କଟକ: ବାହାନଗା ଟ୍ରେନ୍ ଟ୍ରାଜେଡି କେସର ଅଭିଯୁକ୍ତ ମହମ୍ମଦ ଅମିର ଖାଁ, ଅରୁଣ କୁମାର ମହନ୍ତ ଓ ପପୁ କୁମାରଙ୍କୁ ଜାମିନ ମିଳିଛି। ତିନି ଅଭିଯୁକ୍ତଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତରେ ଜାମିନ ନମିଳିବା ପରେ ସେମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ପୃଥକ ଭାବରେ ଜାମିନ ଆବେଦନ କରିଥିଲେ। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ବେଞ୍ଚ ତିନି ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ତିନି ଆବେଦନକାରୀଙ୍କୁ ସର୍ତ୍ତମୂଳକ ଜାମିନରେ ଛାଡ଼ିବାକୁ ହାଇକୋର୍ଟ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ବାହାନଗା ଘଟଣାରେ ରେଳ ବିଭାଗ କର୍ମଚାରୀ ସୋରର ସିନିୟର ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାଁ, ସିନିୟର ସେକ୍ସନ ଇଂଜନିୟର (ସିଗନାଲ) ଅରୁଣ କୁମାର ମହନ୍ତ ଓ ଟେକନିସିଆନ ପପୁ କୁମାରଙ୍କୁ ସିବିଆଇ ଗିରଫ କରିଥିଲା। ତଦନ୍ତ ପରେ ଏହି ତିନି ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଆଇପିସିର ଧାରା ୩୦୨(ଭାଗ-୨), ୨୦୧, ୩୪ ଓ ରେଳବାଇ ଆକ୍ଟ ଧାରା ୧୩ରେ ଭୁବନେଶ୍ବର ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା।
ସୂଚନାଯୋଗ୍ୟ, ୨୦୨୩ ମସିହା ଜୁନ ୨ ତାରିଖ ସଂଧ୍ୟାରେ ବାଲେଶ୍ବର ବାହାନଗା ଷ୍ଟେସନରେ ଭୟଙ୍କର ରେଳ ଦୁର୍ଘଟଣା ହୋଇଥିଲା। ଏଥିରେ ୨୯୬ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ପ୍ରାୟ ୧୨୦୦ ଲୋକ ଆହତ ହୋଇଥିଲେ।
Comments are closed.