Latest Odisha News

BREAKING NEWS

‘ଭାରତୀୟ ଦଳର ନେତୃତ୍ୱ ନେବାର ଦକ୍ଷତା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ରହିଛି’

ନୂଆଦିଲ୍ଲୀ: ଆଇପିଏଲ ବିଜେତା ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ଭାରତୀୟ ଦଳର ଅଧିନାୟକ ହେବାର ଦକ୍ଷତା ରହିଛି। ତାଙ୍କ ପାଖରେ ଥିବା ସକାରାତ୍ମକ ଇଚ୍ଛାଶକ୍ତି ଏବଂ ଉଦ୍ଦୀପନା ହିଁ ପ୍ରମାଣ କରୁଛି ସେ ଭବିଷ୍ୟତରେ ଭାରତୀୟ ଦଳର ଅଧିନାୟକ ହୋଇପାରିବେ। ରାଜ୍ୟସଭା ସାଂସଦ ତଥା ପୂର୍ବତନ କ୍ରିକେଟର ହରଭଜନ ସିଂହ ଏହା କହିଛନ୍ତି।

ଗୁଜରାଟ ଟାଇଟନ୍ସକୁ ଚଳିତ ଆଇପିଏଲ ସିଜିନରେ ବିଜେତା କରିବାରେ ଏହି 28 ବର୍ଷୀୟ ଅଲରାଉଣ୍ଡରଙ୍କ ଭବିଷ୍ୟତକୁ ନେଇ ହରଭଜନ କହିଛନ୍ତି, ଚଳିତ ବର୍ଷ ଆଇପିଏଲରେ ସବୁଠାରୁ ବଡ ରେଜଲ୍ଚ ହେଲା ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଅଧିନାୟକ ହୋଇପାରିବେ। ସେ ଯେଉଁଭଳି ଭାବେ ଦଳକୁ ଆଗଧାଡିରୁ ନେତୃତ୍ୱ ନେଇ ଏହି ସମ୍ମାନଜନକ ଟାଇଟଲ ଜିତାଇଥିଲେ ତାହା ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ।

ଏକ ସାକ୍ଷାତକାରରେ ହରଭଜନ କହିଛନ୍ତି, ତାଙ୍କର ଉଦ୍ଦେଶ୍ୟ ଏବଂ ସକାରାତ୍ମକ ଅଧିନାୟକତ୍ୱ ଭବିଷ୍ୟତରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇପାରିବାର ସଙ୍କେତ ଦେଇଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷ 5 ଟିକିଆ ମ୍ୟାଚ୍ ବିଶିଷ୍ଟ ଟ୍ୱେଣ୍ଟି-ଟ୍ୱେଣ୍ଟି ଶୃଙ୍ଖଳା ପାଇଁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଚଳିତ ବର୍ଷ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ଅନେକ ଯୁବ ଖେଳାଳିଙ୍କ ଉପରେ ନିର୍ଭର କରୁଛି। ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ରୁତୁତାଜ ଗାଏକ୍ୱାଡ୍, ଇଶାନ କିଷାନ, ଉମରାନ୍ ମଲିକ୍ ଓ ଅର୍ଶଦୀପ ସିଂହଙ୍କ ଭଳି ଖେଳାଳିଙ୍କ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପ୍ରଭାବ ବିସ୍ତାର କରିବାର ଏହା ଏକ ଭଲ ସୁଯୋଗ ବୋଲି ହରଭଜନ କହିଛନ୍ତି।

ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ଆଇସିସି ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ଏହି ଯୁବ ଖେଳାଳିଙ୍କ ପାଇଁ କିଛି ବିଶେଷ କରିବାର ସୁଯୋଗ ରହିଛି। ଟିମ୍ ମ୍ୟାନେଜମେଣ୍ଟ ଏଥର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଯୁବ ଖେଳାଳିଙ୍କୁ ଗୁରୁତ୍ୱ ଦେଇଛି ବୋଲି ସେ କହିଛନ୍ତି।

2001ରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ପ୍ରଥମ ଭାରତୀୟ ଭାବେ ହ୍ୟାଟ୍ରିକ୍ ନେଇଥିବା ହରଭଜନ କହିଛନ୍ତି, ଟ୍ୱେଣ୍ଟି-ଟ୍ୱେଣ୍ଟି ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୟୁଜବେନ୍ଦ୍ର ଚହଲଙ୍କ ପ୍ରଦର୍ଶନକୁ ସେ ଅପେକ୍ଷା କରିଛନ୍ତି। ଆଇପିଏଲ୍-15ରେ ଚହଲଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ପର୍ପଲ କ୍ୟାପ୍ ମିଳିଥିଲା – ଯାହା ଟୁର୍ଣ୍ଣାମେଣ୍ଟର ସର୍ବାଧିକ ଓ୍ୱିକେଟ୍ ନେଇଥିବା ବୋଲରଙ୍କ ପାଇଁ ସଂରକ୍ଷିତ ଥିଲା।

Leave A Reply

Your email address will not be published.