ଭୁବନେଶ୍ୱର: ଗୋଟିଏ ଗୋଟିଏ ବାକ୍ୟ ଲୋକଙ୍କ ହୃଦୟ କିଣିବାକୁ ସକ୍ଷମ ହୋଇଥାଏ। ସେଭଳି କିଛି ହୃଦୟଛୁଆଁ ବାକ୍ୟକୁ ସ୍ଲୋଗାନ ଆକାରରେ ରାଜନୈତିକ ଦଳ ଗୁଡିକ ବ୍ୟବହାର କରିବା ସହ ସଫଳତାର ଶୀର୍ଷ ଛୁଇଁଛନ୍ତି। ଦଳ ସପକ୍ଷରେ ଏ ସବୁ ସ୍ଲୋଗାନ ଏକ ବାତାବରଣ ତିଆରି କରିବାରେ ସଫଳ ହୁଏ। ଜାତୀୟ ଦଳ ହେଉ କିମ୍ବା ଆଞ୍ଚଳିକ ଦଳ ସମସ୍ତେ ହୃଦୟସ୍ପର୍ଶୀ ସ୍ଲୋଗାନକୁ ଅଧିକ ଗୁରୁତ୍ୱ ଦିଅନ୍ତି।
ଆଗକୁ ନିର୍ବାଚନ ଥିବାରୁ ବିଜେଡି ସେମିତି ଗୋଟେ ସ୍ଲୋଗାନକୁ ଲୋକଙ୍କ ପାଖକୁ ନେବାକୁ ଉଦ୍ୟମ ଆରମ୍ଭ କରିଛି। ଶଙ୍ଖ ମୋ ଗର୍ବ ନାଁ ରେ ବିଜେଡିର ଏହି ମନଛୁଆଁ ଛୋଟିଆ ବାକ୍ୟଟିଏ ପଦାକୁ ଆସିଛି। ଏହା ବିଜେଡିର ନୂଆ ସ୍ଲୋଗାନ ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଗକୁ ନିର୍ବାଚନ ଆସୁଥିବାରୁ ଓ ବିଜେଡିର ଚିହ୍ନ ଶଙ୍ଖ ହୋଇଥିବାରୁ ବିଜେଡି ପକ୍ଷରୁ ଏହି ସ୍ଲୋଗାନଟିକୁ ବାହାରକୁ ଛଡ଼ାଯାଇଥିବା କୁହାଯାଉଛି।
ବିଜେଡିର ବିଧାୟକ, ସାଂସଦ, ବରିଷ୍ଠ ନେତା, କାର୍ଯ୍ୟକର୍ତା ଓ କର୍ମୀ ସବୁରି ମୁହଁରେ ଶଙ୍ଖ ମୋ ଗର୍ବ ଶୋଭା ପାଉଛି। ଏପିରିକି ସାମାଜିକ ଗଣମାଧ୍ୟମରେ ବିଜେଡି ନେତାଙ୍କ ଆକାଉଣ୍ଟରେ ଦଳୀୟ ନେତାମାନେ ଶଙ୍ଖ ମୋ ଗର୍ବକୁ ଅତି ହୃଦୟସ୍ପର୍ଶୀ ଢଙ୍ଗରେ ଉଚ୍ଚାରଣ କରି ପୋଷ୍ଟ କରୁଛନ୍ତି। ଏପରିକି ଏହାକୁ ଉଚ୍ଚାରଣ କରିବା ସହ ଏହି ଛୋଟ ବାକ୍ୟ, ଶଙ୍ଖ ଚିହ୍ନ ଓ ନବୀନଙ୍କ ଫଟୋ ଥିବା ଏକ ସ୍ୱତନ୍ତ୍ର ପୋଷ୍ଟର ମଧ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି।
ନିର୍ବାଚନ ପୂର୍ବରୁ ଦଳ ଓ ଦଳୀୟ ଚିହ୍ନ ସପକ୍ଷରେ ଏହା ଜନମତ ସୃଷ୍ଟି କରିବା ପାଇଁ ଏକ ଉଦ୍ୟମ ବୋଲି କୁହାଯାଉଛି। ଆଗରୁ ମଧ୍ୟ ବିଜେଡି ପକ୍ଷରୁ ଏମିତି ଅନେକ ସ୍ଲୋଗାନ ଦେଖିବାକୁ ମିଳିଛି ଓ ଲୋକପ୍ରିୟ ମଧ୍ୟ ହୋଇଛି। ପୂର୍ବରୁ ଘରେ ଘରେ ଶଙ୍ଖ, ନବୀନ ଆମ ପରିବାର ଶଙ୍ଖ ଆମ ଚିହ୍ନ, ବିଜୁ ଜନତା ଦଳ ଓଡିଶା ବାସୀଙ୍କ ବଳ ଆଦି ସ୍ଲୋଗାନ ବେଶ ଲୋକପ୍ରିୟ ହୋଇଛି। ଦଳକୁ ଫାଇଦା ମଧ୍ୟ ଦେଇଛି।
କେବଳ ସେତିକି ନୁହେଁ ପୂର୍ବ ନିର୍ବାଚନ ସମୟରେ ବିଜେଡି ପକ୍ଷରୁ ଗୀତ ମାଧ୍ୟମରେ ମଧ୍ୟ ବାତାବରଣ ସୃଷ୍ଟି କରାଯାଇଥିଲା। ହେ ନବୀନ ବାବୁ ଆମେ ତମ ଫ୍ୟାନ ବୋଲି ସଙ୍ଗୀତ ଦ୍ୱାରା ଏକ ବଡ଼ ମାହୋଲ ତିଆରି କରିବାରେ ଦଳ ସଫଳ ହୋଇଥିଲା। ସେହିପରି ପୂର୍ବ ନିର୍ବାଚନ ବେଳେ ଖୋଦ ନବୀନଙ୍କ ମୁହଁରେ ଶୋଭା ପାଇଥିବା ଆପଣ ମାନେ ଖୁସି ତ ବାକ୍ୟଟି ମଧ୍ୟ ଅତି ଅଧିକ ଚର୍ଚ୍ଚା ହୋଇଥିଲା ଓ ଦଳକୁ ଲାଭ ମଧ୍ୟ ମିଳିଥିବା କୁହାଯାଏ।
କେବଳ ବିଜେଡି ନୁହେଁ ଜାତୀୟ ସ୍ତରରେ କଂଗ୍ରେସର ଗରିବୀ ହଟାଓ, ବିଜେପିର ଅଵକୀ ବାର ମୋଦି ସରକାର ସ୍ଲୋଗାନ ମଧ୍ୟ ଲୋକପ୍ରୟ ହୋଇ ବିଜେପିକୁ ସଫଳତା ଦେଇଥିବା କୁହାଯାଏ। ସେହିପରି ବିଜେପିର ମୋଦି ହେ ତୋ ମୁମକିନ ହେ, ଫିର ଏକ ବାର ମୋଦି ସରକାର, ଅଛେ ଦିନ ଆଦି ସ୍ଲୋଗାନ ଲୋକପ୍ରିୟ ହୋଇଥିଲା।
ଗତ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସର ଖେଳା ହବେ, ମା ମାଟି ମାନୁସ ସ୍ଲୋଗାନ ବେଶ ଲୋକପ୍ରିୟ ହୋଇଥିଲା। ସେହିପରି ଅନେକ ଦଳ ନିଜର ପ୍ରଚାର ପ୍ରସାର ପାଇଁ ସ୍ଲୋଗାନ ପ୍ରସ୍ତୁତ କରିଥାନ୍ତି। ଓଡ଼ିଶାରେ ବିଜେପି ମଧ୍ୟ ଗତ ନିର୍ବାଚନରେ ମିଶନ ୧୨୦ ସ୍ଲୋଗାନ ନାରା ଦେଇ ମୁଖ୍ୟ ବିରୋଧୀ ଆସନ ପାଇବାକୁ ସକ୍ଷମ ହୋଇଥିବା କୁହାଯାଏ।
ତେଣୁ ସ୍ଲୋଗାନର ବହୁ ମହତ୍ତ୍ୱ ଥିବାବେଳେ ବିଜେଡିର ବହୁ ସ୍ଲୋଗାନ ଓଡ଼ିଶାବାସୀଙ୍କୁ ଛୁଇଁଛି। ଶଙ୍ଖ ମୋ ଗର୍ବ ଏବେ କେତେ ଲୋକପ୍ରିୟ ହେବ ଓ ବିଜେଡିକୁ କେତେ ଲାଭଦାୟୀ ହେବ ତା ଉପରେ ନଜର।
Comments are closed.