Latest Odisha News

BREAKING NEWS

ଆଉ ୪ ଦିନ ପରେ ଆହୁରି ବଢ଼ିବ ତାତି, ଦିନ ୧୨ଟା ପୂର୍ବରୁ ୪୦ ଡେଇଁଲା ପାରଦ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ମୋକାର ପ୍ରଭାବ ରାଜ୍ୟ ଉପରେ ନାହିଁ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୪ ଦିନ ଯାଏ ସର୍ବୋଚ୍ଚ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ତା’ପରେ ଆଭ୍ୟନ୍ତରୀଣ ଓଡ଼ିଶା ଅନ୍ୟ ସ୍ଥାନରେ ତାପମାତ୍ରା ଆହୁରି ବଢ଼ିବ ।

ଆଗାମୀ ୨୪ ଘଣ୍ଟାରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଦେଇଛି । ସେହିଭଳି ୧୨ ତାରିଖରେ କାଳବୈଶାଖୀ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

ସେପଟେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ମୋକା ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଗତ ୬ ଘଣ୍ଟା ହେଲା ଗତି କରୁଛି । ୧୪ ତାରିଖ ଅପରାହ୍ଣରେ ବାତ୍ୟା ବାଂଲାଦେଶର କକ୍ସ ବଜାର ଓ ମିଆଁମାରର କ୍ୟାୟୁପୁ ନିକଟରେ ଅତିକ୍ରମ କରିବ । ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୪୦ରୁ ୧୫୦ କିଲୋମିଟର ରହିପାରେ ।

ତେବେ ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ । ଓଡ଼ିଶା ଉପକୂଳରେ ମତ୍ସ୍ୟଜୀବୀମାନଙ୍କ ପାଇଁ କୌଣସି ସତର୍କ ସୂଚନା ନାହିଁ । ଅନ୍ୟପଟେ ଗତକାଲି ତୁଳନାରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ୧୧ଟା ୩୦ ସୁଦ୍ଧା ତାପମାତ୍ରା ବୃଦ୍ଧି ପାଇଛି । ସମ୍ବଲପୁର ଓ ଝାରସୁଗୁଡ଼଼ାରେ ଦିନ ସାଢ଼େ ୧୧ଟା ବେଳକୁ ପାରଦ ୪୦ ଡିଗ୍ରୀ ଟପି ସାରିଛି ।

ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ୪ ଦିନ ପରେ ତାପମାତ୍ରା ଆହୁରି ବଢ଼ିବ । ବିଭିନ୍ନ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave A Reply

Your email address will not be published.