ଭୁବନେଶ୍ୱର: ଆନିମେଟେଡ୍ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥଙ୍କ ମୁକ୍ତିଲାଭ ଉପରେ ପୁଣି ଲାଗିଲା ରୋକ। ବଜାୟ ରହିଲା ପୂର୍ବରୁ ଜାରି ହୋଇଥିବା ସ୍ଥିତାବସ୍ଥା। ଅଗଷ୍ଟ ୧୩ ଯାଏଁ ଆନିମେସନ ଫିଲ୍ମ ହୋଇପାରିବନି ରିଲିଜ୍। ପୂର୍ବରୁ ୬ ଜୁଲାଇ ୨୦୨୬ ଯାଏଁ ଏହି ଫିଲ୍ମ ରିଲିଜ୍ ଉପରେ ରୋକ୍ ଲଗାଇଥିଲେ ହାଇକୋର୍ଟ। ଆସନ୍ତା ୧୩ ଅଗଷ୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଛି।
ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଆନିମେଟେଡ ସିନେମା ରିଲିଜ୍ ପାଇଁ ଫିଟିଲା ନାହିଁ ବାଟ। ଚଳଚ୍ଚିତ୍ରରେ ମହାପ୍ରଭୁଙ୍କୁ କାର୍ଟୁନ ରୁପରେ ଉପସ୍ଥାପନ କରାଯାଇଛି। ମହାପ୍ରଭୁଙ୍କୁ କାର୍ଟୁନ ରୁପରେ ଦର୍ଶାଇବା ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛି। ଆନିମେଟେଡ ସିନେମାରେ ଶାସ୍ତ୍ର ବିରୋଧୀ କାହାଣୀ ରହିଛି। ଗଜପତି ମହାରାଜ ଓ ଶ୍ରୀମନ୍ଦିର କମିଟି ଫିଲ୍ମର କାହାଣୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଫିଲ୍ମ ଟିଜରରେ ଦେଖାଯାଇଥିବା ମହାପ୍ରଭୁଙ୍କ ବାଲ୍ୟକାଳର କାହାଣୀ ସଂପୂର୍ଣ୍ଣ କାଳ୍ପନିକ। ଏହା ପବିତ୍ର ସ୍କନ୍ଧ ପୁରାଣ ଓ ବ୍ରହ୍ମ ପୁରାଣର ତଥ୍ୟ ସହ ମେଳ ଖାଉନାହିଁ। ଚଳଚ୍ଚିତ୍ରରେ ମହାପ୍ରଭୁଙ୍କ ମୁହଁରେ ଦିଆଯାଇଥିବା ସଂଳାପ ଜଗନ୍ନାଥ ସଂସ୍କୃତି ସହ ମେଳ ଖାଉନି।
ପୂର୍ବରୁ ଓଡ଼ିଶା ହାଇକୋର୍ଟ ଏହି ଫିଲ୍ମର ରିଲିଜ୍ ଉପରେ ଲଗାଇଥିବା ରହିତାଦେଶକୁ ସର୍ବୋଚ୍ଚ ନ୍ୟାୟାଳୟ କାଏମ ରଖିଥିଲେ। ପବିତ୍ର ରଥଯାତ୍ରା ଶେଷ ନହେବା ପର୍ଯ୍ୟନ୍ତ ଏହି ସିନେମା ଦେଶର କୌଣସି ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ। ଫଳରେ ଆସନ୍ତା ଜୁଲାଇ ୨୮ ତାରିଖ କିମ୍ବା ତା’ ପରେ ହିଁ ଫିଲ୍ମଟି ପରଦାକୁ ଆସିପାରିବ ବୋଲି କୁହାଯାଇଥିଲା। କିନ୍ତୁ ଆସନ୍ତା ୧୩ ଅଗଷ୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଛି।


Comments are closed.