Latest Odisha News

BREAKING NEWS

ହିମାଚଳରେ ଭୀଷଣ ତୁଷାରପାତ ଓ ବର୍ଷା: ୩ ଜାତୀୟ ରାଜପଥ  ଠପ ୧୦୫ଟି ରାସ୍ତା ବନ୍ଦ

ଶିମଲା : ହିମାଚଳ ପ୍ରଦେଶରେ ଗତ ୨୪ ଘଣ୍ଟାରେ ଭୀଷଣ ତୁଷାରପାତ ଓ ବର୍ଷା ହୋଇଛି । ବୁଧବାର ରାତିରେ ସୁବେ ଅଞ୍ଚଳରେ ଜୋରଦାର ବର୍ଷା ହୋଇଛି । ଶିମଲା ଓ ମନାଲି ସମେତ ଉଚ୍ଚ ପାହାଡିଆ ଅଞ୍ଚଳରେ ଭୀଷଣ ତୁଷାରପାତ ହୋଇଛି । ଯାହାଫଳରେ ସୁବେରେ ୩ଟି ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇପଡିଛି । 

ଶିମଲା-ନାରକଣ୍ଡା-ରାମପୁର ରାଜପଥ ତୁଷାରପାତ ଯୋଗୁଁ ବନ୍ଦ ହୋଇଯାଇଛି । ଚୌପାଲା ଦେହା ସଡକ ମାର୍ଗରେ ମଧ୍ୟ ଯାତାୟାତ ଠପ୍ ହୋଇଯାଇଛି । ଏଠାରେ ୨ ରୁ ୪ ଇଞ୍ଚ ଯାଏଁ ବରଫ ପଡିଛି । ମନାଲି ଲେହ ରାଜପଥ ମନାଲିରୁ ନେହରୁ କୁଣ୍ଡ ଆଗକୁ ବନ୍ଦ ରହିଛି । ସୁବେରେ ପାଖାପାଖି ୧୦୦ରୁ ଅଧିକ ରାସ୍ତାରେ ଯାତାୟାତ ବନ୍ଦ ରହିଛି । ତୁଷାରପାତ ଯୋଗୁଁ ଲାହୌଲ ଘାଟି ଧଳା ଚାଦରରେ ଘୋଡେଇ ହୋଇ ରହିଛି ।

ପାଣିପାଗ ବିଭାଗ ଅନୁସାରେ, ହିମାଚଳରେ ଫେବୃଆରୀ ୫ ତାରିଖ ଯାଏଁ ତୁଷାରପାତ ଓ ବର୍ଷା ହେବ । ଏହାପରେ ପାଗ ସଫା ହେବ ଓ ତାପମାତ୍ରା ବଢିବ । ବୁଧବାର ଦିନ ରାଜ୍ୟର ଉଚ୍ଚତମ ଅଞ୍ଚଳରେ ତୁଷାରପାତ ଓ ତଳିଆ ଅଞ୍ଚଳରେ ବର୍ଷା ହୋଇଛି । ଫଳରେ ତାପମାତ୍ରା ବହୁତ ହ୍ରାସ ପାଇଛି । ଶିମଲାରେ ହାଲୁକା ବର୍ଷା ଓ ତୁଷାରପାତ ହୋଇଛି । ତୁଷାରପାତ ଯୋଗୁଁ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା । ପର୍ଯ୍ୟଟକ ତୁଷାରପାତର ମଜା ନେଉଥିବା ଦେଖିବାକୁ ମିଳିଛି । ମନାଲିରେ ଅଟଳ ଟନେଲକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆଯାଇଛି ।

ପାଣିପାଗ ବିଭାଗ ନିର୍ଦ୍ଦେଶକ ମନମୋହନ ସିଂହ କହିଛନ୍ତି ଯେ ଆଗାମୀ ୪୮ ଘଣ୍ଟାରେ ଉନା,  ବିଳାସପୁର, ହମିରପୁର ଓ କାଙ୍ଗଡାର ଅନେକ ଅଞ୍ଚଳରେ ବଜ୍ରପାତ ଓ ତୁଷାରପାତ ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି । ୫ ତାରିଖରେ କେବଳ ଉପରିଆ ଅଞ୍ଚଳରେ ତୁଷାରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି । ଅତ୍ୟଧିକ ଉଚ୍ଚ ସ୍ଥାନରେ ତୁଷାରପାତ ଯୋଗୁଁ ବିଜୁଳି ଓ ପାଣି ସେବା ବାଧାପ୍ରାପ୍ତ ହୋଇପାରେ । ବୁଧବାର ଦିନ ଲାହୌଲ ସ୍ପିତି ଜିଲ୍ଲା ମୁଖ୍ୟାଳୟ କେଲାଙ୍ଗରେ ସର୍ବାଧିକ ତାପମାତ୍ରା ୧.୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା ।

Leave A Reply

Your email address will not be published.