ନୂଆଦିଲ୍ଲୀ: ଭାରତ ହାରିଲା ମେଲବର୍ଣ୍ଣ ଟେଷ୍ଟ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ୧୮୪ ରନରେ ହାରିଛି ଭାରତ । ଏହାପରେ ଟିମ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମାଙ୍କ ଲଗାତର ଫ୍ଲପ୍ ଶୋକୁ ନେଇ ଚର୍ଚ୍ଚା ବଢିଛି । ରୋହିତ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବା ପାଇଁ ସୋସିଆଲ୍ ମିଡିଆରେ ପୋଷ୍ଟ କରୁଛନ୍ତି ଫ୍ୟାନ୍ । ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଜଶପ୍ରୀତ ବୁମରାହ କ୍ୟାପଟେନ୍ ଥିବା ବେଳେ ଭାରତ ୨୯୫ରନରେ ବିଜୟୀ ହୋଇଥିଲା । ତେବେ ଦ୍ବିତୀୟ ଟେଷ୍ଟରେ ରୋହିତ ଶର୍ମା କ୍ୟାପଟେନ୍ସି ସମ୍ଭାଳିବା ପରେ ହାରିଥିଲା ଟିମ୍। କେବଳ ଅଧିନାୟକ ଭାବେ ନୁହେଁ ରୋହିତଙ୍କ ନିଜସ୍ବ ପ୍ରଦର୍ଶନ ବି ଗତ କିଛି ମାସ ଧରି ନିରାଶାଜନକ ରହିଛି ।
ଖରାପ ଫର୍ମରେ ରୋହିତ ଶର୍ମା
ବର୍ଡର ଗାଭାସ୍କର ଟ୍ରଫିର ୩ଟି ଯାକ ଟେଷ୍ଟରେ କ୍ୟାପଟେନ୍ ରୋହିତ ଶର୍ମାଙ୍କ ଖରାପ ଫର୍ମ ଦେଖିବାକୁ ମିଳିଛି । ନା କ୍ରିଜରେ ରହିପାରୁଛନ୍ତି ନା ବ୍ୟାଟିଂରେ କମାଲ୍ କରିପାରୁଛନ୍ତି ରୋହିତ । ଏପର୍ଯ୍ୟନ୍ତ ସିରିଜରେ ଯଥାକ୍ରମେ ୩,୬,୧୦, ୩ ଓ ୯ରନ୍ କରିଛନ୍ତି। ମାତ୍ର ଥରେକୁ ଛାଡିଦେଲେ ଏକ ଅଙ୍କରେ ରହିଛି ରୋହିତଙ୍କ ସ୍କୋର । ପୂରା ଟେଷ୍ଟ ସିରିଜରେ ଏପର୍ଯ୍ୟନ୍ତ ୩୧ରନ୍ କରିଛନ୍ତି ରୋହିତ ଶର୍ମା । କେବଳ ଅଷ୍ଟ୍ରେଲିଆ ସିରିଜ ନୁହେଁ ଅକ୍ଟୋବର-ନଭେମ୍ବରରେ ହୋମଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବି ନିରାଶାଜନକ ପ୍ରଦର୍ଶନ କରିଥିଲେ ରୋହିତ । ଭାରତକୁ ୦-୩ରେ ହରାଇଥିଲା ନ୍ୟୁଜିଲାଣ୍ଡ। ତିନିଟି ଟେଷ୍ଟ ମ୍ୟାଚରେ ମୋଟ୍ ୯୧ ରନ୍ କରିବାକୁ ହିଁ ସକ୍ଷମ ହୋଇଥିଲେ ରୋହିତ ଶର୍ମା । ଏହାପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ ବି ରୋହିତଙ୍କ ଅଧିନାୟକତ୍ବରେ ହାରିଥିଲା ଟିମ୍ ଇଣ୍ଡିଆ ।
ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବେ ରୋହିତ?
ଲଗାତର ଖରାପ ପ୍ରଦର୍ଶନ ପରେ ପ୍ରଶ୍ନ ଉଠୁଛି, ମେଲବର୍ଣ୍ଣ ଟେଷ୍ଟ ହେବ କି ରୋହିତ ଶର୍ମାଙ୍କ ଶେଷ ଟେଷ୍ଟ ମ୍ୟାଚ? ସିଡନୀରେ ହେବାକୁ ଥିବା ଟେଷ୍ଟ ମ୍ୟାଚ ଖେଳିବେନି କି ରୋହିତ? ରୋହିତଙ୍କ ଖରାପ ପ୍ରଦର୍ଶନ ଭିତରେ ସିଡନୀ ଟେଷ୍ଟରେ ଅଧିନାୟକ ଦାୟିତ୍ବ ବୁମରାହଙ୍କୁ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । କେବଳ ବର୍ଡର ଗାଭାସ୍କର ଟ୍ରଫି ନୁହେଁ ଗତ ୧୫ଟି ଟେଷ୍ଟରେ ସେଭଳି ଖାସ୍ ପ୍ରଦର୍ଶନ କରିପାରିନାହାନ୍ତି ରୋହିତ ଶର୍ମା । ୧୦.୯୩ ଆଭରେଜ ରନରେଟ୍ ସହ ମାତ୍ର ୧୬୪ ରନ୍ କରିଛନ୍ତି । ତାଙ୍କର ସବୁଠୁ ଭଲ ସ୍କୋର ରହିଛି ୨୩ରନ୍। ଅର୍ଥାତ ଶତକ ଦୂରେ ଥାଉ ଭାରତୀୟ କ୍ୟାପଟେନ୍ ଅର୍ଦ୍ଧଶତକ ବି ଲଗାଇ ପାରିନାହାନ୍ତି । ବ୍ୟାଟିଂ ତ ଫେଲ୍ ମାରିଛି ତ ରୋହିତଙ୍କ କ୍ୟାପଟେନସିପ୍ ବି ଟ୍ରାକରୁ ବାହାରେ ରହିଛି ।
ଟ୍ରେଣ୍ଡ କରୁଛି ସନ୍ୟାସ ନିଅନ୍ତୁ ରୋହିତ
ରୋହିତ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବା ନେଇ ସୋସିଆଲ୍ ମିଡିଆରେ ଫ୍ୟାନ୍ ପୋଷ୍ଟ କରୁଛନ୍ତି । ରୋହିତଙ୍କୁ ଟିମ୍ ଇଣ୍ଡିଆର ସବୁଠୁ ଖରାପ କ୍ୟାପଟେନ୍ କହିବା ସହ ଗତ ୧୫ଟି ଟେଷ୍ଟରେ ତାଙ୍କ ନିରାଶାଜନକ ପ୍ରଦର୍ଶନକୁ ନେଇ ପୋଷ୍ଟ କରୁଛନ୍ତି । ହାପି ରିଟାୟାରମେଣ୍ଟ ମିମସ ବି ଭାଇରାଲ୍ ହେବାରେ ଲାଗିଛି । କେବଳ ଫ୍ୟାନ୍ ନୁହନ୍ତି ପୂର୍ବତନ କ୍ରିକେଟର ବି ରୋହିତ ଟେଷ୍ଟ କ୍ରିକେଟ ଛାଡିବା ନେଇ ସଂକେତ ଦେଉଛନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ ହେଡ୍ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି, ଆଗକୁ ଟେଷ୍ଟ କ୍ରିକେଟ୍ ଖେଳିବା ନଖେଳିବା ନେଇ ରୋହିତ ନିଷ୍ପତ୍ତି ନେବେ । ଟପ୍ ଅର୍ଡରରେ ତାଙ୍କ ଫୁଟଓ୍ବାର୍କ ପୂର୍ବ ଭଳି ନାହିଁ । ସେ ବଲ୍ ଧରିବାରେ ବିଳମ୍ବ କରୁଛନ୍ତି । ତେଣୁ ସିରିଜ ଶେଷରେ ରୋହିତ ନିଜେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ରବି ଶାସ୍ତ୍ରୀଙ୍କ ପୂର୍ବରୁ ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ୍ ମାର୍କ ଓ୍ବ ମଧ୍ୟ ରୋହିତଙ୍କୁ ନେଇ ମନ୍ତବ୍ୟ ଦେଇଥିଲେ । ସେ ଚୟନକର୍ତ୍ତା ହୋଇଥିଲେ ରୋହିତ ଶର୍ମାଙ୍କୁ ଧନ୍ୟବାଦ ଦେବା ସହ ସିଡନୀ ଟେଷ୍ଟରୁ ଜଶପ୍ରୀତ ବୁମରାହଙ୍କୁ କ୍ୟାପଟେନସିପ୍ ଦେଇଥାନ୍ତେ ବୋଲି କହିଛନ୍ତି ।
Comments are closed.