Latest Odisha News

ଐତିହ୍ୟର ବଡ଼ଦାଣ୍ଡ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର

ବଡ଼ ଦେଉଳରେ ପୂଜା ପାଉଥିବା ବଡ଼ ଠାକୁରଙ୍କ କ୍ଷେତ୍ରରେ କାହିଁ କେକାଳରୁ ନିଜର ପ୍ରଶସ୍ତ କାୟା ବିସ୍ତାର କରି ରହିଅଛି ବଡ଼ଦାଣ୍ଡ  । ସମୁଦ୍ରରୁ ଉଠି ଆସି ଭୂମିରେ ସଦ୍ୟମୃତ ବିରାଟ ସାମୁଦ୍ରିକ ଜୀବଟିଏ ଯେମିତି ଚିତ୍‌ହୋଇ ପେଟତଳର ମସୃଣ ଚମଡ଼ା ଦେଖାଇ ସର୍ପିଳ ଠାଣିରେ ମୋଡ଼ି ହୋଇ ନୀରବରେ ପଡ଼ିରହିଛି  । ତାର ମୁଣ୍ଡ ସିଂହଦ୍ୱାରରେ ଅଛି ତ ଲାଙ୍ଗୁଡ଼ର ଶେଷଭାଗ ଶରଧାବାଲିରେ ଆହୁରି ଚଉଡ଼ା ହୋଇ ଗୁଣ୍ଡିଚା ଘର ପାଚେରୀର ଦୁଇକୋଣକୁ ଛୁଇଁଚି । ମଝିରେ ଦଶାବତାର ମଠର ଶେଷଭାଗକୁ ଠିକ ମାଛର ଲାଞ୍ଜ ସଦୃଶ ଦୁଇଭାଗରେ ବିଭକ୍ତ କରି ଦେଇଛି । ଶ୍ରୀମନ୍ଦିରକୁ କେନ୍ଦ୍ର କରି ଶ୍ରୀକ୍ଷେତ୍ରର ସୃଷ୍ଟି ।

ପୌରାଣିକ ତଥ୍ୟ ଅନୁସାରେ ଆଡ଼ପମଣ୍ଡପର ରୁଦ୍ଧଦ୍ୱାର କର୍ମଶାଳା ଭିତରେ ବିଶ୍ୱକର୍ମାଙ୍କ ଦ୍ୱାରା ଚତୁର୍ଦ୍ଧା ମୂର୍ତ୍ତି ସୃଷ୍ଟି ହୋଇ ସେଠାରୁ ଯାଇ ଶ୍ରୀମନ୍ଦିରରେ ପ୍ରତିଷ୍ଠା ହେବା ପରଠାରୁ ବଡ଼ଦାଣ୍ଡର ଭୌଗଳିକ ସ୍ଥିତି ନିର୍ଦ୍ଧାରିତ ହୋଇଥିବା ସହଜରେ ଅନୁମେୟ । ଉଭୟ ପାଶ୍ୱର୍ରେ ପ୍ରଚୁର ଗଛବୃଚ୍ଛ ଘେରା ସବୁଜ ବନାନୀ ପରିବେଷ୍ଟିତ ଏହି ପଥ, ଯୁଗ ଯୁଗ ଧରି ଅସଂଖ୍ୟ ଯାତ୍ରୀ ଓ ଭକ୍ତଙ୍କୁ ଆକର୍ଷିତ କରିଆସିଛି । ପ୍ରାୟ ୨.୮ କି.ମି ଲମ୍ବ ଏହି ଦାଣ୍ଡର ପ୍ରଶସ୍ଥତା ସର୍ବଦା ଅକ୍ଷୁର୍ଣ୍ଣ ରହିଛି । ସିଂହଦ୍ୱାର ନିକଟରେ ଏହାର ପ୍ରସ୍ଥ ପ୍ରାୟ ୧୫୦ ଫୁଟ ଓ ଗୁଣ୍ଡିଚା ଘର ନିକଟରେ ପ୍ରାୟ ୫୦୦ଫୁଟ । ମହାପ୍ରଭୁଙ୍କ ରଥଯାତ୍ରା ବେଳେ ରଥଗୁଡ଼ିକ ଦୁଇଥର ଗଡ଼ିବା ଅବସରରେ ଏହି ଦାଣ୍ଡର ଉନ୍ନତିକରଣ ବାରମ୍ବାର ଆବଶ୍ୟକ ପଡ଼ିଛି । ବିଭିନ୍ନ ଶାସକମାନଙ୍କ ପ୍ରୋତ୍ସାହନରେ ଏହାର କଳେବର ପରିବର୍ତ୍ତିତ ହୋଇଛି । ପୂର୍ବେ ସମୁଦାୟ ବଡ଼ଦାଣ୍ଡ ବାଲୁକାମୟ ଥିଲା । ଦୁଇପାଶ୍ୱର୍ରେ ଅନେକ ଘଞ୍ଚ ତୋଟା ବଗିଚା ରହି ଏହାର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିଲା । ଚୈତନ୍ୟ କଥାମୃତରେ ଲିଖିତ ପଦ ଅନୁସାରେ –

“ ସୂକ୍ଷ୍ମ ଶ୍ୱେତ ବାଲୁପଥ ପୁଳିଦେର ସମ
ଦୁଇ ଦିଗେ ତୋଟା ସବ ଯେନ ବୃନ୍ଦାବନ ।”

ଅର୍ଥାତ୍ ଶ୍ରୀଚୈତନ୍ୟ ମହାପ୍ରଭୁ ଏହି ବଡ଼ଦାଣ୍ଡକୁ ବୃନ୍ଦାବନ ସହିତତୁଳନା କରିବା ପାଇଁ ଭୁଲି ନାହାନ୍ତି । ଏମିତି ବହୁ କବି, ଭକ୍ତ ଶ୍ରୀକ୍ଷେତ୍ର ତଥା ବଡ଼ଦାଣ୍ଡକୁ ବିଭିନ୍ନ ନାମରେ ନାମିତ କରିଛନ୍ତି । ସ୍ୱର୍ଗତ କବି ବଂଶୀଧର ମହାନ୍ତି ଶ୍ରୀକ୍ଷେତ୍ରକୁ ପବିତ୍ରତା ଦୃଷ୍ଟିରୁ ‘ମର୍ତ୍ତ୍ୟ ବୈକୁଣ୍ଠ ସହ ତୁଳନା କରିଛନ୍ତି । ବିଶିଷ୍ଟ ଶ୍ରୀକ୍ଷେତ୍ରବିତ୍ ଡ. ଶ୍ରୀନିବାସ ଆଚାର୍ଯ୍ୟ ଶ୍ରୀକ୍ଷେତ୍ରକୁ ‘ନିତ୍ୟ ବୈକୁଣ୍ଠ’ ଓ ବଡ଼ଦାଣ୍ଡକୁ ‘ଲୀଳା ବୈକୁଣ୍ଠ’ ବୋଲି ଅଭିହିତ କରିଛନ୍ତି । ମହାପ୍ରଭୁଙ୍କର ବାର ମାସରେ ତେର ଯାତ୍ରା ପ୍ରଭୃତିରୁ ଅନେକ ଏହି ଦାଣ୍ଡରେ ଅନୁଷ୍ଠିତ ହୋଇଥାଏ । ସ୍ନାନ ପୂର୍ଣ୍ଣିମାରେ ବଡ଼ଦାଣ୍ଡ ସଲଗ୍ନ ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରି ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ।

ରଥଯାତ୍ରା ଅବସରରେ ତିିନି ରଥ ନିର୍ମାଣ ଓ ଦକ୍ଷିଣ ମୋଡ଼ଠାରୁ ଆରମ୍ଭ କରି ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ସମେତ ହେରା ପଞ୍ଚମୀ, ମାଉସୀମା ମନ୍ଦିରରେ ପୋଡପିଠା ପନ୍ତି, ଲକ୍ଷ୍ମୀନାରାୟଣ ଭେଟ, ସୁନାବେଶ, ଅଧରପଣା, ଚାହାଣୀ ମଣ୍ଡପ ଓ ବାହୁଡ଼ା ବିଜେ ନୀତି ଆଦି ସମସ୍ତ ଲୀଳା ଏହି ବଡ଼ଦାଣ୍ଡରେ ଅନୁଷ୍ଠିତ ହୋଇଥାଏ । ଏହାଛଡ଼ା ଚନ୍ଦନ ଯାତ୍ରାରେ ଶ୍ରୀ ମଦନମୋହନ, ରାମକୃଷ୍ଣ, ଶ୍ରୀଦେବୀ ଓ ଭୂଦେବୀ ପଞ୍ଚ ମହାଦେବଙ୍କ ସହ ଶ୍ରୀମନ୍ଦିରରୁ ଚନ୍ଦନ ପୋଖରୀକୁ ଦୀର୍ଘ ୨୧ ଦିନ ଧରି ପଟୁଆର ଯାତ୍ରା ଏହି ବଡ଼ଦାଣ୍ଡରେ ସମାହିତ ହୋଇଥାଏ । ବଡ଼ଦାଣ୍ଡର ପଶ୍ଚିମ ପାଶ୍ୱର୍ରେ ଥିବା ଅନେକ ଜଳାଶୟଯୁକ୍ତ ବିଶାଳ ଉଦ୍ୟାନ ଜଗନ୍ନାଥ ବଲ୍ଲଭ, ଉତ୍ତରରେ ବଡ଼ଦ୍ୱାର ଓ ନରେନ୍ଦ୍ର ପୋଖରୀ ତଥା ପଶ୍ଚିମରେ ମା ବିଶ୍ୱେଶ୍ୱରୀଙ୍କ ମନ୍ଦିର ପରିବେଷ୍ଟନୀ ମଧ୍ୟରେ ରହିଛି । ରାମଲୀଳା, ଦୟଣାଚୋରୀ, ଲାଖବିନ୍ଧା ଆଦି ବିଭିନ୍ନ ପର୍ବପର୍ବାଣୀରେ ମହାପ୍ରଭୁଙ୍କର ଅନେକ ନୀତି ଏହିଠାରେ ସମ୍ପାଦିତ ହୋଇଥାଏ । ଜଗନ୍ନାଥ ବଲ୍ଲଭ ମଧ୍ୟରେ ଥିବା ବଡ଼ମହାବୀର ମନ୍ଦିରକୁ ପଣା ସଂକ୍ରାନ୍ତି ବା ହନୁମାନ ଜୟନ୍ତୀ ଦିନ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରମ୍ପରାରହିଛି । ଜଗନ୍ନାଥ ବଲ୍ଲଭର ବିପରୀତ ପାଶ୍ୱର୍ରେ ଶ୍ରୀ ବଳଭଦ୍ର ବଲ୍ଲଭ ଓ ଶ୍ରୀ ସୁଦର୍ଶନ ବଲ୍ଲଭ ରହିଥିଲା ଯାହା ଆଜି କେବଳ ଗୋଟିଏ କ୍ଷୁଦ୍ର ମନ୍ଦିରରେ ସୀମିତ । ଏହି ଜଗନ୍ନାଥ ବଲ୍ଲଭକୁ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନର ଆଖ୍ୟା ଦିଆଯାଇଅଛି । ନବକଳେବର ସମୟରେ ବନଯାଗ ଯାତ୍ରା ଦଳର ପ୍ରଥମ ବିଶ୍ରାମସ୍ଥଳୀ ଭାବେ ଜଣାଶୁଣା ଏହି ଜଗନ୍ନାଥ ବଲ୍ଲଭ । ଶ୍ରୀ ନହରରୁ ଆଜ୍ଞାମାଳ ନେଇ ପଦଚାରୀ ବନଯାଗୀମାନେ ଏହିଠାରେ ଗୋଟିଏ ରାତି ବିଶ୍ରାମ ନିଅନ୍ତି । ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦାରୁ ଶଗଡ଼ି ସବୁ ବଡ଼ଦାଣ୍ଡରେ ଟଣା ହୋଇ ଆସି ଦେବଯାନ ମାର୍ଗ ତଥା ଉତ୍ତର ଦ୍ୱାର ଦେଇ କୋଇଲି ବୈକୁଣ୍ଠକୁ ଯାଇଥାଏ । ଏତେ ସବୁ ଲୀଳାର ପ୍ରମୁଖ ସହଯୋଗୀ ଭାବେ ବଡ଼ଦାଣ୍ଡ ବିଦ୍ୟମାନ । ଏଣୁ ଏହାକୁ ଲୀଳା ବୈକୁଣ୍ଠ ଆଖ୍ୟା ଦିଆଗଲେ କିଛି ଅତ୍ୟୁକ୍ତି ହେବନାହିଁ ।

ବିଶିଷ୍ଠ ଗବେଷକ  ସୁରେନ୍ଦ୍ର କୁମାର ମିଶ୍ରଙ୍କ ମତରେ ବଡ଼ଦାଣ୍ଡ, ଅନନ୍ୟ ଆତ୍ମୀୟତାର ପଥ । ଏହା ସବୁକାଳେ ମହନୀୟ, ପବିତ୍ର ଓ ପୂଜ୍ୟ । ରଥଯାତ୍ରା ସମୟରେ ଏହି ଦାଣ୍ଡରେ ଭକ୍ତ ଓ ଭଗବାନ ଯେଭଳି ଏକାକାର ହୁଅନ୍ତି ସେଥିରୁ ଜଣାପଡ଼େ ଯେ ବଡ଼ଦାଣ୍ଡ ଏକ ଜୀବନ୍ତ ପ୍ରବାହର ଚେତନାର ଉତ୍ସ । ବୈଷ୍ଣବ ପରମ୍ପରାରେ ନୀଳାଚଳକୁ ‘ଐଶ୍ୱର୍ଯ୍ୟ ଧାମ’ ଓ ଗୁଣ୍ଡିଚା ମନ୍ଦିରକୁ ‘ବ୍ରଜଧାମ’ ରୂପେ ଗ୍ରହଣ
କରାଯାଇଛି । ଏହି ଦୁଇଧାମର ସଂଯୋଗକାରୀ ମାର୍ଗଭାବେ ବଡ଼ଦାଣ୍ଡ ବିଦ୍ୟମାନ । ଏହି ଦାଣ୍ଡର ବସୁଧାରେ ଯେତିକି ମହତ୍ୱ ଏହା ଉପରର ଆକାଶ ମଧ୍ୟତତୋଧିକ ମହିମାନ୍ୱିତ ଯାହା ସମସ୍ତଙ୍କୁ ମୁକ୍ତି ଦେବା ପାଇଁ ଉଦ୍ଦିଷ୍ଟ ।ବଡ଼ଦାଣ୍ଡର ଛାତିରେ ଅସୁମାରୀ ଅନୁଭୂତିର ସ୍ମୃତି ସାଇତି ରଖାହେଇଛି । ଅସଂଖ୍ୟ ଖରା ବର୍ଷା କାକରର ଅସହ୍ୟ ଯନ୍ତ୍ରଣା ବହନ କରି ଖୋଲା ଆକାଶ ତଳେ ପଡ଼ିରହିଛି ବଡ଼ଦାଣ୍ଡ  । ଯେତେଥର ରଥର ଚକମାନେ ଘୁଁ ଶବ୍ଦ କରି ଗଡ଼ିଛନ୍ତି ସେତିକିଟି ଆଷାଢର ଅନୁଭୂତିରେ ସମୃଦ୍ଧ ହୋଇଛି ଏ ଦାଣ୍ଡର ପୃଷ୍ଠଭୂମି  । ଏହାର କ୍ଷୟ ନାହିଁ କି ବୃଦ୍ଧି ନାହିଁ  ।

ଶହ ଶହ ବର୍ଷତଳେ ଦୈର୍ଘ୍ୟପ୍ରସ୍ଥ ଯାହା ଥିଲା ଏବେ ସେଇଆ  । କେବଳ ବାଲିମାଟିର ବଡ଼ଦାଣ୍ଡରେ ପର୍ଯ୍ୟାୟ କ୍ରମେ ଢିମା, ପଥର, ପିଚୁ ଗୋଡ଼ିର ଆସ୍ତରଣରେ ତାର ଛାତିକୁ ଦିଆ ହୋଇଛି ଅଭେଦ୍ୟ, କଠିନରୁ କଠିନତର, ଏବେ ଶରଧା ବାଲି ମଧ୍ୟ ହୋଇଯାଇଛି ବାଲିଶୂନ୍ୟ । ପୂର୍ବେ ସେଠାରେ ବାଲି ନଥିଲା  । ଥିଲା ଗୋଟିଏ ପାଟ । ସେ ପାଟରେ ଫୁଟୁଥିଲା କଇଁଫୁଲ  । ଦୁଇପାଶ୍ୱର୍ରେ ଦୁଇଟି ଅଗଭୀର ଜଳାଶୟ ମଝିରେ ରାସ୍ତା ଥିଲା ଗୁଣ୍ଡିଚାଘର ଓ ବଡ଼ଶଙ୍ଖକୁ ଯୋଗ କରି । ସେତେବେଳେ ଏତେ ଘରଦ୍ୱାର, ସାହିବସ୍ତି, ଦୋକାନ ବଜାର ଗହଳ ଚହଳ କିଛି ନଥାଏ । ସେ ରାସ୍ତା ଦେଇ ସନ୍ଧ୍ୟାପରେ ଯିବାଆସିବା ସମୟରେ କାଁ ଭାଁ କୋଉଁଠି ବିଜୁଳି ଆଲୁଅଟିଏ ଥାଏ ଏବଂ ବେଙ୍ଗକୂଳର ସମବେତ ରଡ଼ି ସହ ଝିଙ୍କାରିର ଝିଂ ଝିଂ ଶବ୍ଦର ସମିଶ୍ରଣରେ ସୃଷ୍ଟି ହେଉଥାଏ ଏକ ଆଧିଭୌତିକ ପରିବେଶ । ଏ ଅବସ୍ଥା ଗତ ଶତାବ୍ଦୀର ସତୁରୀ ଦଶକର ଶେଷ ଭାଗ ପର୍ଯ୍ୟନ୍ତ ପ୍ରାୟତଃ ବଳବତ୍ତର ଥିଲା ଏବଂ ଶରଧାବାଲିକୁ ବଡ଼ଦାଣ୍ଡରୁ ଏକ ପ୍ରକାର ବିଖଣ୍ଡିତ କରି ରଖିଥିଲା  । ଠିକ ଯେମିତି ବଡ଼ଶଙ୍ଖ ନିର୍ମାଣ ପୂର୍ବରୁ ସେ ସ୍ଥାନରେ ବୋହି ଯାଇଥିଲା ଜଳଧାରାଟିଏ, ଶଙ୍ଖୁଆ ନଦୀର ଏକଧାର ‘ମାଳିନୀ ନଦୀ’ ନାମରେ ବଡ଼ଦାଣ୍ଡକୁ ଦୁଇଭାଗରେ ବିଭକ୍ତ କରି  । ଗୁଣ୍ଡିଚା ଯାତ ବେଳେ ତିଆରି ହେଉଥିଲା ସେହି ନଦୀର ଉଭୟ ପାଖରେ ତିନିଗୋଟି କରି ଛଅଗୋଟି ରଥ  । ବଳଗଣ୍ଡି ପର୍ଯ୍ୟନ୍ତ ତିନିରଥରେ ଠାକୁର ଯାଇ ଏକ ଚାପଭେଳା ସାହାଯ୍ୟରେ ପାରିହୋଇ ମାଳିନୀ ନଦୀର ଆରପଟେ ଇନ୍ଦ୍ରଦ୍ୟୁମ୍ନ ପାଟଣାରେ ତିଆରି ହୋଇଥିବା ଆହୁରି ତିନିଗୋଟି ଚାରିଚକ ବିଶିଷ୍ଟ ଶଗଡ଼ି ରଥରେ ବିଜେ କରୁଥିଲେ  । ଏହି ଶଗଡ଼ି ରଥମାନଙ୍କୁ ପୁଣି ଲୋକମାନେ ଟାଣି ଗୁଣ୍ଡିଚାଘର ନିକଟରେ ପହଞ୍ଚାଉଥିଲେ  । ଏହିପରି ପ୍ରଭୁଙ୍କର ଦୁଇ ଦୁଇଥର ଯାନ ବଦଳା ହୋଇ ଘୋଷଯାତ୍ରା ସମାପନ ହେଉଥିଲା  । ମଣିଷ ନଦୀପାରି ହୋଇ ପୁଣି ବାହନ ବଦଳାଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ଭଳି ମହାପ୍ରଭୁଙ୍କର ଘୋଷଯାତ୍ରା ଅନୁଷ୍ଠିତ ହେଉଥିଲା  । ନବଦିନ ଯାତ୍ରା ସଙ୍କୁଚିତ ହୋଇ ଗୁଣ୍ଡିଚା ଘରେ ଶ୍ରୀ ଜିଉମାନଙ୍କ ରହଣୀର ଅବଧି କିଛିଦିନ କମିଯାଉଥିଲା  ।

ଇତିହାସ କହେ, ୧୨୭୦ରେ ଉତ୍କଳର ରାଜା ଭାନୁଦେବ ଏହି ବଡ଼ଶଙ୍ଖ ନିର୍ମାଣ କରିଥିଲେ ଏବଂ ଶ୍ରଦ୍ଧାରାଣୀ ବାଙ୍କିମୁହାଣ ଆଡ଼ୁ ମାଳିନୀ ନଦୀ ପୋତାଇବା କାମ ସମ୍ପନ୍ନ କରିଥିଲେ । ଯାହା ଫଳରେ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ସହଜ ସାଧ୍ୟ ହୋଇଥିଲା । ଏଣୁ ଏହି ଅଞ୍ଚଳ ଲୋକମୁଖରେ ଶରଧା ବାଲି ବୋଲି ନାମିତ ହୋଇଥିଲା । ତାଙ୍କ ପରେ ରାଜା ନରସିଂହ ଦେବ( ୧୨୭୮-୧୩୦୯) ଶରଧା ବାଲିର
ମଧ୍ୟଭାଗରେ ଏକ ପ୍ରଶସ୍ତ ପଥ ନିର୍ମାଣ କରିଥିଲେ । ରାଣୀ ଅହଲ୍ୟାବାଈ ବଡ଼ଦାଣ୍ଡର ଉନ୍ନତିକରଣ କରାଇଥିବା ତଥ୍ୟ ମାଦଳା ପାଞ୍ଜିରେ ବର୍ଣ୍ଣିତ ହୋଇଅଛି । ବଡ଼ଦାଣ୍ଡର ଗର୍ଭର୍ରେ ଥିବା ଅଦୃଶ୍ୟ ଟାଇମ କାପସୁଲରେ ଅନେକ ଏପିସୋଡ଼ ମୁଦା ହୋଇ ରହିଅଛି  । ପ୍ରତିବର୍ଷ ରଥମାନଙ୍କର ଭୀମଭାର ବହନ କରି ଅସଂଖ୍ୟ ଯାତ୍ରୀଙ୍କ ପଦପାତକୁ ପାଥେୟ କରି ବଡ଼ଦାଣ୍ଡ ପଡ଼ିରହିଛି  । କେତେ ଭକ୍ତ ଆସିଛନ୍ତି ଦଣ୍ଡପ୍ରଣାମ କରି  । କେତେ ମହାପୁରୁଷ ଭଜନ କୀର୍ତ୍ତନର ତାଳେ ତାଳେ ଆତ୍ମବିଭୋର ହୋଇ ନାଚିଛନ୍ତି ଏହାରି ବୁକୁରେ  । ବଡ଼ଦାଣ୍ଡର
ସାନିଧ୍ୟରେ ଆହ୍ଳାଦିତ ହୋଇଛନ୍ତି  । ଧୂଳି ନେଇ ମୁଣ୍ଡରେ ମାରି ପ୍ରଣିପାତ କରିଛନ୍ତି  । ଭକ୍ତ ସାଲବେଗ ଏହି ଦାଣ୍ଡରେ ଦିନେ ଗାଇ ଚାଲିଥିଲେ “ଆହେ ନୀଳ ଶଇଳ, ପ୍ରବଳ ମତ୍ତ ବାରଣ, ମୋ ଆରତ ନଳିନୀ ବନକୁ କର ଦଳନ” ଭକ୍ତର ଭକ୍ତିଭରା ଭଜନରେ ରଥ ଚକ ହୋଇଯାଇଥିଲା ନିଶ୍ଚଳ  । ଦାସିଆ ବାଉରୀର ପାଦସ୍ପର୍ଶରେ ବଡ଼ଦାଣ୍ଡର ମହାନତା ଉନ୍ନୀତ ହୋଇଥିଲା ମହାନୁଭବର ଶୀର୍ଷକୁ  । ଅସ୍ପୃଶ୍ୟତାର ଭେଦଭାବ ଡ଼େଇଁ ପ୍ରମାଣିତ ହୋଇଥିଲା ଭକ୍ତର ଅଧିକାର  । ସିଂହଦ୍ୱାରଠାରେ ଭକ୍ତହାତରୁ ପ୍ରଭୁ ନଡ଼ିଆ ଗୋଟି ଗ୍ରହଣ କରିବା କଥା କୃଷ୍ଣାବତ୍ତାରର ଭକ୍ତବନ୍ଧୁ ସୁଦାମାଙ୍କ କଥା ଉଜ୍ଜୀବିତ କରେ  । ବନ୍ଧୁ ମହାନ୍ତି, ସାରିଆ ଭିକ, କବିସୂର୍ଯ୍ୟ ବଳଦେବ, ବଳରାମ ଦାସଙ୍କ ଭଳି ଅନେକ କବି ଭକ୍ତିଭାବ ପ୍ରକାଶ କରିଛନ୍ତି ସେମାନଙ୍କ ରଚନା ମାଧ୍ୟମରେ । ପରମ ବୈଷ୍ଣବ ଶ୍ରୀଚୈତନ୍ୟ ଦେବ କାଳେ
ମହାପ୍ରଭୁଙ୍କ ଭକ୍ତିରେ ଗଦ୍‌ଗଦ୍ ହୋଇ ଉଦଣ୍ଡ ନୃତ୍ୟ କରି ଏହି ବଡ଼ଦାଣ୍ଡର ଧୂଳିରେ ଗଡ଼ିବାକୁ ସୁଖ ପାଉଥିଲେ । ସମସ୍ତେ ବଡ଼ଦାଣ୍ଡର ପବିତ୍ର ସାନିଧ୍ୟରେ ହୋଇଛନ୍ତି ଆତ୍ମବିସ୍ମୃତ । କେତେ କେତେ ସାଧୁ ସନ୍ଥ ବଡ଼ଦାଣ୍ଡରେ ପଦପାତ କରି ପାଇଛନ୍ତି ଆତ୍ମସନ୍ତୋଷ  । ରଥଯାତ୍ରା ସମୟରେ ଭକ୍ତମାନଙ୍କର ଉନ୍ମାଦିତ ଆବେଗରେ ପ୍ରଭାବିତ ହେଇ ଆଧୁନିକ କବି ରାଜେନ୍ଦ୍ର କିଶୋର ପଣ୍ଡା ଲେଖିଲେ
‘ଶ୍ରୀମନ୍ଦିର ଜଗନ୍ନାଥ ଶୂନ୍ୟ, ବଡ଼ଦାଣ୍ଡ ଜଗନ୍ନାଥମୟ’ । ପ୍ରସିଦ୍ଧ ଲେଖକ ବିବୁଧରଞ୍ଜନଙ୍କ ମତରେ, ଏହି ଦାଣ୍ଡ ଭାବ ଓ ବିଶ୍ୱାସର ପ୍ରତୀକ । ଏଠି ଜୀବ ଓ ପରମ ଏକତ୍ରିତ ହେବା କେବଳ ଭାବରେ ହିଁ ସମ୍ଭବ ହୁଏ ।

ପୁରୀର ଜୀବନଚର୍ଯ୍ୟାରେ ଏହି ବଡ଼ଦାଣ୍ଡର ଭୂମିକା ଅତି ମହତ୍ୱପୂର୍ଣ୍ଣ  । ପୁରୀଆଙ୍କ ପାଇଁ ସମୁଦ୍ରକୂଳ ଅପେକ୍ଷା ବଡ଼ଦାଣ୍ଡର ଆକର୍ଷଣ
କିଛି କମ ନୁହେଁ  । ସମୁଦ୍ରକୂଳର ପବନ ଯାତ୍ରୀଙ୍କ ପାଇଁ ହେଲେ ପୁରୀଆଙ୍କ ପାଇଁ ବଡ଼ଦାଣ୍ଡର ଧୂଳିମିଶା ହାୱା ଅଧିକ ଆନନ୍ଦଦାୟକ  । ଘର ଯେଉଁ ଗଳି କନ୍ଦିରେ ହେଇଥାଉ ପଛକେ ଘରୁ ବାହାରି ବଡ଼ଦାଣ୍ଡ ଚାଲିଆସି ଟିକେ ହାୱା ଖାଇଦେଲେ ମନକୁ ଆନନ୍ଦ ମିଳେ । ସ୍ୱାଭାବିକ ଭାବେ ପୁରୀ ସହରର ଦକ୍ଷିଣରେ ମହୋଦଧି ବିଦ୍ୟମାନ ଏବଂ ବଡ଼ଦାଣ୍ଡ ଭଳି ଏକ ପ୍ରଶସ୍ତ ରାସ୍ତାର ଭୌଗଳିକ ସ୍ଥିତି ଦକ୍ଷିଣରୁ ଉତ୍ତରକୁ ଲମ୍ବିଥିବାରୁ ବର୍ଷର ସବୁ ସମୟରେ ଏଠାରେ ପ୍ରାକୃତିକ ପବନ ସ୍ରୋତର ପ୍ରାବଲ୍ୟ ଅନୁଭୂତ ହୁଏ । ସ୍ଥାନୀୟ କବି ସାହିତ୍ୟିକଙ୍କ ଦ୍ୱାରା ଏହା ‘ଚିର ବସନ୍ତର ଦାଣ୍ଡ’ ଭାବେ ନାମିତ । ଶ୍ରୀକ୍ଷେତ୍ରବିତ୍ ତଥା ପୁରୀବୋଲିର ସଂକଳକ ଡ଼ଃ ସିଦ୍ଧେଶ୍ୱର ମହାପାତ୍ରଙ୍କ ଭାଷାରେ ବଡ଼ଦାଣ୍ଡ ପୁରୀର ‘ଲାଇଫଲାଇନ’ ବା ଜୀବନରେଖା ଅଟେ  ।  ଚାଲିଚାଲି ହେଉ ବା ଯେମିତି ହେଉ ସନ୍ଧ୍ୟା ପରେ ସିଂହଦ୍ୱାରଠାରେ ପହଞ୍ଚି ପତିତପାବନଙ୍କୁ ହାତଟେକି ଦର୍ଶନ କଲେ ନିର୍ବାଣ ପ୍ରାପ୍ତିର ଦିବ୍ୟସୁଖ ମିଳିଥାଏ  । ସିଂହଦ୍ୱାର ତ ରାତିଦିନ ହସୁଥାଏ  । ସେଠି ରାତି ହୁଏ ନାହିଁ କହିଲେ ଚଳେ, ଯେତିିକି ସମୟ ପ୍ରଭୁଙ୍କ ପହଡ଼ ହୁଏ ସେତିକି ସମୟ ଫାଙ୍କା  । ଭୋର ବେଳାରୁ ସିଂହଦ୍ୱାର ସରକାରୀ ଗୁମୁଟରୁ ପ୍ରସାରିତ ରଘୁନାଥ ପାଣିଗ୍ରାହୀଙ୍କ କଣ୍ଠରେ ଗୀତ ଗୋବିନ୍ଦର ମଧୁର ମୁର୍ଚ୍ଛନା ସହିତ ବିଷ୍ଣୁ ସହସ୍ରନାମ ବାବି.ଶୁଭଲକ୍ଷ୍ମୀଙ୍କ କଣ୍ଠର ଭଜଗୋବିନ୍ଦମ୍ ବା ମଧୁରାଷ୍ଟକର ଅମୃତମୟ ଶବ୍ଦ ଲହରୀ ମଙ୍ଗଳା ଆଳତୀ ଦେଖିବାକୁ ଯାଉଥିବା ଶ୍ରଦ୍ଧାଳୁମାନଙ୍କର ମନରେ ସାତ୍ୱିକ ଭାବନାର ଉଦ୍ରେକ କରାଇଥାଏ  । ଧୂଳିଆଗୁମାସ୍ତାମାନେ ତା ଆଗରୁ ସିଂହଦ୍ୱାର ଫିଟିବା ମାତ୍ରେ ପତିତପାବନଙ୍କୁ ମୁଣ୍ଡିଆଟେ ମାରି
ବାହାରିଯାନ୍ତି ରେଳବାଇ ଷ୍ଟେସନ ଅଭିମୁଖେ ଆଗନ୍ତୁକ ଯାତ୍ରୀମାନଙ୍କୁ ସଙ୍ଖୋଳିବା ପାଇଁ ।

ସିଂହଦ୍ୱାରରେ ଖରା ପଡ଼ିବା ବେଳକୁ ବଡ଼ ଦାଣ୍ଡରେ ଗହଳି ଆରମ୍ଭ ହୁଏ  । ଭକ୍ତ, ଯାତ୍ରୀ, ସେବାୟତ, ପଣ୍ଡା, ଗୁମାସ୍ତା, ବୁଲା ବିକାଳୀ, ଭିକାରୀ, ରିକ୍ସାବାଲା ସମସ୍ତେ ହୋଇଯାନ୍ତି ଏକାକାର, ପୁଣି ସମସ୍ତେ ଭିନ୍ନ ଭିନ୍ନ ଠାଣିରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରନ୍ତି  । ଆଉ ଦିନକ ପାଇଁ ସଂଗ୍ରାମ ଆରମ୍ଭ ହୋଇଯାଏ ଶ୍ରୀଜଗନ୍ନାଥଙ୍କ ନାମ ନେଇ ବଞ୍ଚିବା ପାଇଁ  । ଧୂଳିଆମାନେ ଚାହିଁ ବସନ୍ତି ଯାତ୍ରୀଟିଏ ଆସିଲେ ତାକୁ କଳେବଳେ କୌଶଳେ ଆପଣେଇବାକୁ   । ଦୂରଦେଶର ଅଚିହ୍ନା ଯାତ୍ରୀ ସହିତ ସାମାନ୍ୟ ଦକ୍ଷିଣା ବିନିମୟରେ ଗଢି ଉଠେ କୃତ୍ରିମ ସାମୟିକ ସମ୍ପର୍କ  । ସିଂହଦ୍ୱାରରୁ ଆରମ୍ଭ ପୁଣି ସିଂହଦ୍ୱାରରେ ଶେଷ  । “ଆପକା ୟେ ଦଶ ରୁପୟା ହମାରେ ଲିଏ ଏକ ଲାଖ୍ ।”
ହଜାର ହଜାର ଟଙ୍କା ଖର୍ଚ୍ଚ କରି ଦେବଦର୍ଶନ ପାଇଁ ଆସୁଥିବା ଲୋକ ସମସ୍ତେ ସମାନ ନଥାନ୍ତି  । କେହି କେହି ଯାତ୍ରୀ ସନ୍ଦେହରେ ଭାବନ୍ତି, ଏହି ଧୂଳିଆ ଗୁମାସ୍ତାମାନେ ଯେଉଁମାନଙ୍କୁ ଯାତ୍ରୀମାନେ ସାଧାରଣତଃ ପଣ୍ଡା ବୋଲି ସମ୍ବୋଧନ କରିଥାନ୍ତି, କାଳେ
ସେମାନେ ତାଙ୍କର ସର୍ବସ୍ୱ ଲୁଟି ନେବେ  । ମାତ୍ର ବଡ଼ଦାଣ୍ଡ ଧୂଳିରେ ନିତି ଚରୁଥିବା ଏହି ଧୂଳିଆ ଗୁମାସ୍ତାମାନେ ଯେତିକି ସହୃଦୟ ସେତିକି ସରଳ  । ସେମାନଙ୍କ ପ୍ରାପ୍ୟ ଆଶା ମଧ୍ୟ ସେମିତି କିଛି ଅଧିକ ନୁହେଁ । ଯାତ୍ରୀ ପାରିଚର୍ଯ୍ୟାର ପାରମ୍ପରିକ ଅଧିକାର ସାବ୍ୟସ୍ତ କରିବାର ପ୍ରଚେଷ୍ଟା ଯୋଗୁଁ ଅନେକ ସମୟରେ ଯାତ୍ରୀମାନଙ୍କ ସହ ଦ୍ୱନ୍ଦ୍ୱଜନିତ ଘଟଣା ପାଇଁ ଅନେକ ଅପବାଦର ବୋଝ ଏମାନଙ୍କୁ ବହନ କରିବାକୁ ପଡ଼େ । ଇତିହାସରେ ବଡ଼ଦାଣ୍ଡର ମୁଖ୍ୟାଂଶ, ‘ସିଂହଦ୍ୱାର’ର ଗୁରୁତ୍ୱ ଅନେକ । ଅତୀତର ଦୁର୍ଯୋଗ ସମୟରେ ଦୁର୍ଦ୍ଧର୍ଷ ଲୁଣ୍ଠନକାରୀଙ୍କ ଆକ୍ରମଣର ଏହା ମୂକସାକ୍ଷୀ । ବାରମ୍ବାର ଆକ୍ରମଣକୁ ପ୍ରତିହତ କରିବା ପାଇଁ ତତ୍‌କାଳୀନ ରାଜା ସିଂହଦ୍ୱାରର ଦୁଇପାଶ୍ୱର୍ରେ ସୁରକ୍ଷା ଶିବିର ନିର୍ମାଣ କରିଥିଲେ ଯାହା ଏବେ ମଧ୍ୟ ଛାଉଣୀ ମଠ ଓ ବଡ଼ଛତା ମଠ ନାମରେ ବିଦ୍ୟାମାନ । ପ୍ରତିହାରୀ ସେବକମାନଙ୍କର
ମଧ୍ୟ ଅନୁରୂପ ଶିବିର ସେହି ଉଦ୍ଦେଶ୍ୟରେ ସିଂହଦ୍ୱାର ପାଶ୍ୱର୍ରେ ରହିଥିଲା ।

ବଡ଼ଦାଣ୍ଡର ବାଲୁକାସ୍ତରଠାରୁ ସିଂହଦ୍ୱାର ଗୁମୁଟ ପିଣ୍ଡିର ଉଚ୍ଚତା ଥିଲା ପ୍ରାୟ ପାଞ୍ଚଫୁଟ । ତହିଁରେ କୁମ୍ଭାରମାନେ ଶ୍ରୀମନ୍ଦିରରେ ବ୍ୟବହୃତ ମାଟିହାଣ୍ଡି ବୋଝ ମୁଣ୍ଡାଇ ଆଣି ସେହି ପିଣ୍ଡିରେ ଅନ୍ୟାୟାସରେ ଓହ୍ଳାଇ ପାରୁଥିଲେ । କାଳକ୍ରମେ ବଡ଼ଦାଣ୍ଡର ଉଚ୍ଚତା ବୃଦ୍ଧି ହୋଇ ସେ ବ୍ୟବଧାନ ଆଉ ନାହିଁ । ସିଂହଦ୍ୱାର ଅଞ୍ଚଳ ଅନେକ ଭକ୍ତ, ଆଶ୍ରୟହୀନ ଯାତ୍ରୀ ଓ ଭିକାରୀଙ୍କ ପାଇଁ ଆରାମଦାୟକ ଶୟନସ୍ଥଳ
ଭାବେ ବ୍ୟବହୃତ, ମାତ୍ର ନିରାପଦ ନୁହେଁ । କାରଣ ଯେ କୌଣସି ସମୟରେ ଷଣ୍ଢ ଲଢ଼େଇ ଆରମ୍ଭ ହୋଇଯିବାର ଆଶଙ୍କା ସର୍ବଦା ରହିଥାଏ । ଏବେ ମଧ୍ୟ ଏହା ବିଶେଷ ଭାବରେ ରାତ୍ର କାଳରେ ପ୍ରତ୍ୟକ୍ଷ କରାଯାଇପାରେ । ଏହିଠାରେ ଯାନିଯାତ୍ରା ବେଳେ ଶହ ଶହ
ଲୋକ ଖୋଲା ଆକାଶ ତଳେ ବିଶ୍ରାମ ନେଉଥିବାର ଦେଖାଯାଏ । ବଡ଼ଦାଣ୍ଡର ଆରମ୍ଭ ସିଂହଦ୍ୱାରର ଦକ୍ଷିଣ-ପୂର୍ବ କୋଣରେ ଅବସ୍ଥିତ ପ୍ରସିଦ୍ଧ ରାମାନନ୍ଦୀ ସମ୍ପ୍ରଦାୟର ବୃହତ ମଠ ଏମାର ମଠ ସଲଗ୍ନ ପ୍ରଶସ୍ଥ ଚକଡ଼ାରୁ ଯାହା ଏବେ ବିଳୁପ୍ତ । ପୂର୍ବେ ଏହା ‘ଅନ୍ନଛତ୍ର ମଣ୍ଡପ’ ନାମରେ ପରିଚିତ ଥିଲା । ଏଠାରେ ପ୍ରତ୍ୟହ ସାଧୁ, ସନ୍ଥ, ଦୁଃଖୀ, ରଙ୍କିଙ୍କୁ ମହାପ୍ରଭୁଙ୍କ ଅନ୍ନ ମହାପ୍ରସାଦ ବିତରଣ ହେଉଥିଲା । ଆପ୍ୟାୟିତ ହେଉଥିଲେ ବହୁଜଣ । ଦରିଦ୍ର ନାରାୟଣ ସେବା ପାଇଁ ମଧ୍ୟପ୍ରଦେଶର ବରେଲି ଜିଲ୍ଲାର ‘ରିମା’ର ରାଜା ଶ୍ରୀ ରଘୁରାଜ ସିଂହ ସୁଉଚ୍ଚ ପଥର ଚକଡ଼ା ନିର୍ମାଣ କରାଇଥିଲେ । ଅଧୁନା ଏହିଠାରେ ସେ ସେବା ଦେଖିବାକୁ ମିଳେ ନାହିଁ । ମାତ୍ର ଉକ୍ତ ଚକଡ଼ା ଯାତ୍ରୀ ତଥା ଜନସାଧାରଣଙ୍କ ବହୁମୁଖୀ ସେବାରେ ଲାଗୁଥିଲା । ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ଅନେକ ସଭା ସମିତି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏହି ଚକଡ଼ା ମଞ୍ଚ ରୂପେ ବ୍ୟବହୃତ ହେଉଥିଲା । ଏକଦା ପ୍ରାୟ ଛଅଫୁଟ ଉଚ୍ଚତାରେ ଥିବା ଏହି ଚକଡ଼ା କାଳକ୍ରମେ ବଡ଼ଦାଣ୍ଡର କ୍ରମବର୍ଦ୍ଧିତ ଉଚ୍ଚତା ବୃଦ୍ଧି ଯୋଗୁଁ ପୋତି ହୋଇ ମାତ୍ର ତିନି ଫୁଟ ମଧ୍ୟରେ ରହିଥିଲା ଏବଂ ଏବେ ଇତିହାସରେ ପରିଣତ ହୋଇଅଛି ।

ଇତିହାସରୁ ପ୍ରାପ୍ତ ତଥ୍ୟ ଅନୁସାରେ ସିଂହଦ୍ୱାର ସଲଗ୍ନ ଅଞ୍ଚଳରେ ଭାରତବର୍ଷର ବିଭିନ୍ନ ସ୍ଥାନରୁ ବିଭିନ୍ନ ଧର୍ମୀୟ ସଂପ୍ରଦାୟର ସାଧୁ, ସନ୍ଥ ଓ ସନ୍ୟାସୀମାନେ ଆସି ପ୍ରଥମେ ଛତାଟିଏ ପୋତି ସେହିଠାରେ ଅନେକ କାଳ ଅବସ୍ଥାନ କରିବା ପରେ ତତ୍‌କାଳୀନ ରାଜାମାନଙ୍କ ବଦାନ୍ୟତା ଯୋଗୁଁ ଭୂସମ୍ପତ୍ତି ଲାଭ କରି ସ୍ଥାୟୀ ଭାବରେ ମଠ ପ୍ରତିଷ୍ଠା କରି ରହିଛନ୍ତି ଏବଂ ଶ୍ରୀମନ୍ଦିର ନୀତିକାନ୍ତି ସହିତ ସଂପୃକ୍ତହୋଇଛନ୍ତି । ଏଣୁ ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ଅନେକ ଛୋଟବଡ଼ ମଠମାନ ପ୍ରତିଷ୍ଠିତ ହୋଇଥିବାର ଜଣାଯାଏ । ବଡ଼ଦାଣ୍ଡର ଉଚ୍ଚତମ ଐତିହ୍ୟ ବର୍ଣ୍ଣନା କଲେ ଦୀର୍ଘ ହେବ । ବଡ଼ଦାଣ୍ଡକୁ ନେଇ ଅନେକ ସମର୍ପିତ କବି ରସାଣିତ ସାହିତ୍ୟ ସୃଷ୍ଟି କରିଛନ୍ତି । ସେସବୁ ଏକ ସ୍ୱତନ୍ତ୍ର
ଆଲେଖ୍ୟରେ ପ୍ରକାଶ କରାଯିବ ।

କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯

Comments are closed.