ଭୁବନେଶ୍ୱର: ୫ ଓରାଙ୍ଗଉଟାନ ମିଳିବା ଘଟଣାରେ ତଦନ୍ତ ହେବ କହିଲେ ବିଭାଗୀୟ ମନ୍ତ୍ରୀ। ଏହି ଘଟଣାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେଇଛନ୍ତି ପ୍ରତିକ୍ରିୟା। ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ (WCCB) ତଦନ୍ତ କରିବ ବୋଲି କହିଲେ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଅନ୍ତର୍ଜାତୀୟ ମାଫିଆ ଚାଲାଣ କରୁ ଥାଇପାରେ, ତେଣୁ ଏହି ମାମଲାରେ ତଦନ୍ତ କରାଯିବ। କାରଣ ଏହି ପ୍ରଜାତି ଭାରତରେ ନାହାନ୍ତି କି ଓଡ଼ିଶାରେ ନାହାନ୍ତି। ଏନେଇ ନିଜେ PCCF ମଧ୍ୟ ମନିଟରିଂ କରୁଛନ୍ତି।
ଗୋଟେ ଓରାଙ୍ଗଉଟାନର ବଜାରରେ ଦାମ ୨୫ ଲକ୍ଷ ଟଙ୍କା। ସେମାନଙ୍କର ବୟସ ବର୍ଷେରୁ ଦୁଇ ବର୍ଷ ଭିତରେ ହେବ। ସେମାନଙ୍କୁ ନେଇ ରିସର୍ଚ୍ଚ କରାଯିବ ବୋଲି କହିଛନ୍ତି ଗଣେଶରାମ ସିଂଖୁଣ୍ଟିଆ। ଚେକ୍ ଦେବା ପାଇଁ ଏୟାରପୋର୍ଟ ଓ ରେଲୱେ ସହ କଥାବାର୍ତ୍ତା ମଧ୍ୟ କରାଯିବ।
ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଉଦୟପୁର ବନବିଭାଗର ଏକ ଟିମ୍ ରଣକୋଠା ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଜଙ୍ଗଲରେ ୫ଟି ଓରାଙ୍ଗଉଟାନକୁ ଦେଖି ବନ କର୍ମଚାରୀମାନେ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ। ପରେ ବନବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସେମାନଙ୍କୁ ଠାବ କରାଯାଇଥିଲା। ଭାରତୀୟ ଜଙ୍ଗଲରେ ସାଧାରଣତଃ ଓରାଙ୍ଗଉଟାନ ଦେଖାଯାଏ ନାହିଁ। ତେଣୁ ରଣକୋଠା ସଂରକ୍ଷିତ ଜଙ୍ଗଲକୁ ଏହି ୫ଟି ଓରାଙ୍ଗଉଟାନ କେଉଁଠୁ ଏବଂ କିପରି ଆସିଲେ, ତାହାକୁ ନେଇ ବନବିଭାଗ ପକ୍ଷରୁ ଅନୁଧ୍ୟାନ ଆରମ୍ଭ ହୋଇଛି।
ଉଲ୍ଲେଖଯୋଗ୍ୟ, ଭାରତରେ ଓରାଙ୍ଗଉଟାନକୁ ନେଇ ନନ୍ଦନକାନନର ‘ବିନ୍ନି’ ବେଶ୍ ଚର୍ଚ୍ଚିତ ଥିଲା। ସିଙ୍ଗାପୁରରୁ ଭାରତ ଅଣାଯାଇଥିବା ବିନ୍ନିକୁ ୨୦୦୩ ନଭେମ୍ବର ୨୦ରେ ନନ୍ଦନକାନନକୁ ଅଣାଯାଇଥିଲା। ଦୀର୍ଘଦିନ ଧରି ନନ୍ଦନକାନନର ଆକର୍ଷଣ ପାଲଟିଥିବା ବିନ୍ନି ୨୦୧୯ ମେ’ ୨୯ରେ ୪୧ ବର୍ଷ ବୟସରେ ଆଖି ବୁଜିଥିଲା।

