Latest Odisha News

ଫଟୋଚିତ୍ର ପ୍ରଦର୍ଶନୀରେ ଓଡ଼ିଆଙ୍କ ବୀରତ୍ୱ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ

ପୁରୀ : ହେରାପଞ୍ଚମୀର ପବିତ୍ର ଅବସର ପରେ ତିନୋଟି ରଥ ଦକ୍ଷିଣାମୋଡ଼ ନେଇଛନ୍ତି । ଏହା ପରେ ବାହୁଡ଼ା ଯାତ୍ରା ଏବଂ ପରେ ପରେ ଶ୍ରୀ ଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ଓଡ଼ିଆଙ୍କ ବୀରତ୍ୱ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟ ପ୍ରଦର୍ଶନ କରିବାକୁ ଯାଇ ପବିତ୍ର ବଡ ଏକାଦଶୀରେ ଅନୁଷ୍ଠିତ ହେବ ସୁନାବେଶ ।

ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀରେ ମହାପ୍ରଭୁଙ୍କର ଏହି ମାନବୀୟ ଲୀଳାର ଫଟୋସମୂହ ସହିତ ଫଟୋଚିତ୍ରଗୁଡିକ ସହିତ ଉତ୍ତମ ସାମଞ୍ଜସ୍ୟ ରଖି ପୁରାତନ ରଚନାରୁ ସଂଗୃହିତ କବିତା ପଂକ୍ତିଗୁଡିକ ପ୍ରଦର୍ଶିତ ହେଉଛି । କବିତା ପଂକ୍ତି ‘ଦ୍ୱାଦଶ ବିବିଧ ସ୍ୱର୍ଣ୍ଣ ଅଳଙ୍କାର କଟିମାଳା ଅଣ୍ଟାସୂତା, କିରୀଟୀ କୁଣ୍ଡଳ, ରନି ଗଳାମାଳ, ମସ୍ତକେ ମୁକୁଟ ଶୋଭା’ ବଡଠାକୁର ଶ୍ରୀବଳଭଦ୍ର, ମାତା ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବିଧ ସ୍ୱର୍ଣ୍ଣ ଅଳଙ୍କାର ସହିତ ସୁନାବେଶର ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟକୁ ବ୍ୟାଖ୍ୟା କରୁଛି । ସେହିପରି, ନୀଳାଦ୍ରି ବିଜେ ସମୟର ଲକ୍ଷ୍ମୀ-ନାରାୟଣ ବଚନିକାର ପ୍ରଥମ ପଂକ୍ତି ‘ନଅ ଦିନ ପରେ ହେ ବ୍ରହ୍ମାଣ୍ଡ ପତି କିପରି ଆସିଲ ଫେରି, ଆଉ କେଉଁ ଦିଗ ବାକି ରହିଲା ହେ ଦେଖିଚା କି ନାହିଁ ହରି’ ଓ ଶେଷ ପଂକ୍ତି ‘ଦାଣ୍ଡରେ ପଡ଼ିଣ ହାଟରେ ଗଡିଲା ତୁମର ସେ ରାଗଋଷା, କହନ୍ତି ସମସ୍ତେ ମାଇପ ଡରୁଆ ହେବି କେତେ ଲୋକହସା’ ଗୌରବମୟ ଓଡିଆ ଅସ୍ମିତାର ପରିଚୟ ପ୍ରଦାନ କରିବା ସହିତ ଜନମାନସରେ କୌତୁହଳ ସୃଷ୍ଟି କରୁଛି। ଏହା ସହିତ ବ୍ରିଟିଶ ଶାସନ ସମୟରେ ତତ୍କାଳୀନ ଚିତ୍ରକରମାନଙ୍କ ଦ୍ୱାରା ରଥଯାତ୍ରାକୁ ନେଇ ଅଙ୍କିତ ଚିତ୍ରର ଫଟୋଗୁଡ଼ିକ ଦର୍ଶକମାନଙ୍କୁ ଏକ ଭିନ୍ନ ଅନୁଭୂତି ପ୍ରଦାନ କରୁଛି ଏବଂ ପ୍ରଦର୍ଶନୀ ମଣ୍ଡପ ମଧ୍ୟରେ ସ୍ଥାପିତ ଭିଡିଓ ୱାଲରେ ଅତି ପୁରାତନ ‘ଶ୍ରୀ ଜଗନ୍ନାଥ’ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି ।

Comments are closed.