିଦେଶ ଯାତ୍ରା ଏଡ଼ାଇବା ଏବଂ ଅଧିକ କରୋନା ଭୂତାଣୁ ସଂକ୍ରମଣ ଓ ମୃତ୍ୟୁ ମାମଲା ଥିବା ଦେଶକୁ ନଯିବା ଲାଗି ପୁଣିଥରେ ବାରଣ କରାଯାଇଛି । ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀ ନିଜ ସ୍ୱାସ୍ଥ୍ୟବସ୍ଥା ପ୍ରତି ଯତ୍ନବାନ ହେବା ଲାଗି ପରାମର୍ଶ ଦିଆଯାଇଛି । ଏଥିସହିତ କ’ଣ କରିବା ଉଚିତ ଏବଂ ଅନୁଚିତ ସେ ଦିଗରେ ସରକାରଙ୍କ ପରାମର୍ଶକୁ ମାନିବା ଲାଗି କୁହାଯାଇଛି ।

Leave A Reply

Your email address will not be published.