Latest Odisha News

BREAKING NEWS

Hanuman Ansh: ୨୧ ବର୍ଷୀୟା ଯୁବତୀଙ୍କ କମାଲ! ପ୍ରଥମ ଫିଲ୍ମ…୧୦୦ କୋଟି ପାର୍!

ମାତ୍ର ୨୧ ବର୍ଷ ବୟସ। ଫିଲ୍ମ ଇଣ୍ଡଷ୍ଟ୍ରୀରେ କୌଣସି ବଡ଼ ଅଭିଜ୍ଞତା ନାହିଁ। ନା ପ୍ରଚାର, ନା ଅଛନ୍ତି ବଡ଼ ଷ୍ଟାର…ତଥାପି ତାଙ୍କ କାହାଣୀର ଯାଦୁ ଦର୍ଶକଙ୍କୁ ବାନ୍ଧି ରଖିଛି । ଫିଲ୍ମଟି ବି ମଧ୍ୟ ୨ କୋଟି ଟଙ୍କାରୁ କମ୍‌ ବଜେଟ୍‌ରେ ତିଆରି ହୋଇଛି। କିନ୍ତୁ ଏହି ଛୋଟ ବଜେଟ୍‌ର ଫିଲ୍ମ ଏବେ ବକ୍ସ ଅଫିସ୍‌ରେ କରୁଛି ବଡ଼ ଧମାଲ। ଆମେ କହୁଛୁ, ‘ହନୁମାନ ଅଂଶ’ ଫିଲ୍ମ କଥା ଏବଂ ଏହାର ଯୁବ ପ୍ରଡ୍ୟୁସର ଅନୁପ୍ରିୟା ନାଗରଙ୍କ କଥା।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଅନୁପ୍ରିୟାଙ୍କ ଏହା ପ୍ରଥମ ଫିଲ୍ମ । ଆଉ ବିନା କୌଣସି ଅଭିଜ୍ଞତାରେ ମାତ୍ର ୨୧ ବର୍ଷ ବୟସରେ ସେ ତାଙ୍କର ସମସ୍ତ ସଞ୍ଚିତ ଧନକୁ ଲଗାଇ ଏମିତି ଏକ ସିନେମା ବନାଇଛନ୍ତି, ଯାହା ତାଙ୍କୁ ରାତାରାତି ବଡ ସଫଳତା ଦେଇଛି । ୨୧ ବର୍ଷୀୟା ଅନୁପ୍ରିୟା ବ୍ରିଟେନ୍‌ରୁ ଇକୋନମିକ୍ସରେ ଗ୍ରାଜୁଏସନ୍‌ କରିଛନ୍ତି। ପାଠପଢ଼ା ପରେ ସ୍ୱିଜରଲ୍ୟାଣ୍ଡର ଆର୍ଟ ଇଣ୍ଡଷ୍ଟ୍ରୀରେ ଚାକିରି କରିବା ତାଙ୍କ ଯୋଜନା ଥିଲା। ଫିଲ୍ମ ନିର୍ମାଣ ତାଙ୍କ କ୍ୟାରିୟର ପ୍ଲାନ୍‌ରେ ବି ନଥିଲା। ହେଲେ ଭଗବାନଙ୍କ ଯୋଜନା ଅଲଗା ଥିଲା । ତେବେ ଏହି ଯାତ୍ରାର ଆରମ୍ଭ ହୋଇଥିଲା ଆପଲ୍‌ର ସହ-ପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍ସଙ୍କଠାରୁ। କଲେଜର ଶେଷ ବର୍ଷରେ ଅନୁପ୍ରିୟା ବିଭିନ୍ନ ଟେକ୍‌ କମ୍ପାନୀର ପ୍ରତିଷ୍ଠାତାଙ୍କ ଉପରେ ରିସର୍ଚ୍ଚ କରୁଥିଲେ। ସେତେବେଳେ ଷ୍ଟିଭ୍‌ ଜବ୍ସ ଏବଂ ନୀମ କରୋଲୀ ବାବାଙ୍କ ସମ୍ପର୍କ ବିଷୟରେ ପଢ଼ିବା ପରେ ତାଙ୍କ ଆଗ୍ରହ ବଢ଼ିଥିଲା।

ଆରମ୍ଭରେ ଏହି ରିସର୍ଚ୍ଚକୁ ବହି କିମ୍ବା କମିକ୍‌ ଆକାର ଦେବାକୁ ଭାବିଥିଲେ ଅନୁପ୍ରିୟା। କିନ୍ତୁ ଭାରତ ଫେରିବା ପରେ ଫିଲ୍ମ ନିର୍ଦ୍ଦେଶକ ବିଶାଲ ଚତୁର୍ବେଦୀଙ୍କ ସହ ତାଙ୍କ ସାକ୍ଷାତ ହୋଇଥିଲା। ଏହି ସାକ୍ଷାତ ହିଁ ତାଙ୍କୁ ଫିଲ୍ମ ନିର୍ମାଣ ଆଡ଼କୁ ନେଇଗଲା।

‘ହନୁମାନ ଅଂଶ’ର ବଜେଟ୍‌ ୨ କୋଟି ଟଙ୍କାରୁ କମ୍‌ ଥିବା କୁହାଯାଉଛି। ଫିଲ୍ମଟି ନୀମ କରୋଲୀ ବାବାଙ୍କ ଜୀବନ ଓ ଆଧ୍ୟାତ୍ମିକ ଯାତ୍ରାକୁ ଆଧାର କରି ତିଆରି ହୋଇଥିବା ବେଳେ ଆରମ୍ଭରେ ଫିଲ୍ମଟିକୁ ନେଇ ଇଣ୍ଡଷ୍ଟ୍ରୀରୁ ମଧ୍ୟ ବିଶେଷ ଆଶା ରହିନଥିଲା। ପ୍ରଥମ ସପ୍ତାହ ପରେ ଏହାକୁ ଫ୍ଲପ୍‌ ବୋଲି ଧରି ନିଆଯାଇଥିଲା। କିନ୍ତୁ ପରେ ୱର୍ଡ ଅଫ୍‌ ମାଉଥ୍‌ ଓ ଦର୍ଶକଙ୍କ ସମର୍ଥନରେ ଫିଲ୍ମର ଭାଗ୍ୟ ବଦଳିଗଲା। ଏବେ ଫିଲ୍ମର ବକ୍ସ ଅଫିସ୍‌ କଲେକ୍ସନ୍‌ ୧୦୦ କୋଟି ଟଙ୍କା ପାର୍‌ କରିଛି। ୩୧ ଦିନରେ ଫିଲ୍ମଟି ପ୍ରାୟ ୧୨୨ କୋଟି ଟଙ୍କାର ବ୍ୟବସାୟ କରିଛି। ଅର୍ଥାତ୍‌, ଅଳ୍ପ ବଜେଟ୍‌ର ଏହି ଫିଲ୍ମ ଏବେ କୋଟି କୋଟି ଟଙ୍କାର ବଡ଼ ହିଟ୍‌ରେ ପରିଣତ ହୋଇଛି।

ତେବେ ଫିଲ୍ମର ସଫଳତା ଅନୁପ୍ରିୟା କହିଛନ୍ତି, ଫିଲ୍ମରୁ ଲାଭ କରିବା ତାଙ୍କ ପ୍ରଥମ ଉଦ୍ଦେଶ୍ୟ ନଥିଲା। ଫିଲ୍ମରୁ ମିଳିଥିବା ଟଙ୍କାର କିଛି ଅଂଶ ଅସହାୟ ପିଲାମାନଙ୍କ ପାଇଁ ଖର୍ଚ୍ଚ କରିବା ଓ ଚାରିଟି କାମରେ ବ୍ୟବହାର କରିବାକୁ ସେ ଚାହୁଁଛନ୍ତି। ଏହି ସଫଳତା ପରେ ‘ହନୁମାନ ଅଂଶ’ର ଆଉ ଦୁଇଟି ସ୍ବିକେଲ୍ ତିଆରି କରିବାର ଯୋଜନା ଥିବା ମଧ୍ୟ ଅନୁପ୍ରିୟା କହିଛନ୍ତି।

ତେବେ ଏହି ସିନେମାରେ ନୀମ୍ କରୋଲି ବାବାଙ୍କ ଚରିତ୍ରରେ ନଜର ଆସିଥିବା ଅଭିନେତାଙ୍କ ଚୟନ ମଧ୍ୟ ବେଶ୍ ରୋଚକ ଥିଲା । ଫିଲ୍ମରେ ନୀମ କରୋଲୀ ବାବାଙ୍କ ଚରିତ୍ରରେ ନଜର ଆସିଛନ୍ତି ଶୋଭିନବ ସତ୍ୟା। ରୋଚକ କଥା ହେଉଛି, ସେ ପ୍ରଥମେ ଫିଲ୍ମରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ ଯୋଡ଼ି ହୋଇଥିଲେ। କିନ୍ତୁ ମୂଳ ଲିଡ୍‌ ଅଭିନେତା ଅସୁସ୍ଥ ହେବା ପରେ ଶୋଭିନବଙ୍କର ପ୍ରାୟ ୪–୫ ଘଣ୍ଟାର ଅଡିସନ୍‌ ନିଆଯାଇଥିଲା ଏବଂ ପରେ ତାଙ୍କୁ ବାବାଙ୍କ ଭୂମିକା ମିଳିଥିଲା। ଆଉ ସିନେମାରେ ଶୋଭିନଭଙ୍କ ନିଖୁଣ ଅଭିନୟ ମଧ୍ୟ ଦର୍ଶକଙ୍କୁ ବେଶ୍ ବାନ୍ଧି ରଖିପାରିଛି । ଯାହାର ଚର୍ଚ୍ଚା ଏବେ ଦିଲ୍ଲୀରୁ ପଲ୍ଲୀ ସବୁଠି ହେଉଛି ।

Comments are closed.