Latest Odisha News

ରାଜଧାନୀବାସୀଙ୍କ ପାଇଁ ଆଶ୍ୱସ୍ତି: ଆଜି କମିପାରେ ତାପମାତ୍ରା

ଭୁବନେଶ୍ୱର:ଆଷାଢରେ ନିଆଁ ବର୍ଷା । ମୌସୁମୀ ଆସିବାକୁ ତଥାପି ଡେରି ଅଛି । ପ୍ରାକ ମୌସୁମୀ ବର୍ଷା ବି ନାହିଁ । ଅନ୍ୟପକ୍ଷେ ଆକାଶରୁ ଯେମିତି ଅଗ୍ନିବର୍ଷା ହେଉଛି । ରାଜ୍ୟରେ ଆହୁରି ୩ଦିନ ତାତିରୁ ନିସ୍ତାର ମିଳିବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ରାଜଧାନୀବାସୀଙ୍କ ପାଇଁ ଆଶ୍ୱସ୍ତିର ଖବର । ଗତକାଲି ତୁଳନାରେ ଆଜି ରାଜଧାନୀରେ ତାପମାତ୍ରା କମିବାର ସମ୍ଭାବନା ରହିଛି  । ପବନ ବି ବହିବ ବୋଲି ଆଞ୍ଚଳି ପାଣିପାଗ ବିଭାଗ ସୂଚନା ଦେଇଛି ।

ଶନିବାର ସୋନପୁର ରାଜ୍ୟରେ ସବୁଠୁ ଉତ୍ତପ୍ତ ଥିଲା ସୋନପୁରରେ ତାପମାତ୍ରା ୪୫.୭ଡିଗ୍ରୀ ଥିବାବେଳେ ଭୁବନେଶ୍ୱରରେ ୪୪. ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା   ଗୁଳୁୁଗୁଳି ବି ଅସହ୍ୟ ହେଉଥିଲା ।  ଆଜି ସକାଳ ସାଢେ ୮ଟା ସୁଦ୍ଧା  ଭୁବନେଶ୍ୱରରେ ୩୩.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି  ଆଦ୍ରତା ୭୬% ଥିବା ରେକର୍ଡ ହୋଇଛି  । ତେଣୁ ସକାଳୁ ସକାଳୁ ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜଧାନୀବାସୀ ।

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ,  ଆଜି ସକାଳୁ ରାଜଧାନୀରେ ଘଣ୍ଟା ପ୍ରତି ୧୮ ରୁ ୨୦ କିମି ବେଗରେ ପବନ ବହିବ ।   ଏହି ପବନ ଦକ୍ଷିଣ ଦିଗରୁ ବହୁଥିବାରୁ ଗତକାଲି ତୁଳନାରେ ତାପମାତ୍ରା କମ ରହିବ ସମ୍ଭାବନା ରହିଛି ।  ଆଜି ସକାଳ ସାଢେ ୮ଟା ସୁଦ୍ଧା ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ଥିଲା । ଏଠାରେ ତାପମାତ୍ରା ୩୭.୪ ଡ଼ିଗ୍ରୀ ଥିବାବେଳେ ସମ୍ବଲପୁରରେ ୩୬.୪ ଡ଼ିଗ୍ରୀ, ହୀରାକୁଦରେ ୩୫.୬ ଡ଼ିଗ୍ରୀ, ଚାନ୍ଦବାଲିରେ ୩୩.୮ ଡ଼ିଗ୍ରୀ,  ଭୁବନେଶ୍ୱରରେ ୩୩.୨ ଡ଼ିଗ୍ରୀ, ପୁରୀରେ ୩୨.୬ ଡ଼ିଗ୍ରୀ, ବାଲେଶ୍ୱରରେ ୩୨.୨ ଡ଼ିଗ୍ରୀ, ଗୋପାଳପୁରରେ ୩୨ ଡ଼ିଗ୍ରୀ, କେନ୍ଦୁଝରରେ ୩୨ ଡ଼ିଗ୍ରୀ ଏବଂ ପାରାଦୀପରେ ୩୧.୮ ଡ଼ିଗ୍ରୀ ରହିଛି । 

Comments are closed.