Latest Odisha News

BREAKING NEWS

ରୋହିତଙ୍କୁ ଅଧିନାୟକ ପଦରୁ ହଟାଇବା ପ୍ରଶ୍ନରେ ଚୁପ ରହିଲେ ହାର୍ଦ୍ଦିକ, ବାଉଚର

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ବିଜେତା ହୋଇଥିଲା । ଅଥଚ ଏଥର ରୋହିତଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ଯାହାକୁ ନେଇ ପ୍ରଶଂସକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସୋମବାର ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଜାରୀ କରାଯାଇଥିବା ପ୍ରେସ କନଫେରେନ୍ସରେ ହାର୍ଦ୍ଦିକ ଓ କୋଚ ମାର୍କ ବାଉଚର ଉପସ୍ଥିତ ଥିଲେ । ରୋହିତଙ୍କୁ ଅଧିନାୟକ ପଦରୁ ହଟାଯିବା କାରଣ ସମ୍ପର୍କରେ ପଚରାଯିବାରୁ ଉଭୟ ନୀରବତା ଅବଲମ୍ବନ କରିଥିଲେ । ବାଉଚର ଅନ୍ୟ ପ୍ରଶ୍ନ ପଚାରିବା ପାଇଁ ସାମ୍ବାଦିକଙ୍କୁ କହିଥିଲେ ।

ଅବଶ୍ୟ ହାର୍ଦ୍ଦିକ ବୁଲେଇ ବଙ୍କେଇ ରୋହିତଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଏଥର କିଛି ଭିନ୍ନ ହେବାକୁ ଯାଉନି । ରୋହିତ ତାଙ୍କ ନେତୃତ୍ୱରେ ଦଳ ପାଇଁ ଯେଉଁ ସଫଳତା ହାସଲ କରିଛନ୍ତି ତାହା ମୁଁ ଆଗକୁ ବଢ଼ାଇବାକୁ ଚାହିଁବି । ସେ ଭାରତୀୟ ଟିମର ଅଧିନାୟକ । କ୍ୟାରିୟରରେ ଅଧିକାଂଶ ମ୍ୟାଚ ମୁଁ ତାଙ୍କ ଅଧିନରେ ଖେଳି ଆସିଛି । ଏଥର ସମ୍ପୂର୍ଣ୍ଣ ସିଜନ ତାଙ୍କ ହାତ ମୋ କାନ୍ଧରେ ରହିବ । ମାର୍ଚ୍ଚ ୧୮ରେ ମୁମ୍ବାଇ ତାର ପ୍ରଥମ ଅଭ୍ୟାସ ମ୍ୟାଚ ଖେଳିବ ବୋଲି ହାର୍ଦ୍ଦିକ କହିଛନ୍ତି ।

ମୁମ୍ବାଇ କିପରି ଭଲ ପ୍ରଦର୍ଶନ କରିବ ସେଥିପ୍ରତି ଆମ ସମସ୍ତଙ୍କ ଉଦ୍ୟମ ରହିବ । ରୋହିତଙ୍କୁ ଅଧିନାୟକ ପଦରୁ ହଟାଯିବା ସମ୍ପର୍କରେ ଏମାନେ ଠିକ ଉତର ଦେଇ ନ ପାରିବାରୁ ପ୍ରଶଂସକମାନେ ସୋସିଆଲ ମିଡିଆରେ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି । ଏ ନେଇ ରୋହିତଙ୍କ କୌଣସି ବୟାନ ସମ୍ମୁଖକୁ ଆସି ନାହିଁ । ଆଇପିଏଲର ଉଦଘାଟନୀ ମ୍ୟାଚ ମାର୍ଚ୍ଚ ୨୨ରେ ଚେନ୍ନାଇ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ।

Leave A Reply

Your email address will not be published.