ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ କଂଗ୍ରେସ ଉପରେ ବର୍ଷିଛନ୍ତି। ଜରୁରୀକାଳୀନ ପରିସ୍ଥିତି କଥା କହି କଂଗ୍ରେସକୁ ଗୃହରେ କଡା ସମାଲୋଚନା କରିଛନ୍ତି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ସମସ୍ତ ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନେଇଥିଲା କଂଗ୍ରେସ, ବିରୋଧୀଙ୍କୁ ବିନା କାରଣରେ ଜେଲରେ ପୁରାଇଥିଲା, ସେହିପରି ଗଣମାଧ୍ୟମର ସ୍ୱାଧୀନତାକୁ କଣ୍ଠରୋଧ କରିବା ସହିତ କିଶୋର କୁମାରଙ୍କ ଗୀତ ଉପରେ ରୋକ୍ ଲଗାଇ ଦେଇଥିଲେ । ଆଜି କିନ୍ତୁ ଏହି କଂଗ୍ରେସ ଗଣତନ୍ତ୍ର ସୁରକ୍ଷା ପାଇଁ କାନ୍ଦୁଛି ବୋଲି ଶାହ କହିଥିଲେ।
ଅମିତ ଶାହଙ୍କ ବୟାନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଆଜି ସଂସଦ ଗୃହରେ କଂଗ୍ରେସ ସଂସଦୀୟ ଦଳ ବୈଠକକୁ ସମ୍ବୋଧିତ କରିବା ପରେ ଆସିଛି। ଏହି ବୈଠକରେ ସୋନିଆ କହିଥିଲେ, କଂଗ୍ରେସ ନେତା ମତଭେଦ ଭୁଲି ଦଳକୁ ମଜବୁତ କରିବାର ସମୟ ଆସିଛି, କେବଳ ଦଳ ପାଇଁ ନୁହେଁ, ଦେଶର ଗଣତନ୍ତ୍ର ଏବଂ ସମାଜ ପାଇଁ ମଧ୍ୟ କଂଗ୍ରେସ ଆବଶ୍ୟକ ବୋଲି ସୋନିଆ ଗାନ୍ଧୀ କହିଥିଲେ।
ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ସଂଶୋଧନ ବିଲ୍ ଉପରେ ଜବାବ ରଖିବା ବେଳେ ଅମିତ ଶାହା କହିଥିଲେ, ଆମର ହାରିବାର ଭୟ ନାହିଁ କିମ୍ବା ଜିତିବାର ଲୋଭ ନାହିଁ। ଦିଲ୍ଲୀ ପାଇଁ ଆଇନ ତିଆରି କରିବାର ସଂସଦର କ୍ଷମତା ଅଛି। ଦିଲ୍ଲୀ ମ୍ୟୁନିସିପାଲିଟି ବିଲ୍ କୌଣସି ସଂଘୀୟ ବ୍ୟବସ୍ଥାର ଉପରେ ଆକ୍ରମଣ ନୁହେଁ। ଯଦି ଛଅ ମାସେ ପରେ ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ଆପଣ ହାରିଯିବେ କି ବୋଲି ଶାହ ପଚାରିଥିଲେ।
ସେ କହିଛନ୍ତି, ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ବିଲ୍ କେନ୍ଦ୍ର ସରକାର ଆଣିବାର ପ୍ରମୁଖ କାରଣ ହେଲା ଆମ୍ ଆଦମୀ ପାର୍ଟି ସରକାର। ଏହି ସରକାର ତିନିଟି ନିଗମକୁ ସାବତ ମା ଭଳି ବ୍ୟବହାର କରୁଥିଲା।
Comments are closed.