ହାଇଦ୍ରାବାଦ: ହାଇଦ୍ରାବାଦରେ ବାଦଲ ଫଟା ବର୍ଷା । ଚାରିଆଡେ ଖାଲି ପାଣି ଆଉ ପାଣି । ସହରର ଅନେକ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ପ୍ରଭାବିତ ହୋଇଛି ଜୀବନଯାତ୍ରା । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ହାଇଦ୍ରାବାଦର ଚନ୍ଦ୍ରାୟଗୁଟ୍ଟା ଅଞ୍ଚଳ । ଏଠାରେ ବଡବଡ ଗଛ ଓ ଘର ଆଦି ଭାଙ୍ଗି ଯାଇଛି ।
ଏବେସୁଦ୍ଧା ହାଇଦ୍ରାବାଦରେ ୫୦ଜଣଙ୍କର ଜୀବନ ହାନି ଘଟିଛି । ଶନିବାର ମେଡଚଲ ମଲ୍କାଜାଗିରୀ ଜିଲ୍ଲାରେ ୧୫୭.୩ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ, ବାନ୍ଦଲଗୁଡାରେ ୧୫୩ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ସହରର ଅନ୍ୟ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇଛି ।
ଗ୍ରେଟର ହାଇଦ୍ରାବାଦ ନଗର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ରବିବାର ମଧ୍ୟ ସହରର କିଛି ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ।ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇ ଏସ ଜଗନମୋହନ ରେଡ୍ଡି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପତ୍ର ଲେଖି ୨୨୫୦ କୋଟି ଟଙ୍କାର ସହାୟତା ରାଶି ମାଗିଛନ୍ତି । ଜଗନମୋହନ କହିଛନ୍ତି ଯେ, ଅକ୍ଟୋବର ୯ରୁ ୧୩ ରେ ହୋଇଥିବା ବର୍ଷା ଓ ତାପରେ ଆସିଥିବା ବନ୍ୟା ପାଇଁ ପ୍ରାୟ ୪୪୫୦ କୋଟି ଟଙ୍କାର କ୍ଷତି ହୋଇଛି । ରାସ୍ତାଘାଟ, ସ୍କୁଲ ଘର, ବିଦ୍ୟୁତ ଖୁଣ୍ଟ ଆଦି ପ୍ରଭାବିତ ହୋଇଛି । ସେହିପରି ମହାରାଷ୍ଟ୍ରରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି । ଏଠାରେ ସ୍ଥିତି ବେହାଲ ହୋଇ ପଡିଛି ।
Comments are closed.