Latest Odisha News

BREAKING NEWS

ବ୍ରାହ୍ମଣୀ ନଦୀ ଜଳ ବ୍ୟବହାର ଯୋଗ୍ୟ କି ନୁହେଁ? ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର: ବ୍ରାହ୍ମଣୀ ନଦୀର ଜଳ ବ୍ୟବହାର ଯୋଗ୍ୟ ହେଲାଣି କି ନାହିଁ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଓଡ଼ିଶା ହାଇକୋର୍ଟ। ବ୍ରାହ୍ମଣୀ ନଦୀ ଜଳ ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା କି ପଦକ୍ଷେପ ନିଆଯାଉଛି । ସେ ସମ୍ବନ୍ଧରେ ଏକ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୪ ମସିହାରେ ହାଇକୋର୍ଟ ବ୍ରାହ୍ମଣୀ ନଦୀ ଜଳ ପ୍ରଦୂଷଣ ବିଷୟରେ ଚିନ୍ତା ଜତାଇ ଏକ ପିଟିସନ ରୁଜୁ କରିଥିଲେ । ମଙ୍ଗଳବାର ଏହାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ମଗାଯାଇଛି ।

ଏହା ପୂର୍ବରୁ ହାଇକୋର୍ଟ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି)କୁ ବ୍ରାହ୍ମଣୀ ପ୍ରସଙ୍ଗରେ ରିପୋର୍ଟ ମାଗିଥିଲେ । ୨୦୧୫ ଅଗଷ୍ଟ ୨୮ରେ ସିପିସିବି ରିପୋର୍ଟ ଦାଖଲ କରିବା ପରେ, ଏହି ପରାମର୍ଶ ଗୁଡ଼ିକୁ ପାଳନ କରିବାକୁ ହାଇକୋର୍ଟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

୧୩ ନଭେମ୍ବର ୨୦୧୫ ମସିହାରେ ମୁଖ୍ୟ ଶାସନ ସଚିବ ଏହି ମାମଲାରେ ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରିଥିଲେ । ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ, ସିପିସିବି ଏବଂ ଏସପିସିବିଙ୍କ ପରାମର୍ଶ ଗୁଡ଼ିକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି ।

ଏବେ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୂରଲୀଧର ଏବଂ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଏବେ ବ୍ରାହ୍ମଣୀ ଜଳ ଗ୍ରହଣଯୋଗ୍ୟ କି? ଏହାର ପ୍ରଦୂଷଣ ମାତ୍ରା କମି ଏହା ବ୍ୟବହାର ଯୋଗ ହୋଇଛି କି ନାହିଁ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ।

ଆଗାମୀ ଶୁଣାଣି ନଭେମ୍ବର ୧୬କୁ ଧାର୍ଯ୍ୟ କରାଯାଇଛି । ଏହାର ଦୁଇ ସପ୍ତାହ ଆଗରୁ ଏହି ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.