Latest Odisha News

ଏଇଥି ପାଇଁ ଭକ୍ତ ହେଲେ ପିସିସି ସଭାପତି

ଭୁବନେଶ୍ବର: ରାଜ୍ୟ କଂଗ୍ରେସକୁ ମିଳିଲେ ନୂଆ ମୁଖିଆ। ରେସରେ ଅନେକ ନେତାଙ୍କ ନାଁ ଚର୍ଚ୍ଚା ହେଉଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସଙ୍କ ନାଁରେ ମୋହର ମାରିଛନ୍ତି ହାଇକମାଣ୍ଡ। ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ସାଂସଦ ସପ୍ତଗିରି ଉଲାକାଙ୍କ ଭଳି ନେତାଙ୍କ ନାଁ ରାଜ୍ୟ କଂଗ୍ରେସର ଟପ୍ ପୋଷ୍ଟ ପାଇଁ ଚର୍ଚ୍ଚା ହେଉଥିଲା। ତେବେ କାହିଁକି ଭକ୍ତ ଦାସଙ୍କୁ ବାଛିଲେ ଶୀର୍ଷ ନେତୃତ୍ବ ? ଏହା ପଛରେ ରହିଛି 5ବଡ଼ କାରଣ।

୧ – ଦଳିତ କାର୍ଡ ଖେଳିଛି କଂଗ୍ରେସ
ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ଭାବେ ରାମଚନ୍ଦ୍ର କାଡାମଙ୍କୁ ବାଛିଥିଲା କଂଗ୍ରେସ। ସେତେବେଳେ ଆଦିବାସୀ ନେତାଙ୍କୁ ବାଛିଥିବା ବେଳେ ପିସିସି ସଭାପତି ଭାବେ ଦଳିତ ଚେହେରା ଭାବେ ଭକ୍ତ ଦାସଙ୍କ ନାଁରେ ମୋହର ମାରିଛି ଦଳ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଭକ୍ତଙ୍କୁ ରାଜ୍ୟ କଂଗ୍ରେସ ମୁଖ୍ୟ କରି ଜାତି ସମୀକରଣ କଷିଛି ଦଳ। ଦଳିତ ବର୍ଗର ପୁରୁଖା ନେତା ଭକ୍ତ ଦାସଙ୍କ ପାଇଁ ଦିଲ୍ଲୀ ଲବି ବି କାମ କରିଥିବା କୁହାଯାଉଛି।

୨ – ପଶ୍ଚିମ ଓଡିଶାକୁ ଫୋକସ୍
ଭକ୍ତ ଦାସଙ୍କୁ ପିସିସି ସଭାପତି କରିବା ପଛରେ ପଶ୍ଚିମ ଓଡିଶା ପ୍ଲାନ୍ ବି ରହିଥାଇପାରେ ବୋଲି କୁହାଯାଉଛି। ଗତଥର ନିର୍ବାଚନରେ କଂଗ୍ରେସ 14ଟି ବିଧାନସଭା ସିଟ୍ ଜିତିଥିବା ବେଳେ ଏହା ମଧ୍ୟରେ ଅଧିକ ସିଟ ପଶ୍ଚିମ ଓଡିଶାରୁ ରହିଥିଲା। ତେଣୁ ପଶ୍ଟିମ ଓଡିଶାକୁ ମଜବୁତ କରିବା ସହ ସମର୍ଥନ ବଢାଇବାକୁ ଉଦ୍ୟମ କରିପାରେ କଂଗ୍ରେସ। ଭକ୍ତ ଦାସ ନିଜେ ପଶ୍ଚିମ ଓଡିଶାର ଜଣେ ବଡ଼ ଚେହେରା ହୋଇଥିବାରୁ ତାଙ୍କୁ ପିସିସି ମୁଖ୍ୟ କରିଥାଇପାରେ କଂଗ୍ରେସ।

୩ -ଭକ୍ତଙ୍କ ପାଖରେ ଦୀର୍ଘ ବର୍ଷର ଅଭିଜ୍ଞତା
କଂଗ୍ରେସ ନେତା ଭାବେ ଭକ୍ତ ଦାସଙ୍କ ପାଖରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। ଥରେ ବିଧାୟକ ଓ ତିନି ଥର ସାଂସଦ ହୋଇଥିଲେ। ୧୯୮୫ ରେ ଭବାନୀପାଟଣା ବିଧାନସଭା ଜିତିଥିଲେ ତ ୧୯୮୯ , ୧୯୯୬  ଓ ୨୦୦୯ ରେ କଳାହାଣ୍ଡି ଲୋକସଭା ଜିତିଥିଲେ। କେନ୍ଦ୍ରରେ ମନ୍ତ୍ରୀ ବି ରହିଥିଲେ ଭକ୍ତ। ଅନେକ ସମୟରେ କଂଗ୍ରେସର ଅନ୍ତକନ୍ଦଳ ସାମନାକୁ ଆସୁଥିବା ବେଳେ ଭକ୍ତଙ୍କ ପରି ଜଣେ ପୁରୁଖା ନେତାଙ୍କୁ ପିସିସି ସଭାପତି କଲେ ଏହାର ସମାଧାନ ହୋଇପାରିବ ବୋଲି ଭାବି ଥାଇପାରନ୍ତି କଂଗ୍ରେସ ହାଇକମାଣ୍ଡ।

୪  -ଭକ୍ତଙ୍କ ନାଁରେ ମୋହର ମାରି ବଡ଼ ପ୍ଲାନ୍
ଗତ ବିଧାନସଭା ନିର୍ବାଚନରେ ବିପର୍ଯ୍ୟୟ ସାମନା କରିବା ପରେ ବିଜେଡିରେ ଅସନ୍ତୋଷ ରହିଛି। ଏହାର ଫାଇଦା ନେବାକୁ ରଣନୀତି କରିଥାଇପାରେ କଂଗ୍ରେସ। ଭକ୍ତ ଦାସ ପ୍ରଥମେ ଜନତା ଦଳରୁ ରାଜନୀତି ଆରମ୍ଭ କରିଥିଲେ। ପରେ ସେ କଂଗ୍ରେସକୁ ଆସିଥିଲେ। ଜନତା ଦଳର ଅଧିକାଂଶ ନେତା ପରେ ବିଜେଡିରେ ସାମିଲ ହୋଇଥିଲେ। ତେଣୁ ବିଜେଡିରୁ ଅସନ୍ତୁଷ୍ଟ ନେତାଙ୍କୁ କଂଗ୍ରେସକୁ ଆଣିବା ଦିଗରେ କାମ କରିପାରନ୍ତି ଭକ୍ତ ଦାସ।

୫ -କାହିଁକି ଭକ୍ତଙ୍କ ନାଁରେ ମୋହର ?
ଭକ୍ତ ଦାସଙ୍କ ସହ ପିସିସି ସଭାପତି ରେସରେ ଥିବା ଅନ୍ୟ ନେତାଙ୍କୁ ବିଭିନ୍ନ ଦିଗରୁ କାଟି ଥାଇପାରନ୍ତି କଂଗ୍ରେସ ହାଇକମାଣ୍ଡ। ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ମହମ୍ମଦ ମୋକିମଙ୍କୁ ପିସିିସି ସଭାପତି କରି ରିସ୍କ ନେଇନି ଦଳ। ସପ୍ତଗିରି ଉଲାକା ଏକମାତ୍ର କଂଗ୍ରେସ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ସେ ଯୁବକ, ପରବର୍ତ୍ତୀ ସମୟରେ ତାଙ୍କୁ ସୁଯୋଗ ଦିଆଯାଇପାରେ। ସେହିପରି ଶ୍ରୀକାନ୍ତ ଜେନା ବରିଷ୍ଠ ନେତା ହେଲେ ବି ସେ ଅନେକ ଦିନ ଧରି କଂଗ୍ରେସ ସହ ନଥିଲେ। ତାଙ୍କ ନେତୃତ୍ବକୁ ନେଇ ବି କଂଗ୍ରେସର ସବୁ ନେତା ଏକମତ ହୋଇନଥାନ୍ତେ। ତେଣୁ ନିର୍ବିବାଦୀୟ ନେତା ରହିଥିବା ଭକ୍ତ ଦାସଙ୍କୁ ହାଇକମାଣ୍ଡ ବାଛିଥିବା କୁହାଯାଉଛି।
ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ

Comments are closed.