Latest Odisha News

BREAKING NEWS

ରାଜ୍ୟରେ କଡ଼ାକଡ଼ି ହେବ ହେଲମେଟ୍ ଓ ସିଟ୍ ବେଲ୍ଟ ଚେକିଂ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ବଢୁଥିବା ସଡ଼କ ଦୁର୍ଘଟଣା ଏବଂ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆଗାମୀ ଦିନରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଶେଷ କରି ରାଜପଥ ଓ ସହରାଞ୍ଚଳରେ ହେଲମେଟ୍ ଏବଂ ସିଟ୍ ବେଲ୍ଟ ଚେକିଂକୁ ଅଧିକ କଡ଼ାକଡ଼ି କରାଯିବା ନେଇ ନିଷ୍ପତ୍ତି ହୋଇଛି। ବାରମ୍ବାର ସଚେତନତା ସତ୍ତ୍ୱେ ଅନେକ ଅମାନିଆ ଗାଡ଼ି ଚାଳକ ନିୟମ ମାନୁନଥିବାରୁ ସେମାନଙ୍କ ଉପରେ କଟକଣା ଲାଗୁ କରାଯାଇଛି।

 

ଏ ନେଇ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରତିକ୍ରିୟା ରଖିଛନ୍ତି। ସେ ସମସ୍ତ ଗାଡ଼ି ଚାଳକଙ୍କୁ ସୁରକ୍ଷିତ ଭାବେ ଯାନବାହନ ଚଲାଇବାକୁ ନିବେଦନ କରିବା ସହ ନିଜର ତଥା ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ନକରିବାକୁ ପରାମର୍ଶ ଦେଇଛନ୍ତି।

 

ଅନ୍ୟପକ୍ଷରେ, ସରକାରୀ ସ୍ତରରେ ଗାଡ଼ି ବ୍ୟବହାର ଉପରେ ଲାଗିଥିବା ନୂଆ କଟକଣା ସମ୍ପର୍କରେ ମଧ୍ୟ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ରାଜ୍ୟରେ କାର୍ଯ୍ୟକାରୀ କରାଯାଇ ସରକାରୀ ଅଧିକାରୀମାନଙ୍କୁ ନିଜ ଗାଡ଼ିର ତେଲ ଖର୍ଚ୍ଚ ୧୦ ପ୍ରତିଶତ ପର୍ଯ୍ୟନ୍ତ କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

 

ପରିବେଶ ପ୍ରଦୂଷଣ ରୋକିବା ତଥା ଇନ୍ଧନ ସଞ୍ଚୟ ଉଦ୍ଦେଶ୍ୟରେ ଆଗକୁ ସରକାରୀ ସ୍ତରରେ ଆଉ ନୂଆ ପେଟ୍ରୋଲ କିମ୍ବା ଡିଜେଲ ଚାଳିତ ଗାଡ଼ି କିଣାଯିବ ନାହିଁ। ଏହା ବଦଳରେ ଇଲେକ୍ଟ୍ରିକ୍ ଗାଡ଼ି ବ୍ୟବହାରକୁ ସର୍ବାଧିକ ପ୍ରୋତ୍ସାହିତ କରାଯାଉଛି ଏବଂ ଏଥିପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ମଧ୍ୟ ଯୋଗାଇ ଦିଆଯାଉଛି। ଏହା ସହିତ ନେତା ଓ ଅଧିକାରୀଙ୍କ ଗସ୍ତ ସମୟରେ ବ୍ୟବହାର ହେଉଥିବା କାର୍କେଡ୍ ବା ଗାଡ଼ିର ଲମ୍ବା ଲାଇନକୁ ମଧ୍ୟ କମାଯାଇଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.