ଭୁବନେଶ୍ୱର: ଇଣ୍ଡୋନେସିଆର ବାଲିରେ ବାଲିଯାତ୍ରା ପରମ୍ପରା ଓ ‘ଓଡ଼ିଶା ପରବ’ ଆୟୋଜନ ପ୍ରାଚୀନ କଳିଙ୍ଗ (ଓଡ଼ିଶା) ଏବଂ ଦକ୍ଷିଣ-ପୂର୍ବ ଏସିଆର ଶତାଧିକ ବର୍ଷର ନୌବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କକୁ ପୁନର୍ଜୀବିତ କରୁଛି। ୨୦୨୬ ନଭେମ୍ବର ୨୪ ଓ ୨୫ ତାରିଖରେ ବାଲିରେ ‘ଓଡ଼ିଶା ପରବ-୨୦୨୬’ ଅନୁଷ୍ଠିତ ହେଉଛି, ଯାହା ବାଲିଯାତ୍ରାର ଐତିହାସିକ ଐତିହ୍ୟକୁ ବିଶ୍ୱ ଦରବାରରେ ଉପସ୍ଥାପନ କରୁଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବାଲିରେ ପହଞ୍ଚିଛନ୍ତି। ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ ପ୍ରାଚୀନ ସଂସ୍କୃତିର ପୁନଃଜାଗରଣ ଏହାର ଲକ୍ଷ୍ୟ।
ପ୍ରାଚୀନ କଳିଙ୍ଗର ସାଧବମାନେ ‘ବୋଇତ’ ମାଧ୍ୟମରେ ବଙ୍ଗୋପସାଗର ପାର ହୋଇ ବାଲି, ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଏବଂ ଶ୍ରୀଲଙ୍କା ଆଦି ଦେଶକୁ ବାଣିଜ୍ୟ ଓ ସାଂସ୍କୃତିକ ପ୍ରସାର ପାଇଁ ଯାଉଥିଲେ। ଅନୁକୂଳ ପବନକୁ ଦୃଷ୍ଟିରେ ରଖି ସାଧବମାନେ କାର୍ତ୍ତିକ ପୂର୍ଣ୍ଣିମାରେ ଯାତ୍ରା ଆରମ୍ଭ କରୁଥିଲେ। ଏହି ସ୍ମୃତିରେ କଟକର ମହାନଦୀ କୂଳରେ ବାଲିଯାତ୍ରା ଏବଂ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ। ବାଣିଜ୍ୟ ସହିତ କଳା, ସ୍ଥାପତ୍ୟ, ଧର୍ମ ଓ ପରମ୍ପରାର ଆଦାନପ୍ରଦାନ ହୋଇଥିଲା, ଯାହାର ପ୍ରଭାବ ଆଜି ମଧ୍ୟ ବାଲିର ସଂସ୍କୃତିରେ ଦେଖିବାକୁ ମିଳେ।
ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ବାଲିସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ (CGI) ସହଯୋଗରେ ନଭେମ୍ବର ୨୪–୨୫, ୨୦୨୬ରେ ଇଣ୍ଡେନେସିଆର ସାନୁର (Sanur) ସ୍ଥିତ ବାଲି ବିଚ୍ କନଭେନସନ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। “From the Shores of Kalinga to the Heart of Bali – One Sea. Centuries of Maritime Connections” ଥିମ୍ରେ ଓଡ଼ିଶାର ନୃତ୍ୟ, ହସ୍ତଶିଳ୍ପ, ବୟନଶିଳ୍ପ, ଖାଦ୍ୟ ଏବଂ ପର୍ଯ୍ୟଟନର ପ୍ରଦର୍ଶନ ହେଉଛି। ୧୯୯୨–୯୩ରେ INSV Samudra ନୌଯାତ୍ରା ବାଲିରେ ପହଞ୍ଚିବାଠାରୁ ଆରମ୍ଭ କରି ଏବେକାର ‘ଓଡ଼ିଶା ପରବ’ ପର୍ଯ୍ୟନ୍ତ ଉଭୟ ଅଞ୍ଚଳ ମଧ୍ୟରେ ସାଂସ୍କୃତିକ ଓ ପର୍ଯ୍ୟଟନ ସମ୍ପର୍କକୁ ସୁଦୃଢ଼ କରାଯାଉଛି।
