Latest Odisha News

BREAKING NEWS

ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ଏବେ ଅଧିକ ଶୀଘ୍ର ହୋଇଯିବ: ହାଇକୋର୍ଟ

କଟକ: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ଦାୟର ହୋଇଥିବା ପିଆଇଏଲ ବା ଜନସ୍ବାର୍ଥ ମାମଲାରେ ହାଇକୋର୍ଟ କହିଛନ୍ତି, ଏବେ ତଦନ୍ତକୁ ମାତ୍ର ୧୧ ଦିନ ହୋଇଛି। ତେଣୁ ଏବେ କେନ୍ଦ୍ରୀୟ ତଦନ୍ତ ନିର୍ଦ୍ଦେଶ ଦେବା ଅତି ଶୀଘ୍ର ହୋଇଯିବ। ଭାରତୀୟ ବିକାଶ ପରିଷଦ ଦ୍ୱାରା ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାରେ କୋର୍ଟ ଏଭଳି କହିଛନ୍ତି।

ସିବିଆଇ ତଦନ୍ତ ଦାବି କରି ପିଆଇଏଲ ଦାଖଲ କରିଥିଲା ଭାରତୀୟ ବିକାଶ ପରିଷଦ । ଦାୟର ହୋଇଥିବା ପିଆଇଏଲରେ କୁହାଯାଇଥିଲା ଯେ ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ ଏହି ମାମଲାରେ ତଦନ୍ତ କରୁଛି। କିନ୍ତୁ ତଦନ୍ତ ନିରପେକ୍ଷ ହେବାର ସମ୍ଭାବନା ନଥିବାରୁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ପିଆଇଏଲରେ କୁହାଯାଇଥିଲା।

ଭାରତୀୟ ବିକାଶ ପରିଷଦ ଦାୟର କରିଥିବା ଆବେଦନରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି, ସିବିଆଇ ଓ କ୍ରାଇମବ୍ରାଞ୍ଚକୁ ପକ୍ଷଭୁକ୍ତ କରାଯାଇଥିଲା।

ଏହି ହତ୍ୟାକାଣ୍ଡର ତଦନ୍ତ ଏବେ କ୍ରାଇମବ୍ରାଞ୍ଚ କରୁଛି। ସେହିପରି ତଦନ୍ତର ତଦାରଖ କରିବାକୁ ରାଜ୍ୟ ସରକାରଙ୍କ ନିବେଦନ ପରେ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ. ପି. ଦାସ କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରିବାକୁ ନିୟୋଜିତ କରାଯାଇଛି। ଏବେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ ଅହମ୍ମଦାବାଦ ଯାଇଛି କ୍ରାଇମବ୍ରାଞ୍ଚର ୮ ଜଣିଆ ଟିମ୍।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରହସ୍ୟଜନକ ହତ୍ୟାକାଣ୍ଡକୁ ବିରୋଧୀ ରାଜ୍ୟ ସରକାରଙ୍କୁ ଘନ ଘନ ଆକ୍ରମଣ କରିବା ସହିତ ଏହି ହତ୍ୟା ମାମଲାରେ ଷଡ଼ଯନ୍ତ୍ର ରହିଥିବା ଦାବି କରୁଛନ୍ତି। ଉଭୟ ବିଜେପି ଓ କଂଗ୍ରେସ ଏହି ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। କ୍ରାଇମବ୍ରାଞ୍ଚ ଏହି ମାମଲାରେ ସଠିକ ତଦନ୍ତ କରିପାରିବ ନାହିଁ ବୋଲି ଦାବି କରୁଛନ୍ତି।

ସୂଚନାଯୋଗ୍ୟ, ଜାନୁଆରୀ ୨୯ ତାରିଖରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସ୍ଥିତ ଗାନ୍ଧୀ ଛକ ନିକଟରେ ମନ୍ତ୍ରୀଙ୍କୁ ଗୋପାଳ ଦାସ ଗୁଳିମାଡ କରିଥିବା ଅଭିଯୋଗ ରହିଛି। ଗୁରୁତର ଅବସ୍ଥାରେ ନବ ଦାସଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ସେହିଦିନ ସନ୍ଧ୍ୟାରେ ଆପୋଲୋ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା।

 

Leave A Reply

Your email address will not be published.