Latest Odisha News

BREAKING NEWS

ଆଜିଠୁ ବଢିବ ପାରଦ, ୪ ଦିନ ପାଇଁ ହିଟ୍‌ୱେବ ୱାର୍ଣ୍ଣିଂ

ଭୁବନେଶ୍ୱର: ସାରା ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଆସନ୍ତା ୪ ଦିନ ପାଇଁ ହିଟ୍‌ୱେବ ୱାର୍ଣ୍ଣିଂ ଦେଇଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର। ରାଜ୍ୟରେ ଆହୁରି କଲବଲ କରିବ ତାତି। ଆଜିଠୁ ବଢିବ ପାରଦ। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଦିନ ତାପମାତ୍ରା।

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ପାଇଁ ୪ ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲାଗୁଡିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର ଓ ବୌଦ୍ଧ। ସେହିପରି ଆସନ୍ତାକାଲି ପାଇଁ ୬ଟି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି ହୋଇଛି। ୧୫ ଓ ୧୬ ତାରିଖରେ ଦିନ ସହ ରାତି ତାପମାତ୍ରା ଅଧିକ ରହିବ। ୧୫ ତାରିଖ ପାଇଁ ମଧ୍ୟ ୪ ଜିଲ୍ଲାକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଗତକାଲି ଚଳିତ ବର୍ଷ ପ୍ରଥମ ଥର ୪୦ ଟପିଲା ପାରଦ। ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୦.୫ ଡିଗ୍ରୀ ସେଲସିଏସ ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗିରରେ ୩୯.୪ ଡିଗ୍ରୀ, ସମ୍ୱଲପୁରରେ ୩୯.୩ ସେଲସିଏସ ରହିଥିଲା ତାପମାତ୍ରା। ଅନ୍ୟପଟେ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ସାଢ଼େ ୩ଟା ଭିତରେ ଯେତେଦୂର ସମ୍ଭବ ଘରୁ ପଦାକୁ ନବାହାରିବା ପାଇଁ ପରାମର୍ଶ ଦେଇଛି ଏସଆରସି। ପରିସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

 

Comments are closed.