Latest Odisha News

BREAKING NEWS

ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ରବିବାର ଦିନତମାମ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ପୁରୀ, ଖୋର୍ଧା, ଜଗତ୍‌ସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଜନଜୀବନ ଅସ୍ତ‌ବ୍ୟସ୍ତ ହୋଇପଡ଼ିଛି । ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ‌ହେବାର ସମ୍ଭାବନା ରହିଛି। ଏନେଇ ସ୍ବତନ୍ତ୍ର ରିଲିଫ୍‌ କମିସନରଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଲାଗି କୁହାଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିବା ସହ ପରିସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

ଲଗାଣ ବର୍ଷା ଯୋଗୁଁ ମହାନଦୀ, ଦେବୀ, କୁଶଭଦ୍ରା, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଋଷିକୂଲ୍ୟା ଆଦି ନଦୀର ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

୧୪ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ । ପରବର୍ତୀ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼ ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ଯେଉଁଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏଥିସହ ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ତେଣୁ ସ୍ଥିତି ଉପରେ କଡ଼ା ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.