ନୂଆଦିଲ୍ଲୀ: ଗତକାଲି ଏକ ବିଦେଶୀ ପତାକାଯୁକ୍ତ ତୈଳ ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା। ଯାହା ପରେ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଓମାନି କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମୟୋଚିତ ସମନ୍ୱୟ ଯୋଗୁଁ ଅତି କମରେ ୨୪ ଜଣ ଭାରତୀୟ ନାବିକଙ୍କୁ ଉଦ୍ଧାର କରାଯାଇଛି।
କ୍ଷେପଣାସ୍ତ୍ର ଆକ୍ରମଣରେ ସୋମବାର ଦିନ ପାଲାଉ ପତାକାଯୁକ୍ତ ମାରିଭେକ୍ସ ରେ ଓମାନି ଉପକୂଳରେ ନିଆଁ ଲାଗିଯାଇଥିଲା।
ସୂଚନା ପାଇ, ମୁମ୍ବାଇର ସାମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ର (MRCC) ଓମାନି କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ କରି ନାବିକମାନଙ୍କୁ ଉଦ୍ଧାର କରିଥିବା ନେଇ ଭାରତୀୟ ତଟରକ୍ଷୀ ବାହିନୀ କହିଛି। ଯାହାର ଏକ ଭିଡିଓ ଭାଇରାଲ ହେଉଛି।
ଭିଡିଓରେ ଓମାନି ହେଲିକପ୍ଟରଗୁଡ଼ିକୁ ଜାହାଜର ଡେକ୍ ଉପରେ ଉଡ଼ୁଥିବା ଏବଂ ଜାହାଜରେ ଥିବା ଲୋକମାନଙ୍କୁ ଉଦ୍ଧାର କରୁଥିବା ଦେଖାଯାଇଥିଲା।
ଓମାନ୍ SRRରେ MT ମାରିଭେକ୍ସ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ପରେ MRCC ମୁମ୍ବାଇ ପକ୍ଷରୁ ତୁରନ୍ତ ପ୍ରତିକ୍ରିୟା କରାଯାଇଥିଲା। ସୂଚନା ପାଇବା ପରେ, MRCC ମୁମ୍ବାଇ ତୁରନ୍ତ OMSC ଓମାନ୍ ସହିତ ସମନ୍ୱୟ ସ୍ଥାପନ କରିଥିଲା। ପରେ ଓମାନ୍ ନୌସେନା ହେଲିକପ୍ଟର ଦ୍ୱାରା ୨୪ ଜଣ ଭାରତୀୟ କ୍ରୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।
ସାମୁଦ୍ରିକ ଟ୍ରାଫିକ୍ ତଥ୍ୟ ଅନୁଯାୟୀ, ମାରିଭେକ୍ସ ଭାରତର କରୱାରରୁ ଓମାନର ଡୁକମ୍ ଅଭିମୁଖେ ଯାତ୍ରା କରୁଥିଲା। ସେହି ସମୟରେ ଏହା କ୍ଷେପଣାସ୍ତ୍ର ଆକ୍ରମଣର ଶିକାର ହୋଇଥିଲା।