ନୂଆଦିଲ୍ଲୀ: ଭାରତୀୟ ତଟସୁରକ୍ଷା ଏବଂ ସାମୁଦ୍ରିକ ସୀମା ଅଭିଯାନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାକିସ୍ତାନକୁ ପଠାଉଥିବା ଅଭିଯୋଗରେ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍ (ଏଟିଏସ୍) ଜଣେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗିରଫ କରିଛି l ଉକ୍ତ କର୍ମଚାରୀ ଜଣଙ୍କ ଜଣେ ଭାରତୀୟ ନାଗରିକ l ତାଙ୍କ ନାଁ ଦିପେଶ ଗୋହିଲ l ଏନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ଏଟିଏସ୍ ପକ୍ଷରୁ ନଜର ରଖାଯାଇଥିଲା। ଓଖା ଅଞ୍ଚଳର ଗୋହିଲ ଉପରେ ଏଟିଏସ୍ ନଜର ରଖିବା ପରେ ତାଙ୍କୁ ଗିରଫ କରିଛି।
ଦିପେଶକୁ ଭାରତୀୟ ତଟସୁରକ୍ଷା ଏବଂ ସାମୁଦ୍ରିକ ସୀମା ଅଭିଯାନ ସମ୍ପର୍କରେ ପାକିସ୍ତାନକୁ ସୂଚନା ଦେବା ବଦଳରେ ଦିନକୁ 200 ଟଙ୍କା ମିଳୁଥିଲା l ଏଠି ସହ ଜଣେ ପାକିସ୍ତାନୀ ଏଜେଣ୍ଟ ଠାରୁ ଦିପେଶକୁ 42000 ଟଙ୍କା ମଧ୍ୟ ମିଳିଥିଲା l ଗୋହିଲ ଓଖା ଜେଟିରେ ୩ ବର୍ଷ ହେଲା ତଟସୁରକ୍ଷା ବୋଟ୍ର ରିପେୟାର ମ୍ୟାନ୍ ଭାବେ କାର୍ଯ୍ୟ କରୁଥିଲେ। ୭ ମାସ ହେଲା ସେ ପାକିସ୍ତାନ ନୌସେନାରେ କାର୍ଯ୍ୟରତ ସାହିମା ନାମ୍ନୀ ମହିଳାଙ୍କ ଫେସ୍ବୁକ୍ ପ୍ରୋଫାଇଲ୍ ସହ ଯୋଗାଯୋଗରେ ଥିଲେ। ସାହିମା ଗୋହିଲଙ୍କୁ ହ୍ବାଟ୍ସଆପ୍ରେ ସଂଯୋଗ କରାଇଥିଲେ।
ତେବେ ହ୍ବାଟ୍ସଆପ୍ ଜରିଆରେ ଗୋହିଲ ପାକିସ୍ତାନୀ ସେନା ଏବଂ ଆଇଏସ୍ଆଇ ସହ କିଛିଦିନ ହେଲା ଯୋଗାଯୋଗ ରଖିଥିବା ନେଇ ଜଣେ ସବ୍ଇନ୍ସପେକ୍ଟରଙ୍କୁ ଗୋଇନ୍ଦା ସୂଚନା ମିଳିଥିଲା। ପରେ ଏଟିଏସ୍ ଏକ ଟିମ୍ ଗଠନ କରିବା ସହ ଗୋହିଲଙ୍କୁ ଜେରା ପାଇଁ ଅହମଦାବାଦ କାର୍ଯ୍ୟାଳୟକୁ ଡାକିଥିଲା। ତଦନ୍ତ ପରେ ଶେଷରେ ଦିପେଶର ଗୁମର ଖୋଲିଥିଲା l ତେବେ ଏପର୍ଯ୍ୟନ୍ତ ମଧ୍ୟ ଏଜେଣ୍ଟର ନାମ ଜଣା ପଡ଼ିନାହିଁ l
ସୂଚନାଯୋଗ୍ୟ, ଗତ ମାସ ଆରମ୍ଭରେ ଗୁଜରାଟ ଏଟିଏସ୍ ପାକିସ୍ତାନୀ ଗୁପ୍ତଚରମାନଙ୍କୁ କୋଷ୍ଟଗାର୍ଡ ଡଙ୍ଗା ବିଷୟରେ ସୂଚନା ପଠାଇବା ଅଭିଯୋଗରେ ପୋରବନ୍ଦରରୁ ପଙ୍କଜ କୋଟିଆ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା।
Comments are closed.