ହେରଫେର ମହନୀତିର ମହାର୍ଘ ସୂତ୍ର

ହେରଫେର ମହନୀତିର ମହାର୍ଘ ସୂତ୍ର

ପରଂବ୍ରହ୍ମ ତ୍ରିପାଠୀ

ବଗଭାଇକୁ ବୋଉ ଯେବେ ବି କହିଛି ପାଞ୍ଚ କିଲୋ ଅଟା କି ଦୁଇ କିଲୋ ଚିନି ଆଣିବାକୁ, ସିଏ କେବେ ବି ରାଜି ହେଇନି। ଘରେ ତ ଗାଏ ମୋଟ ଲୋକ ତିନି ଜଣ, ପାଞ୍ଚ କିଲୋ ଆଣିକି କାହିଁକି ଗମରା କରିବା ଜିନିଷ। ବାବୁଙ୍କୁ ପରା ଡାଇବେଟିସ, ଚିନି ଅଧିକା ରହିଲେ ଭଲ ନୁହେଁ। ବୋଉ କହିବ ଓମଫେଡ ପ୍ୟାକେଟ କ୍ଷୀର ଆଣିବାକୁ, ବଗ ଭାଇର ପରାମର୍ଶ ଓମଫେଡରେ ପରା ପାଉଡର ମିଶୁଛି, ମୁଁ ଗଉଡ଼ ଘରକୁ ଯାଇ ନିଜେ ଧରି ଆସିବି। ବୋଉ ବୁଝି ପାରେନି କଣ ପାଇଁ ଅଧିକ ପରିମାଣର ଜିନିଷ କି ପ୍ୟାକେଟ ଜିନିଷ ଆଣିବାକୁ ବଗଭାଇ ମନା କରେ। ମତେ ବି ଆଶ୍ଚର୍ଯ୍ୟ ଲାଗେ। ଓମଫେଡ ପ୍ୟାକେଟ ବଜାରରେ ମିଳିବ। ବଜାରରୁ ନଆଣି ଲୋକଟା ତିନି କିଲୋମିଟର ଯାଉଛି କଣ ପାଇଁ? ସେମିତିଵି କ୍ଷୀରବାଲାକୁ କହିଲେ ସେ ବି ଘରେ ଆଣି କ୍ଷୀର ଦେଇ ଯାଇପାରନ୍ତା। ସେକଥା ବି ବଗଭାଇ କରେଇ ଦଉନି କାହିଁକି।

ଏଇ କଥାଟି ଦିନେ ପତ୍ନୀଙ୍କ ଆଗରେ କହିଲାରୁ ସିଏ ପ୍ରଥମେ ହସିଲେ। ତାପରେ କହିଲେ, ପାଞ୍ଚ କିଲୋ ବା ପ୍ୟାକେଟ ଜିନିଷ ଆଣିଲେ ବଗଭାଇର ଉପୁରି ହେବ କେମିତି। ମୁଁ ବୁଝି ପାରିଲିନି। ପଚାରିଲି ଜିନିଷ ସହ ଉପୁରିର କଣ ସମ୍ପର୍କ। ଏଥରକ ବୁଝାଇଲେ ପତ୍ନୀ। ଓମଫେଡ ପ୍ୟାକେଟ ଉପରେ ତା ଦାମ ଲେଖା ଅଛି। ତାଠାରୁ ଅଧିକ ପଇସା ଦେଇଛି ବୋଲି କହିଲେ କେହି ବିଶ୍ୱାସ କରିବେନି। ତାପରେ କ୍ଷୀରବାଲାଠାରୁ କ୍ଷୀର ଆଣିଲେ ଦେଢ଼ ଲିଟର ଜାଗାରେ ବାର ଶହ ପଚାଶ ବି ଆଣି ହେବ। ବୋଉଙ୍କୁ କୁହ, କାଲି ବଗଭାଇ କ୍ଷୀର ଆଣି ସାରିଲା ପରେ ଓଜନ କରିବାକୁ। କଥା ଧରା ପଡ଼ିଯିବ।

ଘରେ ଗୋଟେ ପୁରୁଣା ପଳା ଥିଲା, ବୋଉ ତାକୁ ଧୋଇ ଧାଇ ରଖିଲା। ବଗଭାଇ ଯେମିତି କ୍ଷୀର ଆଣିକି ଆସିଛି, ଓଜନ କଲା ବେଳକୁ ପାଖାପାଖି ଅଢେଇଶ କମ। ଏକ ତ ଓଜନ କଲା ବେଳକୁ ବଗଭାଇର ମୁହଁ ଶୁଖି ଯାଇଥିଲା, ତାପରେ ବୋଉର ରାଗ ଦେଖି ସିଏ ସମ୍ପୂର୍ଣ୍ଣ ଅପ୍ରସ୍ତୁତ ଦେଖାଗଲା। ତଥାପି ଦମ୍ଭ ନଭାଙ୍ଗି କହିଲା, ମା ଆସିଲା ବେଳକୁ ପରା ସେ ବେହେରା ଘର ଟୋକା ଏଡ଼େ ଜୋରରେ ମୋ ସାଇକେଲକୁ ଧକ୍କା ଦେଲା ଯେ କ୍ଷୀର ଟିକେ ଢଳିଗଲା। ବୋଉ ବୁଝି ପାରିଲା ପ୍ରକୃତ ଘଟଣାଟି କଣ, ତାପରେ ଜୋର ଦେଇ କହିଲା ଯେ ପାଉଡର ମିଶୁ କି ଯାହା ମିଶୁ କାଲିଠାରୁ ଓମଫେଡ କ୍ଷୀର ହିଁ ଆସିବ।

ପ୍ରଥମ କଥାଟି ସତ ହେଲା ପରେ ଅଧିକ ପରିମାଣର ଜିନିଷ ଏକାଥରକେ ଆଣିବାକୁ ବଗଭାଇ କାହିଁକି ମନା କରୁଛି ସେକଥା ପତ୍ନୀଙ୍କୁ ପଚାରିଲି। ପତ୍ନୀ କହିଲେ, ଅଧିକ ପରିମାଣର ଜିନିଷ ଆଣିଲେ, ଅଧିକ ଟଙ୍କା ବିଲ ହେବ। ଜଣେ ଅଧିକ ଟଙ୍କା ଦେଲା ମାନେ ଆସିଥିବା ଜିନିଷ ଓ ତାର ହିସାବ ତନଖି କରିବ ହିଁ କରିବ। ପଚାଶ ଟଙ୍କାର ଜିନିଷ ଆଣିଲେ ଜଣେ ଯଦି ସେଥିରୁ ଦୁଇ ଚାରିଟଙ୍କା ରଖିଦେଲା, ସେ ଆଡକୁ କେହି ଧ୍ୟାନ ଦେବେନି। ତାପରେ କମ ପରିମାଣର ଜିନିଷ ଆଣିଲେ ଜିନିଷ ଶୀଘ୍ର ସରିବ ଓ ଶୀଘ୍ର ସରିଲେ ଆଉ ଥରେ ଉପୁରିର ବାଟ ଖୋଲିବ।

ହେରଫେର ମହନୀତିର ଏ ମହାର୍ଘ ସୂତ୍ର ମୁଁ ବୁଝ ନଥିଲି, ପତ୍ନୀ ଘର ଚଳାଉଛନ୍ତି ବୋଲି ବୋଧେ ଧରି ପାରିଲେ। ସୂତ୍ରଟି ଜାଣିଲା ପରେ ବୁଝିଗଲି ଭାରତରେ ନାମୀ ଉତ୍ପାଦକ ଥାଉ ଥାଉ ବି ସରକାରୀ ଯୋଜନାମାନଙ୍କରେ ଦିଆ ଯାଉଥିବା ଜିନିଷଗୁଡିକ କଣ ପାଇଁ ଚାଇନାରୁ ଏପରିକି ବେଳେବେଳେ ଘାନା ନାଇଜେରିଆରୁ କିଣାଯାଏ। କଣ ପାଇଁ ତିନି କିଲୋ ମିଟର ରାସ୍ତା କାମ ପାଇଁ ଗୋଟିକିଆ ଟେଣ୍ଡର ନ ବାହାର କରାଯାଇ, ପାଞ୍ଚ ଛଅଟି ଛୋଟ ଠିକାରେ କାମକୁ ବିଭକ୍ତ କରାଯାଏ। କ୍ଲବ ଘର ଗଣେଶ ପୂଜା ପାଇଁ ଛୁଞ୍ଚି ସାମ୍ନା ଦୋକାନରୁ ନ କିଣା ଯାଇ କଣ ପାଇଁ ତେଲ ପୋଡି କୋଡିଏ କିଲୋମିଟର ଦୂର ବଜାରରୁ ଅଣା ଯାଏ।

ଏବେ ତ ଏମିତି ହେଲାଣି ଯେ ଆମେ ହେରଫେରକୁ ନିତିଦିନିଆ ଜୀବନର ଏକ ଦେହସୁହା ଘଟଣା ଭାବେ ଗ୍ରହଣ କରି ସାରିଲେଣି। କିଛି ମହାତ୍ମା ଦୁଇ ପାଦ ଆଗେଇ ଯାଇ ହେରଫେରକୁ ବିକାଶ ଇଂଜିନର ଘର୍ଷଣ ହ୍ରାସକାରି ତେଲ ବୋଲି ମଧ୍ୟ କହୁଛନ୍ତି। ତଥାପି ହେରଫେର କିପରି କରାଯାଏ ତାହାର ସୂତ୍ର ଗୁଡିକୁ ମନେ ରଖିଲେ ହେରଫେରକୁ କିଛି ମାତ୍ରାରେ ରୋକି ହେବ ବୋଲି ଆଶା।