ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ୪୯ତମ ‘ମନ କି ବାତ’ କାର୍ଯ୍ୟକ୍ରମରେ ଭୁବନେଶ୍ୱରରେ ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୧୬ ଯାଏଁ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ହକିର ଚିତ୍ତାକର୍ଷକ ମ୍ୟାଚ ଗୁଡିକର ମଜ୍ଜା ନେବା ସହିତ ଓଡିଶାରେ ଥିବା ଐତିହ ଓ ସଂସ୍କୃତି ସମ୍ପନ୍ନ ପର୍ଯ୍ୟଟନ ସ୍ଥଳୀଗୁଡିକ ପରିଦର୍ଶନ କରିବାକୁ ଆହ୍ୱାନ ଦେଇଛନ୍ତି ।
“ଚଳିତ ବର୍ଷ ଭାରତକୁ ପୁରୁଷ ହକି ବିଶ୍ୱକପ ୨୦୧୮ ପ୍ରତିଯୋଗିତା ଭୁବନେଶ୍ୱରରେ ଆୟୋଜନ କରିବାର ସୌଭାଗ୍ୟ ମିଳିଛି । ହକି ବିଶ୍ୱକପ ନଭେମ୍ବର ୨୮ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ଭାରତୀୟ ସେ ଯେକୌଣସି ଖେଳ ଖେଳୁଥାନ୍ତୁ ନା କାହିଁକି କିମ୍ବା ଯେକୌଣସି ଖେଳ ପ୍ରତି ତାଙ୍କର ରୁଚି ଥାଉ, ହକି ସହ ସମସ୍ତଙ୍କ ମନରେ ଗୋଟିଏ ସମ୍ପର୍କ ନିଶ୍ଚୟ ଭାବେ ଯୋଡି ହୋଇ ରହିଛି । ହକିରେ ଭାରତର ସ୍ୱର୍ଣ୍ଣିମ ଇତିହାସ ରହିଛି । ଅତୀତରେ ଭାରତକୁ ଅନେକ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ମିଳିଛି ଏବଂ ଥରେ ବିଶ୍ୱକପ ବିଜେତା ମଧ୍ୟ ହୋଇପାରିଛି” ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଅନେକ ମହାନ ହକି ଖେଳାଳି ସୃଷ୍ଟି କରିଛି । ବିଶ୍ୱରେ ହକିର କଥା ଆସିଲା ମାତ୍ରେ ମନେ ପଡିଯାଏ ଏହି ମହାନ ଖେଳାଳିମାନଙ୍କ କଥା । ସେମାନେ ହେଲେ ହକିର ଯାଦୁକର ମେଜର ଧ୍ୟାନଚାନ୍ଦ ତାଙ୍କ ପରେ ବଲୱିନ୍ଦର ସିଂ ସିନିୟର, ଲେସ୍ଲି କ୍ଲାଉଡିୟସ୍, ମହମ୍ମଦ ଶାହିଦ୍, ଉଧମ ସିଂଙ୍କ ଏବଂ ଧନରାଜ ପିଲ୍ଲାଇ ପ୍ରମୁଖ । ହକିର ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ନାମ ସହ ସାରା ବିଶ୍ୱ ପରିଚିତ । ଏମାନେ ହକିରେ ଗୋଟିଏ ଦୀର୍ଘ ପଥ ଅତିକ୍ରମ କରିଛନ୍ତି ।
ଏଥିସହିତ “ଆଜି ମଧ୍ୟ ଭାରତୀୟ ଦଳର ଖେଳାଳି ନିଜ ପରିଶ୍ରମ ଏବଂ ନିଷ୍ଠା ବଳରେ ମିଳୁଥିବା ସଫଳତା ଦ୍ୱାରା ହକିର ନୂତନ ପିଢ଼ିକୁ ପ୍ରେରଣା ଯୋଗାଉଛନ୍ତି । କ୍ରୀଡ଼ାପ୍ରେମୀଙ୍କ ପାଇଁ ରୋମାଞ୍ଚକର ମ୍ୟାଚ ଦେଖିବାର ଏହା ଗୋଟିଏ ଭଲ ସୁଯୋଗ” ବୋଲି ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କୁ ହକି ଦେଖିବା ପାଇଁ ଭୁବନେଶ୍ୱର ଆସିବାକୁ ଆମନ୍ତ୍ରଣ କରିବା ସହ କେବଳ ଭାରତୀୟ ଦଳ ନୁହେଁ ସବୁ ଦଳକୁ ଉତ୍ସାହିତ କରନ୍ତୁ ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି “ଓଡ଼ିଶା ଏଭଳି ଏକ ରାଜ୍ୟ, ଯାହାର ନିଜସ୍ୱ ଗୌରବପୂର୍ଣ୍ଣ ଇତିହାସ ତଥା ସମୃଦ୍ଧ ସାଂସ୍କୃତିକ ପରମ୍ପରା ରହିଛି । କ୍ରୀଡ଼ାପ୍ରେମୀମାନଙ୍କ ପାଇଁ ଓଡ଼ିଶା ଦର୍ଶନର ମଧ୍ୟ ଏହା ଅପୂର୍ବ ସୁଯୋଗ । ଏହି ସମୟରେ ଖେଳକୁ ଉପଭୋଗ କରିବା ସହିତ ଆପଣ କୋଣାର୍କର ସୂର୍ଯ୍ୟମନ୍ଦିର, ପୁରୀରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଓ ଚିଲିକା ହ୍ରଦ ସମେତ ଅନେକ ବିଶ୍ୱପ୍ରସିଦ୍ଧ ଦର୍ଶନୀୟ ଓ ପବିତ୍ର ସ୍ଥଳ ମଧ୍ୟ ଦେଖିପାରିବେ” ।
ପ୍ରଧାପମନ୍ତ୍ରୀ ମୋଦି ଗତ ମେ ମାସରେ ତାଙ୍କର ଏହି ବେତାର କାର୍ଯ୍ୟକ୍ରମ ମାଧ୍ୟମରେ କଟକର ୬୧ ବର୍ଷିୟ ଚା’ ବିକାଳୀଙ୍କ ସମ୍ପର୍କରେ ସୂଚନା ଦେଇଥିଲେ । ସେ ତାଙ୍କର କଟକ ଗସ୍ତ ସମୟରେ ବସ୍ତିର ପିଲାମାନଙ୍କୁ ଶିକ୍ଷାଦାନ କରୁଥିବା ଚା’ ବିକାଳିଙ୍କୁ ଭେଟିଥିଲେ । ତାଙ୍କର ଏହି ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଥିଲେ “ ବିଗତ ୫୦ ବର୍ଷଧରି ଡି. ପ୍ରକାଶ ରାଓ ଓଡିଶାର କଟକରେ ରହି ଚା’ ବିକ୍ରି କରି ଆସୁଛନ୍ତି । ସବୁଠାରୁ ବଡ କଥା ହେଲା ସେ ତାଙ୍କ ଆୟର ୫୦ ପ୍ରତିଶତ ୭୦ରୁ ଅଧିକ ଗରିବ ପିଲାମାନଙ୍କ ଲାଗି ଖର୍ଚ୍ଚ କରୁଛନ୍ତି । ପ୍ରକୃତରେ ତାଙ୍କର ସମଗ୍ର ଜୀବନ ସମସ୍ତଙ୍କ ଲାଗି ପ୍ରେରଣାଦାୟୀ ।”