ନୂଆଦିଲ୍ଲୀ: ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ଯ ମୋହନ ଭାଗବତ ନାଗପୁରରେ ଅନୁଷ୍ଠିତ ହୋଇଥିବା କଥାଲେ କୁଲ ସମ୍ମିଳନୀରେ ଭାରତର ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତାପ୍ରକଟ କରିଛନ୍ତି।
ଯଦି ଜନସଂଖ୍ୟା ଅଭିବୃଦ୍ଧି ହାର ୨.୧ ତଳକୁ ଯାଏ, ତେବେ ସମାଜର ପତନ ଘଟିବ ଏବଂ ଏହିପରି ଭାବେ ଜନସଂଖ୍ୟା ହ୍ରାସ ସମାଜ ପାଇଁ ଭଲ ନୁହେଁ ବୋଲି ସେ କହିଛନ୍ତି। ପ୍ରତି ପରିବାରରେ ପ୍ରାୟ ୨ ରୁ ୩ଟି ଛୁଆ ରହିଲେ ହିଁ ସମାଜକୁ ବଞ୍ଚାଇ ରଖାଯାଇପାରିବ ବୋଲି ସେ କହିଛନ୍ତି।
ଜନସଂଖ୍ୟା ବୃଦ୍ଧିକୁ ଗୁରୁତ୍ୱ ଦେଇ ଭାଗବତ କହିଛନ୍ତି ଯେ,ପ୍ରତି ପରିବାରରେ ଗୋଟିଏ ସନ୍ତାନ ନ ରହି ଅତି କମରେ ୨ କିମ୍ବା ୩ଟି ପିଲା ରହିବା ଜରୁରୀ। ଏକ ସମାଜର ଜନସଂଖ୍ୟା ତଥା ପ୍ରଜନନ ହାର ଯଦି ୨.୧ ତଳକୁ ଯାଏ, ତାହେଲେ ସେହି ସମାଜ ପୃଥିବୀରୁ ଲୋପ ପାଇଯାଏ। ତେଣୁ ଜନସଂଖ୍ୟା ହାର ଏହାର ତଳକୁ ଯିବା ଉଚିତ୍ ନୁହେଁ ଏବଂ ଜନସଂଖ୍ୟା ନୀତି ୧୯୯୮ ଓ ୨୦୦୨ ମଧ୍ୟ ଏହି ସମାନ କଥା କହୁଥିବା ନେଇ ସେ ପ୍ରକାଶ କରିଛନ୍ତି।
ତେବେ ଭାରତ ସ୍ୱାଧୀନତା ପରେ ଅର୍ଥାତ୍ ୧୯୫୦ ମସିହାରେ ଭାରତରେ ପ୍ରଜନନ ହାର (ମହିଳାଙ୍କ ପ୍ରତି ଜନ୍ମ) ୬.୨ ଥିଲା। ବର୍ତ୍ତମାନ ତାହା ହ୍ରାସ ପାଇ ୨.୦ ପ୍ରତିଶତକୁ ଖସି ଆସିଛି। ଯଦି ପ୍ରଜନନ ହାର ଏହିପରି ଭାବରେ ହ୍ରାସ ପାଏ ତେବେ ୨୦୫୦ ସୁଦ୍ଧା ଭାରତରେ ପ୍ରଜନନ ହାର ୧.୩କୁ ଖସିଯିବ ବୋଲି ଆକଳନ କରାଯାଉଛି।