Latest Odisha News

BREAKING NEWS

ଜ୍ଞାନଦାତା ଶ୍ରୀଗଣେଶାୟଂ

ଓଁ ନମୋ ଗଣେଶାୟ ବିଘ୍ନେଶ ଗିରିଜା ନନ୍ଦନ ପ୍ରଭୃ ! 
ସର୍ବବିଘ୍ନ ନିହତ୍ୟାଶୁ ସର୍ବସିଦ୍ଧ ପ୍ରଦୋଭବ ।”

ପବିତ୍ର ଗଣେଶ ପୂଜା ଉତ୍କଳରେ ନୁହେଁ, ହିମାଳୟଠାରୁ କୁମାରୀକା ପର୍ଯ୍ୟନ୍ତ ସମଗ୍ର ଭାରତ ବର୍ଷରେ ପାଳିତ ହେଉଛି । ଗଣେଶ ଜ୍ଞାନଦାତା, ବିଦ୍ୟାଦାତା, ବିଘ୍ନ ବିନାଶକାରୀ ପ୍ରଭୃ ଗଣନାଥ ଭାବେ ସର୍ବବିଦିତ । ହିନ୍ଦୁ ଧର୍ମରେ ମହାବିନାୟକ ପରି ଆଉ କୌଣସି ଦେବତା ଏତେ ଲୋକପ୍ରିୟ ନୁହଁନ୍ତି । କାରଣ ଆବାଳ ବୃଦ୍ଧ ସମସ୍ତେ ତାଙ୍କୁ ପୂଜା କରନ୍ତି । ଗଣେଶ ହେଉଛନ୍ତି ଜ୍ଞାନ ଓ ପ୍ରଜ୍ଞା ର ପ୍ରତୀକାତ୍ମକ ବିଗ୍ରହ । ବର୍ଷକରେ ମାତ୍ର ଦୁଇଥର ଛାତ୍ର ଛାତ୍ରୀ, ପଣ୍ତିତ ଓ ବୁଦ୍ଧିଜୀବିମାନେ ହାତ ଯୋଡ଼ି ଜ୍ଞାନ ବିଦ୍ୟା ଭିକ୍ଷା କରନ୍ତି । ସେଥିରୁ ଗୋଟିଏ ମାଘମାସ ଶ୍ରୀପଞ୍ଚମୀ ଓ ଅନ୍ୟଟି ଭାଦ୍ର ମାସର ଏହି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ । ବାଳକ ବାଳିକାମାନଙ୍କ ନୂତନ ବିଦ୍ୟାରମ୍ଭର ପହିଲିବାର, ଓଁ ଶ୍ରୀ ଏହି ପବିତ୍ର ଦିବସରେ ଖଡିଛୁଆଁ କରାଯାଏ । ଉତ୍କଳର ହିନ୍ଦୁ ଗୃହରେ ଅନ୍ନପ୍ରାଶନ, ବିଦ୍ୟାରମ୍ଭ, ଗୃହପ୍ରବେଶ, ଉପନୟନ, ବିବାହାଦି ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ସର୍ବପ୍ରଥମେ ଅର୍ଚ୍ଚନା କରାଯାଇ ତା’ପରେ ଶୁଭକାର୍ଯ୍ୟ ଆରମ୍ଭ ହୁଏ । ଶିବ ପାର୍ବତୀ ଗଣେଶଙ୍କର ଜନକ ଜନନୀ ହେଲେ ମଧ୍ୟ ଗଣେଶ ହେଉଛନ୍ତି ଆଦିଦେବ । ତେଣୁ ଶିବ ଓ ପାର୍ବତୀଙ୍କ ବିବାହରେ ପ୍ରଥମେ ଶ୍ରୀଗଣେଶଙ୍କୁ ଆବାହନ କରାଯାଏ । ସେ ସର୍ବ ଦେବତାଙ୍କ ଦ୍ୱାରା ପୂଜିତ, ଅଗ୍ରପୂଜା ଗଣଦାତା ଶୁଭଦ ଓ ବରଦ ଅଟନ୍ତି ମଙ୍ଗଳଦାୟକ ଶ୍ରୀଗଣେଶ । ବ୍ୟାସଦେବଙ୍କ କଥିତ ଶାସ୍ତ୍ରକୁ ଲେଖନୀ ଧରି ଭକ୍ତମାନଙ୍କ ପାଇଁ ଗଣେଶହିଁ ସର୍ବଶାସ୍ତ୍ର ଲେଖିଥିଲେ, କାରଣ ଗଣେଶ କେବଳ ସମର୍ଥ ଥିଲେ ।

ସନ୍ଥ ଜ୍ଞାନେଶ୍ୱର କହନ୍ତି, ଓଁ “ର `ଅ’ ରୂପ ଦ୍ୱାରା ଗଣେଶଙ୍କ ପଦ ଯୁଗଳ, ‘ଉ’ ରୂପ ଦ୍ୱାରା ତାଙ୍କର ବିଶାଳ ଉଦର ଓ ‘ମ’ ରୂପ ଦ୍ୱାରା ମସ୍ତକ ଅଭିବ୍ୟକ୍ତ । ତେଣୁ ଅ-ଉ-ମ’ ଯଥାର୍ଥରେ ଗଣେଶର ପର୍ଯ୍ୟାୟ ବାଚକ, ଏହାର କ୍ଷୁଦ୍ର ଗର୍ଭ ମଧ୍ୟରେ ସମଗ୍ର ହିନ୍ଦୁ ଧର୍ମର ଆଧ୍ୟାତ୍ମିକ ଚିନ୍ତା ଓ ବିଶ୍ୱାସ ପରିପୂର୍ଣ୍ଣ ହୋଇ ରହିଛି ।

ତାଳପତ୍ରରେ ଲିଖିତ ସମସ୍ତ ପ୍ରାଚୀନ ପାଣ୍ତୁଲିପିରେ ସର୍ବପ୍ରଥମେ ଶ୍ରୀଗଣେଶଙ୍କୁ ନମସ୍କାର (ଶ୍ରୀ ଗଣାଧି ପତୟେ ନମଃ) ପୂର୍ବକ ଆରମ୍ଭ କରାଯାଇଛି । ମାଟିର ଆଦିକବି ସାରଳା ଦାସ ତାଙ୍କ ମହାଭାରତରେ ପ୍ରଥମେ ଶ୍ରୀଗଣେଶଂକ ବନ୍ଦନା କରିଛନ୍ତି । କବି ତାଙ୍କ ବିଶାଳ ଗ୍ରନ୍ଥରେ ଏ ଦୁଃସ୍ଥର ସଂସାରରୁ ପାର ହେବା ପାଇଁ, ପାପ,ତାପ ଜର୍ଜ୍ୱରିତ ମାନବ ସମାଜକୁ ମୁକ୍ତି ନିମନ୍ତେ ବନପର୍ବରେ ପ୍ରାର୍ଥନା କରିଛନ୍ତି ;

‘ସ୍ୱାମୀ ତବ ଚରଣେ ନାଥ ଡନ୍ମେ ଜନ୍ମେ ସେବା ,
ଇୟେ ସଂସାର ଜିଣିବାକୁ ନାଥ ଅଭୟବର ଦେବା ।”

ଶ୍ରୀଗଣେଶ ତନ୍ତ୍ରର ଦେବତା, ତନ୍ତ୍ର ଗାଣପତ୍ୟରେ ମୂଖ୍ୟ ଦେବତା ଭାବରେ ପୂଜିତ । ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଂକ ଆଗରୁ ସେ ବିଦ୍ୟମାନ । ତାଙ୍କୁ ଆରାଧନା ନକରି ବ୍ରହ୍ମା ସୃଷ୍ଟି ପ୍ରକ୍ରିୟାରେ ପ୍ରବୃତ୍ତ ହେବାରୁ ସୃଷ୍ଟି ବିଘ୍ନିତ ହେଲା, ଶେଷରେ ସୂଷ୍ଟି କର୍ତ୍ତା ବ୍ରହ୍ମା ବିଘ୍ନେଶ୍ୱରଙ୍କୁ ଯଥୋଚିତ ବନ୍ଦନା କରି ସୃଷ୍ଟି ସର୍ଜନା କଲେ । ଗଣେଶଙ୍କର କୌଣସି ମୂର୍ତ୍ତି ବା ମନ୍ଦିର ନଥାଇ କୌଣସି ସହର ବା ଗ୍ରାମନାହିଁ । ଏହି ପୂଡା ଆମ ଦେଶରେ ପଞ୍ଚମ ଖ୍ରୀଷ୍ଟାଦ୍ଦ ଠାରୁ ପ୍ରଚଳିତ ହୋଇଆସୁଛି । ଋକ୍ ବେଦରେ ଶ୍ରୀଗଣେଶଙ୍କ ନାମ ଉଲ୍ଲେଖ ରହିଛି । କୁଶାନ ରାଜାଙ୍କ ପ୍ରାଚୀନ ମୁଦ୍ରାରେ ଗଣପତିଙ୍କର ଚିତ୍ର ଦେଖିବାକୁ ମିଳେ । ଆଗ୍ରା, ସିଂହଳର ମିହିନତାଲେ ଠାରେ ଶ୍ରୀଗଣେଶଙ୍କ ମୂର୍ତ୍ତି ଦେଖିବାକୁ ମିଳେ । ଭୂମେରା ସ୍ଥାପତ୍ୟରେ ଶ୍ରୀଗଣେଶଙ୍କ ମୂର୍ତ୍ତି ଖୋଦିତ ହୋଇଥିବା ସଙ୍କେତ ମିଳେ । ତ୍ରିପୁରାର ଉନାକୋଟି ପାହାଡରେ ଗଣେଶଙ୍କର ସର୍ବବୃହତ୍ତମ ମୂର୍ତ୍ତି ଦେଖାଯାଏ । କର୍ଣ୍ଣାଟକ, ଆବୁଦୟାର, କୋଏଲ ମଦୁଲାଇର ମିନାକ୍ଷୀ ମନ୍ଦିର ପ୍ରଭୃତି ବହୁ ସ୍ଥାନରେ ଶ୍ରୀଗଣପତିଙ୍କ ମୂର୍ତ୍ତି ରହିଛି ।

ଓଡିଶାର ପ୍ରତ୍ୟେକ ଶିବ ମନ୍ଦିରରେ କାନ୍ଥ ବା କଥାମାନଙ୍କରେ ଶିବଙ୍କର ପରିବାର ସଦସ୍ୟ ଜଣେ ଦେବତା ଭାବରେ ଗଣେଶଙ୍କ ମୂର୍ତ୍ତି ରଖାଯାଇ ନିତ୍ୟ ପୂଜା କରାଯାଏ । ବିଭିନ୍ନ ମଠ, ମନ୍ଦିର ପାର୍ଶ୍ୱଦେବତା ଭାବେ ସେ ପୂଜା ପାଉଛନ୍ତି । ଘରର ଫାଟକ ଓ ଦରଜା ନିକଟରେ ମଧ୍ୟ ତାଙ୍କୁ ସ୍ଥାପନ କରାଯାଉଛି । ଶ୍ରୀମନ୍ଦିରରେ କଳ୍ପବଟ ତଳକୁ ଦକ୍ଷିଣ ମୁଖ କରି ଏକ ଗଣେଶ ମନ୍ଦିର ଅଛି । ସ୍ୱଂୟ ବ୍ରହ୍ମା ପ୍ରଥମେ ଏହାଙ୍କ ପୂଜା ଅର୍ଚ୍ଚନା କରି ପରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ସେଠାରେ ଥିବା ଗଣେଶ ବଟ ଗଣେଶ ଭାବରେ ନାମିତ ହୋଇଛନ୍ତି । ଧଉଳି ଗିରିର ସିଦ୍ଧ ଗଣେଶ ଓ ଲିଙ୍ଗରାଜ ମନ୍ଦିର ବେଢା ମଧ୍ୟରେ ଶ୍ରୀଶ୍ରୀ ବିନାୟକଦେବ ଭାହରେ ପୂଜିତ ହୋଇ ଆସୁଛନ୍ତି । ଓଡ଼ିଶାର ଶୈବ୍ ବିଜୟ ନଗରର ଅଧିପତି ସାଲ୍ୱ ନରସିଂହ ଗଣପତିଙ୍କର ଉପାସକ ଥିବା ଜଣାଯାଇଛି । ଗଜପତି ପୁରୁଷୋତ୍ତମଦେବ କାଞ୍ଜି ଅଧିପତି ସାଲ୍ୱ ନରସିଂହ ଦେବଙ୍କ କନ୍ୟା ପଦ୍ମାବତୀଙ୍କୁ ପାଇବା ପାଇଁ ପ୍ରଥମ ଯୁଦ୍ଧରେ ପରାସ୍ତ ହୋଇଥିଲେ ଓ ଦ୍ୱିତୀୟବାର ଗଣେଶଙ୍କୁ ଆରାଧାନା କରି ବିଜୟଲାଭ କରିବା ଓ ଗଣେଶଙ୍କୁ ସେଠାରୁ ଚୋରାଇ ଆଣିଥିବାର କିମ୍ବଦନ୍ତୀ ରହିଛି । ଏହି କିମ୍ବଦନ୍ତୀ ମାଦଳାପାଞି ଓ ଓଡ଼ିଆ ସାହିତ୍ୟରେ ଦେଖିବାକୁ ମିଳେ ।

ଶ୍ରୀଗଣେଶଙ୍କ ଜନ୍ମ ରହସ୍ୟମୟ । ପାର୍ବତୀ ଅପୁତ୍ରିକ ଦୋଷରୁ ରକ୍ଷା ପାଇବା ପାଇଁ ଶିବଙ୍କୁ ପୁତ୍ରପାଇଁ ବର ପ୍ରାର୍ଥନାରେ ଏକା ଜିଦରେ ଅଟଳ ରହିଲେ । ମରଣାନ୍ତେ ପିଣ୍ତଦାନ ପାଇଁ ଲୋକମାନେ ପୁତ୍ର କାମନା କରନ୍ତି । କିନ୍ତୁ ଦେବଦେବ ମହାଦେବ ପ୍ରାଣୀମାନଙ୍କ ଦେହରେ ଆତ୍ମା ରୂପେ ବିଦ୍ୟମାନ । ସର୍ବଦେହରେ ଆଧାର, ତାଙ୍କର ପୁତ୍ର ଲାଭର କିଛି ଉପକାର ଓ ଆବଶ୍ୟକ ନାହିଁ କହି ପରିହାସ କରି ପଣତକାନିକୁ ମାଟିପିଣ୍ତୁଳା ପରି ମୋଡି ପୁତ୍ର ନିଅ କହି ପାର୍ବତୀଙ୍କୁ ବଢାଇଦେଲେ । ପାର୍ବତୀ ଅତ୍ୟନ୍ତ କ୍ରୋଧରେ ପିଣ୍ତୁଳାଟିକୁ ଫିଙ୍ଗିଦେବାରୁ, ସେଥିରୁ କୁଆଁ କୁଆଁ ଶଦ୍ଦ କରି ଏକପୁତ୍ର ଜନ୍ମ ହେଲା ଓ ପାର୍ବତୀଙ୍କ ସ୍ତନରୁ କ୍ଷୀରସ୍ରାବ ହେଲା । ପାର୍ବତୀ ପୁତ୍ରକୁ ତୋଳି ଦେଖିଲେ ପୁତ୍ର ଅଳ୍ପାୟୁଷ, ଶିବ ପୁତ୍ରକୁ ଧରନ୍ତେ ତାହା ତଳେ ପଡି ବେନି ଖଣ୍ତ ହୋଇଗଲା । ପାର୍ବତୀଙ୍କ ଅନୁରୋଧରେ ମହାଦେବ ଶିବ ପୁନର୍ବାର ହସ୍ତୀ ମୁଣ୍ତ ଯୋଡି ଜୀବନ୍ୟାସ ଦେଲେ । ତେଣୁ ଗଣେଶ ଗଜାନନ ଭାବେ ବିଦିତ । ଏହାର କିମ୍ବଦନ୍ତୀ ମଧ୍ୟ ଅନ୍ୟ ପ୍ରକାର ରହିଛି ।

ଯାହାହେଉ, ଶ୍ରୀଗଣେଶ ସର୍ବ ବିଦିତ । ତାଙ୍କର ମୂର୍ତ୍ତି ଗଠନ ଦ୍ୱିବିଧ ପ୍ରକାର, ଗୋଟିଏ ବଲମପୁରୀ ବିନାୟକ, ଯାହାର ଶୁଣ୍ଡ ଡାହାଣକୁ ବକ୍ର ଥାଏ ଓ ଅନ୍ୟଟି ଉଦାମପୁରୀ ବିନାୟକ, ଯାହାକି ଶୁଣ୍ଡ ବାମକୁ ବକ୍ର ହୋଇଥାଏ । ତାଙ୍କର ରୂପ ବେଶ ବର୍ଣ୍ଣନା କରି ସାରଳା ଦାସ ଉଦ୍ଯୋଗପର୍ବ (ଉଦ୍.ଯୋଗପର୍ବ)ରେ ଲେଖିଛନ୍ତି ;

‘ଅରୋ ଯେନୁ ସର୍ବ ଦେବତାଙ୍କ ମେଳେ,
ଭଟେଣ ଅମୃତ ଲଡୁ ଭକ୍ଷିଲୁ କୌତୁହଳେ
ପଶୁ ଯେ ଅଙ୍କୁଶ ତୋର ସୂର୍ଯ୍ୟର କିରଣ
ଗଜମଣି ମୁକୁଟ ତୋ ଲଲାଟ ଭୂଷଣ,
ପୟରେ ନୂପୂର ତୋର ଘାଙ୍ଗୁଡି ରୁଣୁଝୁଣ
ନୃତ୍ୟରସ ଗୀତରେ ମୋହିଲୁ ସୁରଗଣ ।”

ଶ୍ରୀଗଣେଶ ହେଉଛନ୍ତି ଗଣଦେବତା । ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ତାଙ୍କର ପୂଜା କରିଥାନ୍ତି । ହିନ୍ଦୁ ସମାଜର ପୂର୍ଣ୍ଣ ବିଶ୍ୱାସ ଯେ, ତାଙ୍କୁ ରକ୍ତଚନ୍ଦନ ଓ ପୁଷ୍ପରେ ପୂଜା କଲେ ସେ ସର୍ବକାମନା ପୂର୍ଣ୍ଣ କରନ୍ତି । ଜଗତକୁ ପାପ ମୁକ୍ତ କରିବାରେ ତାଙ୍କର କ୍ଷମତା ରହିଛି । ସେ ହିଁ ଜ୍ଞାନ ବିଦ୍ୟାରେ ଏ ଜଗତକୁ ସୌଭାଗ୍ୟ ମଣ୍ତିତ କରିବା ସହିତ ସମସ୍ତ ବିପଦକୁ ଖଣ୍ତନ କରନ୍ତୁ । ଆସ ପ୍ରାର୍ଥନା କରିବା :

“ଓଁ ଗଜାନନଂ ଭୂତ ଗଣାଦି ସେବିତଂ
କପିତ୍ଥ ଜମ୍ବୁଫଳ ଚାରୁ ଭକ୍ଷଣମ୍
ଉମା ସୁତଂ ଶୋକ ବିନାଶ କାରକଂ
ନମାମି ବିଘ୍ନେଶ୍ଵର ପାଦ-ପଙ୍କଜମ୍ ।”

ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ,
କଟକ-୪
ଦୂରଭାଷ : ୯୦୪୦ ୧୫୧୪୭୫
email: laxmansahoo9040@gmail.com

Leave A Reply

Your email address will not be published.