Latest Odisha News

BREAKING NEWS

ଫୁଲୁଛି ମହାନଦୀ, କାଲି ମାଡ଼ି ଆସିବ ବନ୍ୟା ଜଳ: ଖୋଲିବାକୁ ଯାଉଛି ହୀରାକୁଦ ଡ୍ୟାମ୍‌ର ୪ଟି ଗେଟ୍

ସମ୍ବଲପୁର: ଛତିଶଗଡ଼ ଏବଂ ମହାନଦୀର ଉପରମୁଣ୍ଡରେ ଲାଗି ରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଜଳଭଣ୍ଡାର ମଧ୍ୟକୁ ପ୍ରବଳ ବେଗରେ ପାଣି ପ୍ରବେଶ କରୁଥିବାରୁ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୯ ତାରିଖରେ ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଡ୍ୟାମ୍‌ର ୪ଟି ଗେଟ୍ ଖୋଲାଯାଇ ଅତିରିକ୍ତ ଜଳକୁ ମହାନଦୀ ଗର୍ଭକୁ ଛଡ଼ାଯିବ ବୋଲି ସୂଚନା ମିଳିଛି।

 

ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ ଯେ, ଆସନ୍ତାକାଲି ପୂର୍ବାହ୍ନ ଠିକ୍ ୧୧ଟା ସମୟରେ ଗେଟ୍ ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ସକାଳେ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ପାରମ୍ପରିକ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖି ପ୍ରଥମେ କେବଳ ୪ଟି ସ୍ଲୁଇସ୍ ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି। ତେବେ ପରବର୍ତ୍ତୀ ସମୟରେ ଉପରମୁଣ୍ଡରୁ ଆସୁଥିବା ଜଳପ୍ରବାହର ସ୍ଥିତି ଏବଂ ପାଣିପାଗ ଉପରେ ନଜର ରଖି ଗେଟ୍ ସଂଖ୍ୟା ବୃଦ୍ଧି କରାଯାଇପାରେ ବୋଲି ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।

 

ଆସନ୍ତାକାଲି ପୂର୍ବାହ୍ନ ୧୧ଟା ସମୟରେ ଖୋଲିବ ଗେଟ୍। ପ୍ରଥମ ପର୍ଯ୍ୟାୟରେ ଖୋଲିବ ୪ଟି ଗେଟ୍। ବନ୍ୟା ଜଳ ଆସିଲେ ମହାନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇବା ସହ ସ୍ରୋତ ଅତ୍ୟନ୍ତ ପ୍ରଖର ହେବ। ମହାନଦୀରେ ଗାଧୋଇବା, ମାଛ ଧରିବା, ଗୃହପାଳିତ ପଶୁଙ୍କୁ ନେବା କିମ୍ବା କୌଣସି କାମରେ ନଦୀ ଗର୍ଭକୁ ଯିବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି।

 

ବନ୍ୟା ଜଳ ଛଡ଼ାଯିବା ନେଇ ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମହାନଦୀ ଅବବାହିକାର ତଳିଆ ଅଞ୍ଚଳରେ ଥିବା ୧୩ଟି ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ବା ଏସପି ମାନଙ୍କୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନହୁଏ, ସେଥିପାଇଁ ନଦୀକୂଳିଆ ଗାଁ ଗୁଡ଼ିକରେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସତର୍କ କରାଯାଉଛି।

Leave A Reply

Your email address will not be published.