ଭୁବନେଶ୍ୱର : କଳାଶ୍ରମ ନୃତ୍ୟ ଅନୁଷ୍ଠାନ ଆନୁକୂଲ୍ୟରେ ଆଜିଠାରୁ ଆରମ୍ଭ ହେବ ୧୫ତମ ଗୁରୁ ଦକ୍ଷିଣା ଉତ୍ସବ ୨୦୨୦-୨୧ । ୧୧ ତାରିଖ ଯାଏଁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଗୁରୁ ଶିଷ୍ୟର ଆଦର୍ଶ ପରମ୍ପରାକୁ ଆଗକୁ ବଢ଼ାଇବା ଲକ୍ଷ୍ୟ ରହିଛି । ନୃତ୍ୟଶିଳ୍ପୀ ଏବଂ ସଙ୍ଗୀତଜ୍ଞଙ୍କ ସହ ନୃତ୍ୟ, ଅଭିନୟ ଏବଂ ସଙ୍ଗୀତ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଭିନ୍ନକ୍ଷମ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ।
ଏହି ଉତ୍ସବର ପ୍ରଥମ ଦିନରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ , ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଆମ୍ବେଦକର ଫାଉଣ୍ଡେସନର ନିର୍ଦ୍ଦେଶକ ଡ. ଦେବେନ୍ଦ୍ର ପ୍ରସାଦ ମାଝୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ହରେକୃଷ୍ଣ ଦଳେଇ ଓ ପ୍ରିୟଦର୍ଶିନୀ ପ୍ରଧାନଙ୍କ ନୃତ୍ୟ ନୈବେଦ୍ୟ , ବିନକେଶରୀ ନୃତ୍ୟମଞ୍ଜରୀ, ମଙ୍ଗଳାପୁର ଦ୍ୱାରା ଲୋକନୃତ୍ୟ ଏବଂ ଦିବ୍ୟାଙ୍ଗ କଳାକାର ସତ୍ୟବ୍ରତ ସାହୁ ଓ ସାଗରିକା ସାହୁଙ୍କ ଦ୍ୱାରା ସେମିକ୍ଲାସିକାଲ ନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି।
ଦ୍ଵିତୀୟ ଦିନରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ, କାଦମ୍ବିନୀର ସମ୍ପାଦିକା ଡ. ଇତି ସାମନ୍ତ , ଇଫକୋର ଜେନେରାଲ ମ୍ୟାନେଜର ଅଭୟ କୁମାର ମଲ୍ଲ ,ଇଫକୋର ପ୍ରଶାସକ ପ୍ରସନ୍ନ କୁମାର ବେହୁରା ପ୍ରମୁଖ ଅତିଥି ଭାବେ ଯୋଗ ଦେବେ । ଏହି ସନ୍ଧ୍ୟାରେ ଦଳଗତ ଭାବେ କ୍ରିଷ୍ଣାଷ୍ଟକମ ଓଡ଼ିଶୀ ନୃତ୍ୟ ପରିବଷେଣ କରାଯିବ । ଦିବ୍ୟାଙ୍ଗ କଳାକାର ନିତ୍ୟାନନ୍ଦ ଦାସ ଓ ବିଜୟ କୁମାର ଦାଶଙ୍କ ଯୁଗ୍ମ ଓଡ଼ିଶୀ ନୃତ୍ୟ ଓ ଭଦ୍ରକର ସଙ୍କେତ ଅନୁଷ୍ଠାନର ମୋଗଲ ତାମଶା ପରିବେଷିତ ହେବାର କାର୍ୟ୍ୟକ୍ରମ ରହିଛି।
ତୃତୀୟ ଦିନରେ ଗୁଜୁରାଟର ଦିବ୍ୟାଙ୍ଗ କଳାକାର ଧବଳ ଖତ୍ରିଙ୍କ ଚିତ୍ରକଳା, ଭୁବନେଶ୍ୱରର ନୃତ୍ୟାତ୍ମା ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ଏବଂ ଆରାଧନା ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରବ ରଙ୍ଗ ଇତ୍ୟାଦି ପରିବେଷଣ ହେବ ।ଏହି ଉତ୍ସବରେ ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ।
Comments are closed.