ନୂଆଦିଲ୍ଲୀ: ଶହେ ବର୍ଷ ତଳର ପରମ୍ପରା ଭାଙ୍ଗିଲେ ହରିୟାଣାର ଖାପ ପଞ୍ଚାୟତ । ଏବେ ପଡୋଶୀ ଗାଁରେ ବିବାହ କରିପାରିବେ ଯୁବକ ଯୁବତୀ। କିଛି ବର୍ଷ ତଳେ ପଡୋଶୀ ଗାଁରେ ବିବାହକୁ ଅପରାଧ ମନେ କରାଯାଉଥିଲା । ଏପରିକି ଦଣ୍ଡବିଧାନରେ ଅନରକିଲିଂ ଭଳି ଅପରାଧ ହେବା ନେଇ ଅଭିଯୋଗ ବି ହେଉଥିଲା । ତେବେ ହରିୟାଣାରେ ସାମାଜିକ ବିପ୍ଳବ ଆସିଛି । ପରିବର୍ତ୍ତନ ଆଡକୁ ପାଦ ବଢାଇଛନ୍ତି ଝାଜର ଓ ବେରୀ ସବଡିଭିଜନର ୬ଟି ଗାଁ । ବର୍ଷ ବର୍ଷ ଧରି ପଡୋଶୀ ଗାଁ ସହ ବିବାହ ସଂପର୍କ ସ୍ଥାପନ ହେଉନଥିବା ବେଳେ ଏବେ ପ୍ରଥମ ବିବାହ ପାଇଁ ଆଗ୍ରହର ସହ ଅପେକ୍ଷା କରିଛନ୍ତି ।
କାହିଁକି ହେଉନଥିଲା ବିବାହ?
କୁହାଯାଏ, ଶହେ ବର୍ଷ ତଳେ ୫ଟି ପଡୋଶୀ ଗାଁର ଲୋକେ ହାଟ ବଜାର କରିବାକୁ ଗଲେ ଗଓ୍ବାଲିସନ ଗାଁରେ ଆରାମ କରୁଥିଲେ। ଫଳରେ ଗଓ୍ବାଲିସନ ଗାଁ ସହ ବାକି ୫ଟି ଗାଁର ଭାଇଚାରା ବଢିଲା । ଭାଇ ଭାଇର ସଂପର୍କ ବଢିବା ଯୋଗୁଁ ବିବାହ ହୋଇପାରିଲାନି । ସେହିପରି ଆଉ ଏକ ଲୋକକଥା ବି ଶୁଣିବାକୁ ମିଳେ । ଥରେ ଏହି ୫ଗାଁ ମଧ୍ୟରୁ ଗୋଟିଏ ଗାଁର ଜଣେ ଯୁବତୀ କେଉଁଆଡେ ଯାଉଥିଲେ । ତେବେ ତାଙ୍କ ସହ ଅସଦାଚରଣ ଉଦ୍ୟମ ହେବା ବେଳେ ଯୁବତୀଙ୍କୁ ଗଓ୍ବାଲିସନ ଗାଁଲୋକେ ବଞ୍ଚାଇଥିଲେ । ଏହାପରଠୁ ଗାଁ ସହ ଭାଇଚାରା ତ ବଢିଲା ହେଲେ ବିବାହ ସଂପର୍କ ରଖିବାକୁ ଅପରାଧ କୁହାଗଲା ।
ସାମାଜିକ ବିପ୍ଳବ ଆଡକୁ ପାଦ
ଅଛେଜ, ମଲିକପୁର, ଗୋଧଡି, ପାହାଡିପୁର ଓ ସୈଫିପୁର ଗାଁର ସାମାଜିକ ମହାପଞ୍ଚାୟତରେ ଗଓ୍ବାଲିସନ ଗାଁ ସହ ଭାଇଚାରାକୁ ବୈବାହିକ ସଂପର୍କରେ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି । ବିବାହ ପାଇଁ ପୁଅ କିମ୍ବା ଝିଅ ଖୋଜିବା ବେଳେ ଗଓ୍ବାଲିସନ ଗାଁକୁ ବର୍ଷ ବର୍ଷ ଧରି ବାଦ୍ ଦିଆଯାଉଥିଲା । ହରିୟାଣାରେ ପୁଅ ଓ ଝିଅଙ୍କ ରେସିଓରେ ଅସମାନତା ଯୋଗୁଁ ବିବାହରେ ସମସ୍ୟା ହେଉଥିବା ବେଳେ ଗଓ୍ବାଲିସନ ଗାଁ ଛାଡିବା ଯୋଗୁଁ ହଇରାଣ ହେଉଥିଲେ ଏଠାକାର ଲୋକେ । ହଁ ନା ଭିତରେ ପରିବର୍ତ୍ତନ ନିଷ୍ପତ୍ତି ନେବାକୁ ଖାପ ପଞ୍ଚାୟତକୁ ପ୍ରାୟ ବର୍ଷେ ସମୟ ଲାଗିଥିଲା।
ଖାପ୍ ପଞ୍ଚାୟତ ନାଲିଆଖି
ଖାପ ପଞ୍ଚାୟତ ନିଷ୍ପତ୍ତିର ଯଥେଷ୍ଟ ଗୁରୁତ୍ବ ରହିଥାଏ । ଏହାକୁ ନମାନିଲେ ଜାତିରୁ ଅଲଗା ହେବା ସହ ଅନର କିଲିଂ ପରି ଘଟଣା ବି ସାମନାକୁ ଆସେ । ଗୋଟିଏ ଗାଁ, ସମାନ ଗୋତ୍ର କିମ୍ବା ଅନ୍ୟ ଧର୍ମରେ ବିବାହକୁ ନେଇ ଅନେକ ଥର ଅସନ୍ତୋଷ ଦେଖାଇଛନ୍ତି ଖାପ୍ ପଞ୍ଚାୟତ । ୨୦୦୭ରେ ହରିୟାଣାର ଏକ ଗାଁରେ ସମାନ ଜାତିରେ ପ୍ରେମୀଯୁଗଳ ବିବାହ କରିଥିଲେ । ତେବେ ଖାପ ପଞ୍ଚାୟତଙ୍କ କୋପରୁ ରକ୍ଷା ପାଇବାକୁ ପରିବାର ଲୋକ ପ୍ରେମୀଯୁଗଳଙ୍କୁ ହତ୍ୟା କରିଥିଲେ । ସେତେବେଳେ ଖାପ ପଞ୍ଚାୟତର ଯୁକ୍ତି ଥିଲା, ଗୋଟିଏ ଗୋତ୍ର ବା ଗାଁର ଲୋକ ଭାଇ ଭଉଣୀ, ତେଣୁ ସେମାନଙ୍କ ବିବାହ ଗ୍ରହଣୀୟ ନୁହେଁ । ହତ୍ୟାକାରୀ ପରିବାରକୁ ସମର୍ଥନ କରିଥିଲେ ଗାଁଲୋକେ । ତେବେ ମାମଲା କୋର୍ଟରେ ପହଞ୍ଚିବା ସହ ଅନରକିଲିଂ ମାମଲାରେ ଦଣ୍ଡାଦେଶ ହୋଇଥିଲା । ଖାପ ପଞ୍ଚାୟତ ମୁଖିଆଙ୍କୁ ବି ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହାପରେ ପ୍ରଥମ କରି ଖାପ ପଞ୍ଚାୟତର ଆବଶ୍ୟକତାକୁ ନେଇ ପ୍ରଶ୍ନ ଉଠିଥିଲା ।
ସମୟ ସହ ତାଳ ଦେଇ ବଦଳୁଛି ଖାପ ପଞ୍ଚାୟତର ପରିଚୟ । ଏବେ ବିବାଦଠୁ ବେଶୀ ସାମାଜିକ ପ୍ରସଙ୍ଗରେ କାମ କରୁଛନ୍ତି । ଏପରିକି ଅନେକ ଖାପ ପଞ୍ଚାୟତ ଝିଅଙ୍କୁ ପଢାଇବା ଦିଗରେ କାମ କରୁଛନ୍ତି । ୨୦୧୮ରେ ଅନେକ ଖାପ ପଞ୍ଚାୟତ ଅନର କିଲିଂ ବିରୋଧରେ ମତ ଦେବା ସହ ଝିଅଙ୍କୁ ବିବାହ ପାଇଁ ସାଥୀ ବାଛିବାର ଅଧିକାର ରହିଥିବା କହିଥିଲେ । ଶହେ ବର୍ଷ ପରେ ପରିବର୍ତ୍ତନ ଦିଗରେ ଗଓ୍ବାଲିସନ ସହ ବିବାହ ସଂପର୍କ ସ୍ଥାପନକୁ ଏହି ଦିଗରେ ଏକ ପଦକ୍ଷେପ ଭାବେ ଦେଖାଯାଉଛି ।
Comments are closed.