Latest Odisha News

BREAKING NEWS

ଓଡ଼ିଶାରେ ଆଗାମୀ ୨୪ ଘଣ୍ଟା ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ତଥା ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ଶୁକ୍ରବାର ଦିନ ଆଗାମୀ ୪୮ ଘଣ୍ଟା ଏଥିପ୍ରତି ସତର୍କ ରହିବାକୁ ଆଲର୍ଟ ଜାରି କରିଛନ୍ତି ।

ଗଣମାଧ୍ୟମକୁ ସୂଚନାଦେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ କହିଛନ୍ତିି, ଆସନ୍ତା ୩ରୁ ୪ ଦିନ ଧରି ଓଡ଼ିଶାର ଦିନବେଳା ସାଧାରଣ ତାପମାତ୍ରାଠାରୁ ୨ରୁ ୩ ଡ଼ିଗ୍ରୀ ଅଧିକ ତାପମାତ୍ରା ରହିବ ।

ସେହିପରି ଭୁବନେଶ୍ୱରସ୍ଥିତ ପରିବେଶ ଏବଂ ପାଣିପାଗ ବିଭାଗ (ସିଇସି) କର୍ତ୍ତୃପକ୍ଷ ସତର୍କ ସୂଚନା ଦେଇ କହିଛନ୍ତି, ଆଗାମୀ କିଛି ଦିନ ଲାଗି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବାରେ ଲାଗିବ । ତେବେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରତିଦିନ ତାପମାତ୍ରାରେ ଭିନ୍ନତା ପରିଲକ୍ଷିତ ହେବ ।

ତେବେ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରି ସୂଚନା ଦିଆଯାଇଛି ଯେ, ପଶ୍ଚିମ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ୪୩ରୁ ୪୬ ଡ଼ିଗ୍ରୀ ମଧ୍ୟରେ ରହିବାର ସମ୍ଭାବନା ରହିଛି । ଯେଉଁସବୁ ଜିଲ୍ଲା ମାନଙ୍କରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି ସେହି ଜିଲ୍ଲା ଗୁଡ଼ିକ ହେଲା – ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ଅନୁଗୁଳ, ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲା । ଏହି ଗ୍ରୀଷ୍ମ ଲହରୀ ମେ ୧୮ରୁ ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

ଉପକୂଳ ଜିଲ୍ଲା ମାନଙ୍କରେ ୧୮ରୁ ୨୨ ତାରିଖ ମଧ୍ୟରେ ତାପମାତ୍ରା ୩୮ରୁ ୪୦ ଡ଼ିଗ୍ରୀ ମଧ୍ୟରେ ରହିବା ବେଳେ ୨୯ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ୪୦ରୁ ୪୩ ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ।

ଟିଟିଲାଗଡ଼ର ତାପମାତ୍ରା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବେ ୪୫.୫ ଡ଼ିଗ୍ରୀ ଅତିକ୍ରମ କରିଥିବା ବେଳେ ୧୦ଟି ସହର ୪୦ ଡ଼ିଗ୍ରୀ ଉପରେ ରହିଥିବାର ରେକର୍ଡ଼ କରାଯାଇଛି । ଅନୁଗୁଳ (୪୧.୭), ଝାରସୁଗୁଡ଼ା (୪୩.୨), ସମ୍ବଲପୁର (୪୩.୩), ସୁନ୍ଦରଗଡ଼ (୪୧.୫), ହୀରାକୁଦ (୪୨.୪), ତାଳଚେର (୪୦), ଭବାନୀପାଟଣା (୪୨), ବଲାଙ୍ଗିର (୪୪.୬), ମାଲକାନଗିରି (୪୦) ଏବଂ ସୋନପୁର (୪୪) ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି ।

ଟ୍ୱିନ ସିଟି କଟକ (୩୭) ଓ ଭୁବନେଶ୍ୱରରେ (୩୭.୪)ତାପମାତ୍ରା ୪୦ ଡ଼ିଗ୍ରୀରୁ କମ୍ ରହିଥିଲେ ମଧ୍ୟ ଅସହ୍ୟ ଗୁଳଗୁଳି ଯୋଗୁଁ ଜୀବନ ଯାପନ କଷ୍ଟକର ହୋଇପଡ଼ିଛି ।

Leave A Reply

Your email address will not be published.