Latest Odisha News

BREAKING NEWS

‘ଗଠନ ହେବା ଦରକାର ପୁରୁଷ ସହ ପିତୃମାତୃ କମିଶନ’

ଭୁବନେଶ୍ବର: ରାଜ୍ୟରେ ଗଠନ ହେବା ଦରକାର ପୁରୁଷ କମିଶନ । ପୁରୁଷ କମିଶନ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ଆଜି ମତ ବ୍ୟକ୍ତ କରିଛନ୍ତି ବାବା ବଳିଆ । ଦେଶ ତଥା ରାଜ୍ୟରେ ପୁରୁଷଙ୍କ ପ୍ରତି ବଢୁଥିବା ନିର୍ଯାତନାକୁ ଦୃଷ୍ଟିରେ ରଖି କିଛି ଏପରି ମତ ରଖିଛନ୍ତି ବାବା ବଳିଆ ।

ଏହି ନିକଟରେ ଜଣେ ଇଂଜିନିୟର ଅତୁଲ ସୁବାଷଙ୍କ ସହ ଘଟିଥିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ବିବାହ ବିଚ୍ଛେଦ ପରେ ବି କିପରି ସ୍ତ୍ରୀ ଜଣଙ୍କ ନିଜ ସ୍ବାମୀଙ୍କ ଉପରେ ଅତ୍ୟାଚାର କରୁଥିଲେ, ଯେଉଁଥିରେ ଅତିଷ୍ଠ ହୋଇ ଶେଷରେ ଜୀବନ ହାରିଥିଲେ ଅତୁଲ । ଖାଲି ଅତୁଲଙ୍କ ଘଟଣା ନୁହେଁ, ବିଭିନ୍ନ ସ୍ଥାନରେ ପୁରୁଷଙ୍କୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି । କିନ୍ତୁ ସମାଜ ପ୍ରଥମେ ଏଥିରେ ପୁରୁଷଟିର ଭୁଲ୍ ହିଁ ଖୋଜିଥାଏ । ଯେଉଁ କାରଣରୁ ବେଳେ ବେଳେ ଦୋଷ ନଥାଇ ମଧ୍ୟ ବଳି ପଡନ୍ତି ପୁରୁଷ । ଯାହାକୁ ନେଇ ଏବେ ଚିନ୍ତା ପ୍ରକଟ କରିଛନ୍ତି ବାବା ବଳିଆ ।

ଏନେଇ ପଦ୍ମଶ୍ରୀ ଗୁରୁ ବାବା ବଳିଆ କହିଛନ୍ତି ଯେ, ସାମାଜିକ ନ୍ୟାୟର ଆଲୋଚନାରେ ପ୍ରାୟତଃ ପୁରୁଷମାନଙ୍କୁ ଅଣଦେଖା କରାଯାଉଛି । ଆଉ ସେମାନଙ୍କ ଉପରେ ମିଥ୍ୟା ଅଭିଯୋଗ ଏବଂ ଅନୁଚିତ ବ୍ୟବହାର ସମେତ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ଉତ୍ପୀଡ଼ନ ମାମଲା ବୃଦ୍ଧି ପାଉଛି । ତେଣୁ ପୁରୁଷମାନଙ୍କ ଅଧିକାରକୁ ସୁରକ୍ଷା ଦେବା ପାଇଁ ଏକ ପୁରୁଷ କମିଶନ ଗଠନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ।

ଖାଲି ସେତିକି ନୁହେଁ ବର୍ତ୍ତମାନ ବୁଢାବୁଢି ହେବା ପରେ ବାପା ମା’ଙ୍କୁ ସନ୍ତାନସନ୍ତତିମାନେ ଯେଉଁଭଳି ଭାବେ ହଇରାଣ କରୁଛନ୍ତି ତାକୁ ନେଇ ମଧ୍ୟ ଦାବି ରଖିଛନ୍ତି ବାବା ବଳିଆ । ଅବହେଳିତ ବୁଢ଼ା ବାପା ମା’ ପାଇଁ ପିତୃମାତୃ କମିଶନ ମଧ୍ୟ ଜରୁରୀ ବୋଲି କହିଛନ୍ତି । ଏନେଇ କମିଶନ ଗଠନ କରିବାକୁ ଦାବି କରିଥିବା ବେଳେ ଆବଶ୍ୟକ ପଡିଲେ ସୁପ୍ରିମକୋର୍ଟରେ ଏହି ପ୍ରସ୍ତାବ ରଖିବେ ବୋଲି କହିଛନ୍ତି ବାବା ବଳିଆ ।

ଏଥିସହିତ ସମାଜରେ ବିଧବା ମହିଳାଙ୍କୁ ସମ୍ମାନ ଦେବା ପାଇଁ ବି ଦାବି କରିଛନ୍ତି ବାବା । କହିଛନ୍ତି, ବିଧବାଙ୍କୁ ମଧ୍ୟ ମାଙ୍ଗଳିକ କାର୍ଯ୍ୟରେ ସାମିଲ କରିବା ଉଚିତ୍ ।

Comments are closed.