Latest Odisha News

BREAKING NEWS

ଦେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘ ଶିକାର, ଘଞ୍ଚଜଙ୍ଗଲରେ କଟାମୁଣ୍ଡ ମୃତଦେହ ଉଦ୍ଧାର

ବରଗଡ଼: ବରଗଡ଼ ଜିଲ୍ଲା ଦେବ୍ରୁଗଡ଼ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ରବିବାର ଦିନ ବନବିଭାଗ କର୍ମଚାରୀମାନେ ଏକ ମହାବଳ ବାଘର ଗଳିତ ମୃତଦେହ ଉଦ୍ଧାର କରିଛନ୍ତି ।

ମିଳିଥିବା ରିପୋର୍ଟ ଅନୁଯାୟୀ ରବିବାର ସକାଳେ ଅଭୟାରଣ୍ୟ ମଧ୍ୟରେ ବନବିଭାଗ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ ଏକ ମହାବଳ ବାଘର ମୁଣ୍ଡ କଟାଯାଇଥିବା ମୃତଦେହ ଠାବ କରିଥିଲେ । ମୁଣ୍ଡ ଭାଗରେ ବାଘଟିର ଦାନ୍ତ ଏବଂ ଗୋଡ଼ର ନଖ ନଥିବାରୁ ଏହି ବାଘଟିକୁ ଶିକାର କରାଯାଇଥିବା ସନ୍ଦେହ କରାଯାଉଛି ।

ତେବେ ବାଘଟିକୁ ଶିକାର କରି ଦୁର୍ବୃତ୍ତମାନେ ତା’ର ଦାନ୍ତ ଓ ନଖକୁ ନେଇଯାଇଥିବା ବନବିଭାଗ କର୍ମଚାରୀମାନେ ସନ୍ଦେହ କରୁଛନ୍ତି । ମୃତ ବାଘଟିକୁ ଏକ ଗାତରେ ପୋତିଦେଇ ଦୁବୃତ୍ତମାନେ ଚାଲିଯାଇଥିବା ସନ୍ଦେହ କରାଯାଉଛି ।

ଘଟଣାଟିର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, କୌଣସି ଶିକାରୀ ବାରହା ଶିକାର କରିବାକୁ ଜାଲ ବିଛାଇଥିବା ବେଳେ ବାଘଟି ସେହି ଜାଲର ଫାଶ ମଧ୍ୟରେ ପଡ଼ିଯାଇଥିଲା । ତାହାପରେ ଶିକାରୀମାନେ ବାଘଟିକୁ ହତ୍ୟା କରି ତାହାର ନଖ ଓ ଦାନ୍ତ ଗୁଡ଼ିକୁ ନେଇ ଗାତରେ ମୃତ ବାଘଟିକୁ ପୋତି ଦେଇଛନ୍ତି । ପରୀକ୍ଷା ନିରିକ୍ଷା ପରେ ବାଘଟିକୁ ପ୍ରାୟ ସପ୍ତାହକ ପୂର୍ବରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ଏହି ଘଟଣା ସମ୍ପର୍କରେ ଖବରପାଇ ଭୁବନେଶ୍ୱରରୁ ଏକ ୱାଇର୍ଲ୍ଡ ଲାଇଫ ଟିମ୍ ତୁରନ୍ତ ଦେବ୍ରୁଗଡ଼ ଅଭୟାରଣ୍ୟକୁ ଯାଇ ସେଠାରେ ତଦନ୍ତ କରିଥିଲେ ଏବଂ ବାଘଟିକୁ ଶିକାରୀମାନେ ହତ୍ୟା କରିଥିବା ସ୍ପଷ୍ଟ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, କିଛିଦିନ ପୂର୍ବରୁ ବନ୍ୟଜନ୍ତୁ ସଂରକ୍ଷଣ ବିଭାଗ ପକ୍ଷରୁ ଜଙ୍ଗଲ ମଧ୍ୟରେ ଖଞ୍ଜା ଯାଇଥିବା ସିସିଟିଭି କ୍ୟାମେରାର ଭିଡ଼ିଓ ଫୁଟେଜରୁ ଏକ ମହାବଳ ବାଘର ସନ୍ଧାନ ପାଇଥିଲେ । ଏହି ବାଘଟିକୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥିବାର ମଧ୍ୟ ସୁରାକ ପାଇଥିଲେ ।

Leave A Reply

Your email address will not be published.