Latest Odisha News

ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା; ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ପ୍ରଭାବରେ ଆଗକୁ ମଧ୍ୟ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ସୂଚନା ପରେ ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନ (ଏସଆରସି) । ବର୍ଷାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ପ୍ରବଳ ବର୍ଷା କାରଣରୁ ମାଟି ଘର ଭାଙ୍ଗିବା ସହ ତଳିଆ ଅଞ୍ଚଳ ଗୁଡିକରେ ପାଣି ଜମିପାରେ ।

ଏହା ସହ କିଛି ସ୍ଥାନରେ ନଦୀରେ ଜଳସ୍ତର ବୃଦ୍ଧି ଘଟିବାର ଆଶଙ୍କା ପ୍ରକାଶ କରିଛନ୍ତି ଏସଆରସି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଗଭୀର ଅବପାତ ରବିବାର ସୁଦ୍ଧା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଝାଡଖଣ୍ଡ ଓ ଉତ୍ତର ଛତିଶଗଡ଼ ଆଡକୁ ଅଗ୍ରସର ହେବ । ଏହାର ପ୍ରଭାବରେ ସୋମବାର ସକାଳ ସମୟରେ ମୟୂରଭଞ୍ଜ ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିଭଳି ବରଗଡ଼, ସୋନପୁର, ଅନୁଗୋଳ, କେନ୍ଦୁଝର ଓ ଦେବଗଡ ଜିଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ସବୁ ଜିଲାଗୁଡ଼ିକୁ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

Comments are closed.