ଭୁବନେଶ୍ବର: ଗରମ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଲା ରାଜ୍ୟବାସୀଙ୍କୁ। ବର୍ଷାରେ ଭିଜିଲା ଓଡ଼ିଶାର ବିଭିନ୍ନ ସ୍ଥାନ।
ସୂଚନା ଅନୁଯାୟୀ, ସକାଳୁ ସକାଳୁ ତୁହାକୁ ତୁହା ବର୍ଷାରେ ଭିଜିଛି ଟ୍ବିନ ସିଟି। ଉଭୟ କଟକ ଓ ଭୁବନେଶ୍ବରରେ କିଛି ସ୍ଥାନରେ ବର୍ଷା ସହ ପବନ ବହିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ପ୍ରଚଣ୍ଡ ଗରମ ମଧ୍ୟରେ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିଛନ୍ତି ଓଡ଼ିଶାବାସୀ।
ଉଲ୍ଲେଖଯୋଗ୍ୟ, ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ଜୁଲାଇ ୨ ରୁ ୩ ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇପାରେ। ଏହା ବର୍ଷାର ପରିମାଣକୁ ବେଶ୍ ବଢ଼ାଇଦେବ।ପାଣିପାଗ ବିଶେଷଜ୍ଞଙ୍କ ଅନୁମାନ ଅନୁଯାୟୀ, ଏହି ଲଘୁଚାପ ସୃଷ୍ଟି ହେବା ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳ ଆଡ଼କୁ ମୁହାଁଇବ। ଏହା ପ୍ରଭାବରେ ଜୁଲାଇ ୧ ଏବଂ ୨ ତାରିଖରୁ ହିଁ ପାଗରେ ପରିବର୍ତ୍ତନ ଦେଖାଯିବ ଏବଂ ବର୍ଷାର ପ୍ରଭାବ ବୃଦ୍ଧି ପାଇବ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
