Latest Odisha News

ପାଲା ଜଗତର ଭୀଷ୍ମ ପିତାମହ – ଗାୟକ ଶେଖର ଜଗନ୍ନାଥ ବେହେରା

ପାଲାକୁ ଜାତୀୟ ସ୍ତରରେ ପହଞ୍ଚାଇବାରେ ଯେଉଁ ବିଶିଷ୍ଟ ଗାୟକଙ୍କର ପ୍ରମୁଖ ଭୂମିକା ରହିଛି ସେ ହେଉଛନ୍ତି ଗାୟକ ଶେଖର ଜଗନ୍ନାଥ ବେହେରା । ଏହି ବୟୋଜ୍ୟେଷ୍ଠ ଗାୟକଙ୍କର ଜନ୍ମ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ କଟିଜଙ୍ଗା ଗାଁରେ ।

୧୯୨୫ ମସିହାରେ ଏକ କୁମ୍ଭକାର ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଗନ୍ନାଥ । ବାପା ବିଶ୍ୱନାଥ ବେହେରା ଓ ମାଆ ଚାନ୍ଦମଣିଙ୍କର ଦୁଇ ପୁଅ ଓ ଦୁଇ ଝିଅଙ୍କ ମଧ୍ୟରେ ଜଗନ୍ନାଥ ଦ୍ୱିତୀୟ ସନ୍ତାନ । ଭବିଷ୍ୟତରେ ଜଗନ୍ନାଥ ଜଣେ ପାଲା ଗାୟକ ହେବେ ଏହା ପିଲାଟି ଦିନରୁ ଜଣାଥିଲା । କାରଣ ଜଗନ୍ନାଥଙ୍କୁ ଯେତେବେଳେ ମାତ୍ର ଦୁଇ ବର୍ଷ ହୋଇଥିଲା ଦୁଇ ଜଣ ବ୍ୟକ୍ତି ସ୍ୱାପ୍ନାଦେଶ ପାଇ ତାଙ୍କ ଘରକୁ ଆସିଥିଲେ । ଜଗନ୍ନାଥଙ୍କ ବାପାଙ୍କୁ ସେମାନେ ସ୍ୱପ୍ନାଦେଶ ବିଷୟରେ କହିଥିଲେ । ଜଗନ୍ନାଥଙ୍କୁ ପାଲା ଗାୟକ କରିବାକୁ ସେମାନେ ସ୍ୱପ୍ନ ଦେଖିଥିବା କହିଥିଲେ । ପୁଣି ଉଭୟ ବ୍ୟକ୍ତି ସମାନ ସ୍ୱପ୍ନ ଦେଖିଥିଲେ । ଭବିଷ୍ୟତରେ ପୁଅକୁ ଗାୟକ କରିବେ ବୋଲି ବିଶ୍ୱନାଥ ସେହି ଦୁଇ ବ୍ୟକ୍ତିଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ପୁଅ ଏବେ ପିଲା ହୋଇଛି, ବଡ ହେଉ ପାଠ ପଢି ଜ୍ଞାନ ଅର୍ଜନ କରୁ ତାପରେ ତାକୁ ଗାୟକ କରିବା ବୋଲି କହିଥିଲେ ବିଶ୍ୱନାଥ ।

ଜଗନ୍ନାଥ ବଡହେବା ସହ ସାହିତ୍ୟ, ସଂସ୍କୃତି ପ୍ରତି ଆଗ୍ରହୀ ହୋଇଥିଲେ । ଯଦିଓ ସେତେବେଳେ ପାଲା କଣ ଜାଣିନଥିଲେ ତଥାପି ଭବିଷ୍ୟତରେ ଗାୟକ ହେବା ଲକ୍ଷ୍ୟ ରଖି ସେ ପାଠ ପଢାରେ ମନଦେଇଥିଲେ । ସ୍ଥାନୀୟ ପଞ୍ଚପଲ୍ଲୀ ହାଇସ୍କୁଲରୁ ସେ କୃତୀତ୍ୱର ସହ ଏକାଦଶ ପାସ୍ କଲେ । ଏହାପରେ ସଂସ୍କୃତ ପଢିବାକୁ ଖଡଗପୁର ଚାଲିଯାଇଥିଲେ । ସେଠାକାର ଲକ୍ଷ୍ମୀ ନୃସିଂହ ମହାବିଦ୍ୟାଳୟରେ ନାମ ଲେଖାଇ ପାଠ ପଢାରେ ମନ ଦେଲେ । ସେଠାରେ ପଢା ଶେଷ ପରେ ସେ ଏକ ଚାକିରି କରିବାର ସୁଯୋଗ ପାଇଲେ । ଜଗନ୍ନାଥ ଚାକିରି କରିବାର କିଛି ଦିନ ପରେ ପୂର୍ବରୁ ସ୍ୱପ୍ନାଦେଶ ପାଇଥିବା ସେହି ବ୍ୟକ୍ତି ଦୁଇ ଜଣ ପୁଣି ଥରେ ଆସିଥିଲେ । ପୁଅ ଚାକିରି କରି ବାହାରେ ରହିଲାଣି । ପାଲା କରିବାର ନାଁ ଧରୁନାହିଁ, ତାକୁ ପାଲା ଗାୟକ କରିବାକୁ ପୁଣି ଥରେ ସ୍ୱପ୍ନ ଦେଖିଥିବା ସେମାନେ ବିଶ୍ୱନାଥଙ୍କୁ ଜଣାଇଲେ ।

ଏଥର ଚାକିରି ଛାଡି ଘରକୁ ଫେରିଲେ ଜଗନ୍ନାଥ । ପରିବାର ଲୋକଙ୍କ ପରାମର୍ଶ କ୍ରମେ ସେ ପାଲା ଗାଇବାକୁ ପ୍ରସ୍ତୁତି କଲେ । ପ୍ରଥମେ ହରେକୃଷ୍ଣ ସ୍ୱାଇଁଙ୍କଠାରୁ ପାଲା ଶିଖିଲେ । ପରେ ତକ୍ରାଳୀନ ଗାୟକରତ୍ନ ହରିନାଥଙ୍କୁ ଗୁରୁ କରିଥିଲେ । ଜଗନ୍ନାଥ ୧୯୪୪ ମସିହାଠାରୁ ବିଧିବଦ୍ଧ ଭାବେ ବାଦୀପାଲା ଗାଇବାକୁ ଲାଗିଲେ ।

ବିଶିଷ୍ଟ ଗାୟକ ତଥା ଗୁରୁ ହରିନାଥଙ୍କ ସହ ବାଦୀପାଲା ଗାଇବାର ଅନୁଭୂତି ଥିଲା ନିଆରା । ଜଗନ୍ନାଥ କୁହନ୍ତି ସେ ଦିନକୁ ସେ କେବେ ଭୁଲିପାରିବେ ନାହିଁ । କେନ୍ଦ୍ରାପଡାର ପଲେଇ ଗାଁରେ ହରିନାଥ ଓ ବୈଷ୍ଣବ ପ୍ରଧାନଙ୍କ ମଧ୍ୟରେ ବାଦୀପାଲା ହେବାର ଥିଲା । ହେଲେ କୌଣସି କାରଣରୁ ବୈଷ୍ଣବ ପ୍ରଧାନ ସେଠାକୁ ଆସିଲେ ନାହିଁ ।

ସେଠାକୁ ଜଗନ୍ନାଥଙ୍କୁ ଯିବାକୁ ପଡିଲା । ଗାଁ ଦାଣ୍ଡ ଦେଇ ଯେତେବେଳେ ସାଥୀମାନଙ୍କ ସହ ଜଗନ୍ନାଥ ଯାଉଥାନ୍ତି ସେତେବେଳେ ଗାଁଲୋକେ କଥା ହେଉଥାନ୍ତି କି ହାତୀ ସହ ଇଏ ଗୋଟେ ମଶା କଣ ଆଣିଛନ୍ତି । ଇଏ ହରିନାଥଙ୍କ ସହ କି ପାଲା ଗାଇବ । ବସା ଘରେ ଏମାନେ ପହଂଚିିଲା ବେଳକୁ ହରିନାଥ ମଂଚକୁ ଆସିବାକୁ ପ୍ରସ୍ତୁତ ହେଉଥିଲେ । ଜଗନ୍ନାଥ ତାଙ୍କୁ ପ୍ରଣାମ ଜଣାଇଥିଲେ । ହରିନାଥ ଆଶୀର୍ବାଦ କରି ବାହାରିଲେ । ପ୍ରଥମ ଥାକ ଶେଷ କରି ହରିନାଥ ବସାଘରକୁ ଫେରିଲେ । ଦ୍ୱିତୀୟ ଥାକରେ ପହଂଚିଲେ ଜଗନ୍ନାଥ । ଶହଶହ ଦର୍ଶକ ଅପେକ୍ଷା କରିଥାନ୍ତି ଏହି ଯୁବ ଗାୟକ କଣ ଗାଉଛି ତାକୁ ଦେଖିବା ପାଇଁ । ଜଗନ୍ନାଥ ମଂଚରେ ପ୍ରବେଶ କରି ସଂସ୍କୃତ କାବ୍ୟର ଆଲୋଚନା କଲେ । ସେ ଏପରି ସୁନ୍ଦର ଓ ସାବଲୀଳ ଭାଷାରେ ବୁଝାଇ ଦେଲେ ଯେ ଦର୍ଶକ ପୁରା ମୁଗ୍ଧ ହୋଇଯାଇଥିଲେ । ସେଠାରେ ଅନେକ ପୁରସ୍କାର ପାଇଲେ । ତେବେ ସବୁଠାରୁ ବଡକଥା ହେଲା ସେ ଜଣେ ଭାଷାବିତ୍ ଗାୟକ ଭାବେ ପରିଚିତ ହୋଇଗଲେ । ଏହିଠାରୁ ଆରମ୍ଭ ହୋଇଥିଲା ଜଗନ୍ନାଥଙ୍କଜୟଯାତ୍ରା ଯାହାକି ଆଜି ପର୍ଯ୍ୟନ୍ତ ବଜାୟ ରହିଛି ।

ରାଜ୍ୟର ଆଗଧାଡିର ଗାୟକମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଜଗନ୍ନାଥ ବେହେରା । ସାରା ଓଡିଶାରେ ତାଙ୍କର ସୁନାମ ରହିଛି । ସାରା ଓଡିଶା ସମେତ ସେ ଷଢେଇକଳା, ଖରସୁଆଁ, ପଶ୍ଚିମବଙ୍ଗ, ହାଇଦ୍ରାବାଦ ଓ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପାଲା ପରିବେଷଣ କରିଛନ୍ତି । ରାଜ୍ୟର ଏପରି କୌଣସି ପ୍ରମୁଖ ପାଲା ମଂଚ ନାହିଁ ଯେଉଁଠାରେ ଜଗନ୍ନାଥ ବେହେରା ପାଲା ଗାଇନାହାଁନ୍ତି । ସେ ବର୍ଷକୁ ପ୍ରାୟ ୨୫୦ରୁ ୩୦୦ ରାତି ଅବିରତ ଭାବେ ପାଲା ଗାଉଥିଲେ । ଏବେ ୯୪ ବର୍ଷରେ ପାଦଥାପିଲେଣି । ବୟସ ଆଉ ବୋଲ ମାନୁନି, ତଥାପି ପାଲା ଗାଇବା ନିଶା ସେ ଛାଡିପାରୁନାହାଁନ୍ତି । ବୟସର ଅପରାହ୍ନରେ ବି ସେ ଯୁବସୁଲଭ ଠାଣିରେ ପାଲା ଗାଇ ମାତ୍ର ବର୍ଷେ ତଳୁ ବିରାମ ନେଇଛନ୍ତି । ତଥାପି ଘଂଟେ ଦି ଘଂଟା ପାଇଁ ହେଲେ ଦେହରେ ରଙ୍ଗୀନ ପୋଷାକ ଆଉ ମୁହଁରେ ପାଉଡର ମାରି ଓହ୍ଲାଇ ପଡୁଛନ୍ତି ମଂଚକୁ ।

ଦୂରଦର୍ଶନ ଓ ଆକାଶବାଣୀର ଜଣେ ପ୍ରଥମ ଶ୍ରେଣୀର କଳାକାର ଜଗନ୍ନାଥ ବେହେରା । ଉଚ୍ଚକୋଟୀର ପାଲା ପରିବେଷଣ ପାଇଁ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । ପୁରୀ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଅଲ୍୍ ଇଣ୍ଡିଆ ରେଡିଓ ରିକ୍ରିଏସନ କ୍ଲବ, ରେଭେନ୍ସା କଲେଜ, ଉକ୍ରଳ ସାହିତ୍ୟ ସମାଜ ସହ ରାଜ୍ୟର ଅନେକ ସାଂସ୍କୃତିକ ଅନୁଷ୍ଠାନ ତାଙ୍କୁ ପୁରସ୍କୃତ କରିଛନ୍ତି ।

ଏଥିସହ ସମ୍ମାନ ଜନକ ସାରଳା ପୁରସ୍କାର ସହ ୨୦୦୭ରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଛନ୍ତି । ୨୦୧୦ ମସିହାରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସହ ୨୦୧୬ ମସିହା ପାଇଁ ସମ୍ମାନଜନକ ବୟୋଶ୍ରେଷ୍ଠ ପୁରସ୍କାର ମଧ୍ୟ ଗ୍ରହଣ କରିଛନ୍ତି ଜଗନ୍ନାଥ ବେହେରା । ତେବେ ତାକୁ ପଦ୍ମ ସମ୍ମାନ ନମିଳିବା ଦୁଃଖର ବିଷୟ । ଓଡିଶା ଭିନ୍ନ ଅନ୍ୟ କୌଣସି ପ୍ରଦେଶରେ ହୋଇଥିଲେ ନିଶ୍ଚିତ ଭାବେ ତାଙ୍କୁ ଅନେକ ବର୍ଷ ତଳୁ ଏହି ସମ୍ମାନ ମିଳିସାରନ୍ତାଣି ।

ଜଗନ୍ନାଥ ବେହେରାଙ୍କର ୫ ଝିଅ ଓ ଦୁଇ ପୁଅ । ପ୍ରାୟ ୩୫ ବର୍ଷ ତଳୁ ପତ୍ନୀଙ୍କର ପରଲୋକ ହୋଇଯାଇଛି । ପତ୍ନୀଙ୍କ ପରଲୋକ ପରେ ସେ ଉଭୟ ବାପା ମାଆର ଭୂମିକା ନେଇଥିଲେ । ପାଲା ଗାଇବା ସହ ପିଲାମାନଙ୍କୁ ମଣିଷ କରିବାକୁ ଅହରହ ସଂଗ୍ରାମ କରିଛନ୍ତି । ଏବେ ବି ସେ ନିଜର ସମସ୍ତ କାମ ନିଜେ କରନ୍ତି । ଶାଶୁ ଘରୁ ଝିଅମାନେ ଘରକୁ ଆସିଲେ ନିଜ ହାତରେ ରୋଷେଇ କରି ଖାଇବାକୁ ଦେବାରେ ଆନନ୍ଦ ପାଆନ୍ତି ।

ତେବେ ଏବେକାର ପାଲାକୁ ନେଇ ବେଶ୍୍ ଚିନ୍ତିତ ଜଗନ୍ନାଥ ବେହେରା । ପୂର୍ବ ପରି ଆଉ ଲୋକେ ସେତେଟା ପାଲା ପ୍ରତି ଆଗ୍ରହ ଦେଖାଉନାହାଁନ୍ତି । ତେବେ ଏଥିରେ ସେ ବ୍ୟଥିତ ନୁହଁନ୍ତି, ତାଙ୍କ କହିବା କଥା ଲୋକେ ପୁଣି ଦିନେ ପାଲାକୁ ଭଲ ପାଇବେ ।

କିନ୍ତୁ ପାଲାରେ କେତେକ ପରିବର୍ତନ ଆଣିବା ସେ ଚାହାଁନ୍ତି । ସେ ଦୀର୍ଘ ଦିନବର୍ଷ ଧରି ଶ୍ରୀନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ସଭାପତି ରହିଥିଲେ ।ପାଲା ଜଗତକୁ ସମୃଦ୍ଧ କରିବା ପାଇଁ ଅନେକଶିଷ୍ୟ, ଶିଷ୍ୟା ଭେଟିଦେଇବା ସହ ଏହି କଳାର ଉତଥାନ ପାଇଁ ଏବେବି ସଂଗ୍ରାମରତ ।

Leave A Reply

Your email address will not be published.