Latest Odisha News

BREAKING NEWS

ରାଜ୍ୟରେ ଚାଲିଛି ଗୁଜରାଟୀ ଓଡିଆ ଅସ୍ମିତା ସରକାର: ବିଜେଡି

ଭୁବନେଶ୍ୱର: ଗତକାଲି ବିଧାନସଭାରେ ବିରୋଧୀ ଦଳର ଅନୁପସ୍ଥିତି ମଧ୍ୟରେ ଜଳ ସଂପଦ ବିଭାଗର ଖର୍ଚ୍ଚ ଦାବି ଉପରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ବିଭାଗୀୟ କାର୍ଯ୍ୟ ସମ୍ବନ୍ଧରେ କହିବା ପରିବର୍ତ୍ତେ ବିରୋଧୀ ଦଳକୁ ଆକ୍ରମଣ କରିବା ଦୁର୍ଭାଗ୍ୟଜନକ । ରାଜ୍ୟରେ ଚାଲିଛି ଗୁଜରାଟୀ ଓଡିଆ ଅସ୍ମିତା ସରକାର ବୋଲି ବିଜେଡି କହିଛି ।

ଆଜି ଶଙ୍ଖ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ, ଓଡିଶାର ବିଜେପି ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ସଂପୂର୍ଣ୍ଣ ବିଫଳତା ଲୁଚାଇବାକୁ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଯେଉଁଭଳି ବିରୋଧୀ ଦଳ ପ୍ରତି ଆକ୍ରାମଣାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି, ତା’ର ତୀବ୍ର ନିନ୍ଦା କରିଛି ବିଜେଡି । ଦଳ ଉପସଭାପତି ସଂଜୟ ଦାସବର୍ମା ଓ ଉପସଭାପତି ତଥା ବିଧାୟକ ଡ. ଅରୁଣ କୁମାର ସାହୁ କହିଛନ୍ତି, ଏସସିବି ଟ୍ରମା କେୟାର ଆଇସିୟୁରେ ହୃଦୟବିଦାରକ ଅଗ୍ନିକାଣ୍ଡର ନୈତିକ ଦାୟିତ୍ୱ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଆବଶ୍ୟକ ।

ଯୋଗ୍ୟତା ନଥାଇ ଓ ଏନ୍ଏମ୍ସି ନିର୍ଦ୍ଦେଶାବଳୀର ବିରୁଦ୍ଧାଚରଣ କରି ନିଯୁକ୍ତି ପାଇଥିବା ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଓ ଅତିରିକ୍ତ ସୁପରିଟେଣ୍ଡେଣ୍ଟକୁ ତୁରନ୍ତ ଗିରଫ କରାଯିବା ଆବଶ୍ୟକ । ଏହି ଘଟଣା ରାଜ୍ୟର ସ୍ୱାସ୍ଥ୍ୟସେବାର ବିକଳ ଚିତ୍ରକୁ ଦର୍ଶାଇବା ସହ ଏସ୍ସିବି ମେଡିକାଲ କଲେଜର ସୁନାମକୁ ଭ୍ରୁଲୁଣ୍ଡିତ କରିଛି ।

ଡ. ସାହୁ କହିଛନ୍ତି, ଜଳ ସଂପଦ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ । ବିଜେପି ସରକାରକୁ ଆସିଲା ବେଳେ ପ୍ରଥମ ବର୍ଷରେ ୨.୨୮ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବାକୁ ଲକ୍ଷ୍ୟ ରଖିଥିଲେ କିନ୍ତୁ ଲକ୍ଷ୍ୟ ପୂରଣ କରିବା ଦୂରର କଥା ୨୦୨୪-୨୫ରେ ବଜେଟ ଅର୍ଥର କେବଳ ୫୫ ପ୍ରତିଶତ ଏବଂ ଚଳିତ ବର୍ଷ ୩୯ ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରିଛନ୍ତି । ଟି୍ରପଲ ଇଂଜିନ ସରକାରରେ ମହାନଦୀ ପାଇଁ ବିଜେପି କାନ୍ଦୁଛି କିନ୍ତୁ ମହାନଦୀର ବକ୍ଷ ଶୁଖିଲା ଏବଂ ରାଜ୍ୟବ୍ୟାପୀ ଅବୈଧ ବାଲି ଚୋରା ଚାଲାଣ ହେଉଛି । ମହାନଦୀକୁ ଶୁଖାଇ ନଦୀ ସଂଯୋଗୀକରଣ ପ୍ରଚାର କରୁଛନ୍ତି ସରକାର । ଓଡିଆ ଠିକାଦାର ମାନେ ଆନେ୍ଦାଳନ କରୁଥିଲା ବେଳେ ଅଣଓଡିଆ ଠିକାଦାରମାନେ ସରକାରଙ୍କ ଗେହ୍ଲା ପୁଅ ସାଜିଛନ୍ତି । ରାଜ୍ୟରେ ଏବେ ଗୁଜରାଟୀ ଓଡିଆ ଅସ୍ମିତା ସରକାର ଚାଲିଛି ।

ସେହିପରି ଶ୍ରୀ ଦାସବର୍ମା କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱରେ ୨୦୧୩-୧୪ରେ ଭାରତର ପ୍ରଥମ ରାଜ୍ୟ ଭାବେ ଓଡିଶା ସ୍ୱତନ୍ତ୍ର କୃଷି ବଜେଟ ଉପସ୍ଥାପନ କରିଥିଲେ । ବିକେନ୍ଦ୍ରୀକୃତ ଧାନ କ୍ରୟ ୨୦୦୨-୦୩ରୁ ଆରମ୍ଭ ହୋଇ ଐତିହାସିକ ପି-ପାସ୍ (ପ୍ୟାଡି ପ୍ରୋକ୍ୟୋରମେଣ୍ଟ ଅଟୋମେସନ ସିଷ୍ଟମ) ବ୍ୟବସ୍ଥା ୨୦୧୨ରେ ପ୍ରବର୍ତ୍ତନ ହୋଇଥିଲା । ଓଡିଶା ପାଞ୍ଚ ପାଞ୍ଚ ଥର କୃଷି କର୍ମଣ ପୁରସ୍କାର ପାଇ ଦେଶରେ ତୃତୀୟ ସର୍ବାଧିକ ପିଡିଏସ୍ ଚାଉଳ ପ୍ରଦାନକାରୀ ରାଜ୍ୟ ହୋଇଥିଲା । ଏହି ସଫଳତା ଓଡିଶାର ଚାଷୀମାନଙ୍କୁ ସଶକ୍ତ କରିପାରିଥିବା ବେଳେ ବର୍ତ୍ତମାନର ଡବଲ ଇଂଜିନ ସରକାରରେ ଚାଷୀକୂଳ ପ୍ରତାରଣାର ଶୀକାର ହୋଇ ରାଜରାସ୍ତାକୁ ଓହ୍ଲାଉଛନ୍ତି ।

ଶ୍ରୀ ଦାସବର୍ମା ଆହୁରି ମଧ୍ୟ କହିଛନ୍ତି, ପଞ୍ଜିକରଣଠାରୁ ଆରମ୍ଭ କରି ଧାନ କ୍ରୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ହତାଶ ହେଉଛନ୍ତି ଓଡିଶାର ଚାଷୀକୂଳ । ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ କେବଳ ୭୯ ପ୍ରତିଶତ ଚାଷୀ ଧାନ ବିକ୍ରୟ କରିପାରିଥିଲା ବେଳେ ସମସ୍ତ ବିକି୍ର ଯୋଗ୍ୟ ଅମଳ ହୋଇଥିବା ଧାନର ମାତ୍ର ୩୫ ପ୍ରତିଶତ ଧାନ ସରକାର ସଂଗ୍ରହ କରିପାରିଛନ୍ତି । ପଡୋଶୀ ଛତିଶଗଡ ସରକାର ତାଙ୍କର ଧାର୍ଯ୍ୟ ଲକ୍ଷ୍ୟର ୧୭୬ ପ୍ରତିଶତ ଧାନ ସଂଗ୍ରହ କରିଛନ୍ତି । ଏହା ପ୍ରମାଣ କରୁଛି ସମସ୍ତ ବିକି୍ର ଯୋଗ୍ୟ ବଳକା ଧାନ ସଂଗ୍ରହରେ ବିଜେପି ସରକାର ସଂପୂର୍ଣ୍ଣ ବିଫଳ । ଓଡିଶାର ଚାଷୀମାନଙ୍କ ସହିତ ବିଜୁ ଜନତା ଦଳ ସର୍ବଦା କାନ୍ଧ ମିଳାଇ ଛିଡା ହୋଇଛି ଏବଂ ସେମାନଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଦଳ ରାଜରାସ୍ତାରେ ଲଢେଇ ଜାରି ରଖିବ ।

Leave A Reply

Your email address will not be published.